ନଭେମ୍ବର ୫ରୁ କୁଆଖାଇ ନଦୀପଠାରେ ବାଲିଯାତ୍ରା

ଭୁବନେଶ୍ୱର,୨୫/୧୦/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ ନଭେମ୍ବର ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏ ନେଇ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଭୁବନେଶ୍ୱର ଅତିରିକ୍ତ ଜିଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ୍ ହାଉସ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟି ଏବଂ ଜିଲା ପ୍ରଶାସନର ମିଳିତ ସହଯୋଗରେ କୁଆଖାଇ ନଦୀପଠାରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବର ବିଭିନ୍ନ ରୂପରେଖ ସଂପର୍କରେ ଆଲୋଚନା କରି ଅତିରିକ୍ତ ଜିଲାପାଳ ଶ୍ରୀ ମହାନ୍ତି କହିଲେ ଯେ, ବାଲିଯାତ୍ରା ହେଉଛି ଆମ ଅସ୍ମିତାର ପରିଚୟ ।

ଏହି ମହୋତ୍ସବକୁ ସଫଳ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ । ଆଲୋଚନାରୁ ଜଣାପଡ଼ିଛି ଯେ, ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଉତ୍ପାଦ ଏଠାରେ ବିକ୍ରୟ କରାଯିବା ନେଇ ବ୍ୟବସ୍ଥା କରାଯିବ । ଏଥି ସହ ରାଜ୍ୟର ଐତିହ୍ୟ, ପରମ୍ପରା ଓ ଅସ୍ମିତାର ସ୍ୱତନ୍ତ୍ର ପ୍ରଦର୍ଶନ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିପାଇଁ ଆଲୋକୀକରଣ, ସଂଯୋଗୀ ସଡ଼କ ମରାମତି, ପାର୍କିଂ, ପୁଲିସ ମୁତୟନ,ପାନୀୟ ଜଳ ଓ ଶୌଚାଳୟ, ଖାଦ୍ୟ ମାନ ଯାଂଚ, ଆଶୁ ଚିକିତ୍ସା ବ୍ୟବସ୍ଥା, ସୁରକ୍ଷା ଓ ଟ୍ରାଫିକ୍ ଆଦି ସଂପର୍କରେ ଆଲୋଚନା ହୋଇ ସଂପୃକ୍ତ ବିଭାଗମାନଙ୍କୁ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ କୁହାଯାଇଥିଲା ।

ଉକ୍ତ ବୈଠକରେ ଯୋଗଦେଇ କମିଟିର ଉପଦେଷ୍ଟା ଗୋଲକ ମହାପାତ୍ର ମହୋତ୍ସବ ଆୟୋଜନର ସର୍ବସଫଳତା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ଚଳିତବର୍ଷ ଭୁବନେଶ୍ୱର ବାଲିଯାତ୍ରାର ସଫଳ ପରିଚାଳନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ କମିଟିର କାର୍ଯ୍ୟକାରୀ ସଭାପତି ଯଶୋବନ୍ତ ଓଝା ମହୋତ୍ସବ ପାଳନର ରୂପରେଖ ସଂପର୍କରେ ଧାରଣା ଦେଇଥିଲେ । ଉପଜିଲାପାଳ ଡ. ମନୋରଞ୍ଜନ ସାହୁ, ଜିଲା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କସ୍ତୁରୀବାଳା ଜେନା, ଭୁବନେଶ୍ୱର ବିଡିଓ ଦେବୀ ପ୍ରସାଦ ମହାନ୍ତି, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ କମିଟିର ସଂପାଦକ ସୁବାସ ପାତ୍ର, ଉପଦେଷ୍ଟା ଜୀବନ ବଡ଼ୁ, ଅଭୟ ବଡ଼ଜେନା, ଅନ୍ନ ପୂର୍ଣ୍ଣା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *