ଜାତୀୟ ପଞ୍ଚାୟତ ପୁରସ୍କାର- ୨୦୨୪ :  ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ସାତଟି ବର୍ଗରେ ଓଡ଼ିଶା ପୁରସ୍କୃତ

  • ୨୦୨୨-୨୩ ବର୍ଷ ପାଇଁ ସାତଗୋଟି ବର୍ଗରେ ଓଡ଼ିଶାକୁ ୮ କୋଟି ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି
  • ଦେଶରେ ସର୍ବାଧିକ ଅର୍ଥରାଶି ପୁରସ୍କାର ପାଇ ପ୍ରଥମ ସ୍ଥାନ ଅଧିକାର କରିଥିବା ଯୋଗୁଁ ଓଡ଼ିଶାକୁ ଅଭିନନ୍ଦନ ଜଣାଇଲେ ମହାମହିମ ରାଷ୍ଟ୍ରପତି
  • ଓଡ଼ିଶାର ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମ ସର୍ବଭାରତୀୟ ସ୍ତରରେ ପ୍ରଶଂସିତ
  • ପୁରସ୍କୃତଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୧୧/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗ୍ରାମାଞ୍ଚଳ ବିକାଶରେ ଓଡ଼ିଶାର ଅନନ୍ୟ ସଫଳତାର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସ୍ବରୂପ ଆଜି ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ‘ଜାତୀୟ ପଞ୍ଚାୟତ ପୁରସ୍କାର’ ଅଧୀନରେ ସାତଟି ବର୍ଗରେ ଓଡ଼ିଶାକୁ   ପୁରସ୍କୃତ କରାଯାଇଛି ।   ଭାରତ ସରକାରଙ୍କ ପଞ୍ଚାୟତି ରାଜ ମନ୍ତ୍ରାଳୟ ଦ୍ୱାରା ପ୍ରଦତ୍ତ ଏହି ଜାତୀୟ ପଞ୍ଚାୟତ ପୁରସ୍କାରରେ ସାତଗୋଟି ବର୍ଗରେ ଓଡ଼ିଶାକୁ ୮ କୋଟି ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୨-୨୩  ପ୍ରଦାନ ଉତ୍ସବରେ  ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାତଗୋଟି ବର୍ଗରେ ଓଡ଼ିଶାକୁ ପୁରସ୍କୃତ କରିଛନ୍ତି ।   ଏହା ମଧ୍ୟରେ ଦୀନଦୟାଲ ଉପଧ୍ୟାୟ ପଞ୍ଚାୟତ ଶତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ କେଳୁଆପଲ୍ଲୀ ଗ୍ରାମ ପଞ୍ଚାୟତକୁ ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ରୂପେ ୭୫ ଲକ୍ଷ  ଓ ହିଞ୍ଜିଳିକାଟୁ ବ୍ଲକର ସାହାପୁର ଗ୍ରାମପଞ୍ଚୟତକୁ ଦ୍ୱିତୀୟ ଆତ୍ମ ନିର୍ଭରଶୀଳ ଭିତ୍ତିଭୂମିଯୁକ୍ତ  ଗ୍ରାମପଞ୍ଚାୟତ ପୁରସ୍କାର ପାଇଁ ୭୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି  ।

ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ପୁରସ୍କାର ଅଧୀନରେ କୋରାପୁଟ ଜିଲ୍ଲାକୁ  ଦେଶର ଦ୍ୱିତୀୟ ଶ୍ରେଷ୍ଠ ଜିଲ୍ଲା ପରିଷଦରୂପେ ୩ କୋଟି ଓ  ଗଞ୍ଜାମ ଜିଲ୍ଲା ଛତ୍ରପୁର ପଞ୍ଚାୟତ ସମିତିକୁ ଶେଷ୍ଠ ପଞ୍ଚାୟତ ସମିତି ରୂପେ ୨ କୋଟି ପୁରଷ୍କାର ରାଶି ପ୍ରଦାନ କରାଯାଇଛି  । ବିଶେଷ ପଞ୍ଚାୟତ ପୁରସ୍କାର ଅଧୀନରେ ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ ବ୍ଲକ୍ କେନ୍ଦ୍ରିକେଲା ଗ୍ରାମ ପଞ୍ଚାୟତାକୁ କାର୍ବନ ନିଉଟ୍ରାଲ୍ ବିଶେଷ ପଞ୍ଚାୟତ ପୁରସ୍କାର ବର୍ଗରେ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପାଇଁ  ୭୫ ଲକ୍ଷ ଓ  କଶିରା  ଗ୍ରାମ ପଞ୍ଚାୟତକୁ ଗ୍ରାମ ଊର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର ବର୍ଗରେ ଦେଶରେ ତୃତୀୟ ସ୍ଥାନ ଅଧିକାର କରିଥିବା ପାଇଁ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।  ଏହା ସହ ‘ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର’ ବର୍ଗରେ  ଓଡ଼ିଶାର ‘ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପାଞ୍ଚୟତିରାଜ ପ୍ରତିଷ୍ଠାନ’କୁ ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ପଞ୍ଚାୟତ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନକାରୀ ଅନୁଷ୍ଠାନ ରୂପେ ୭୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ସମସ୍ତ ଅର୍ଥରାଶି ଡିଜିଟାଲ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।   

ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏହି ପୁରସ୍କାର ପ୍ରଦାନ ସମାରୋହରେ ମହାମହିମ ରାଷ୍ଟ୍ରପତି ନିଜର ଅଭିଭାଷଣ ପ୍ରଦାନ କରି ଗ୍ରାମୀଣ ବିକାଶରେ ବ୍ରତୀ ରହିବା ପାଇଁ ସମସ୍ତ ପଞ୍ଚାୟତି ରାଜ ପ୍ରତିଷ୍ଠାନକୁ ଆହ୍ଵାନ ଦେଇଥିଲେ ।  ଏହି ଅବସରରେ ସର୍ବାଧିକ ଅର୍ଥରାଶି ପୁରସ୍କାର ପାଇ ଦେଶରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବାରୁ ମହାମହିମ ରାଷ୍ଟ୍ରପତି ସମଗ୍ର  ଓଡ଼ିଶାକୁ ଅଭିନନ୍ଦନ ଜଣାଇଥିଲେ ।  କେନ୍ଦ୍ର ପଞ୍ଚାୟତି ରାଜ, ମତ୍ସ୍ୟ ଓ  ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ପ୍ରୋଫେସର ଏସ୍ ପି ସିଂହ ବଘେଲ ମଧ୍ୟ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।  ପଞ୍ଚାୟତି ରାଜ ସଚିବ ଶ୍ରୀ ବିବେକ ଭାରଦ୍ଵାଜ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରସ୍କୃତ ହୋଇଥିବା ବିଭିନ୍ନ ପଞ୍ଚାୟତି ରାଜ ଅନୁଷ୍ଠାନଙ୍କ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା ।

ଏହି ସମାରୋହରେ ଓଡ଼ିଶା ପକ୍ଷରୁ ପଞ୍ଚାୟତି ରାଜ ଓ ପାନୀୟ ଜଳ ଆୟୁକ୍ତ ତଥା  ଶାସନ ସଚିବ ଶ୍ରୀ ଗିରିଶ ଏସ୍‌ଏନ୍‌, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପାଞ୍ଚୟତିରାଜ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ମୀନା, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, କୋରାପୁଟ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ୍ , ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଓ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି ମାନେ ଉପସ୍ଥିତ ରହି ମହାମହିମଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ ।

‘ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୪’ରେ ରାଜ୍ୟର ଏହି ବିଶେଷ ସଫଳତା ପାଇଁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ପୁରସ୍କୃତ ହୋଇଥିବା ସମସ୍ତ ପଞ୍ଚାୟତିରାଜ ଅନୁଷ୍ଠାନ, ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପାଞ୍ଚୟତିରାଜ ପ୍ରତିଷ୍ଠାନର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ୨୦୩୦ ମସିହା ସୁଦ୍ଧା ମିଳିତ ଜାତିସଂଘ ଦ୍ବାରା ଧାର୍ଯ୍ୟ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ଦେଶର ପ୍ରତିବଦ୍ଧତା ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳ ବିକାଶ ମୂଳକ କାର୍ଯ୍ୟର ଆହ୍ବାନକୁ ଦୃଷ୍ଟିରେ ରଖି  ତ୍ରି-ସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକ ମହତ୍ବପୂର୍ଣ ଭୂମିକା ଗ୍ରହଣ କରିଛନ୍ତି । ଆମ ରାଜ୍ୟର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ଯଥା ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଜାତୀୟ ସ୍ତରରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖୁଛନ୍ତି, ଯାହାକି ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ପ୍ରକାଶ କରିଛନ୍ତି ।

-0-

ବିନାୟକ ମିଶ୍ର , ଲୋକସମ୍ପର୍କ  ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *