କେନ୍ଦ୍ରାପଡା ଜିଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

କେନ୍ଦ୍ରାପଡ଼ା,୧୧/୧୨/୨୦୨୪ (ଓଡ଼ିଶା ସମାଚାର)- ଜିଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ -୨୦୨୪ ଇଛାପୁର ସରକାରୀ ହାଇସ୍କୁଲ ପରିସରରେ ବୁଧବାର ଉଦଘାଟିତ ହୋଇଯାଇଛି । ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲାପାଳଙ୍କ ଦାୟୀତ୍ୱରେ ଥିବା ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଯୋଗଦେଇ ପ୍ରଦର୍ଶନୀକୁ ଉଦଘାଟନ କରି କୁନି କୁନି ବୈଜ୍ଞାନିକମାନଙ୍କ ପ୍ରକଳ୍ପ ଗୁଡିକ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣା ଦାୟକ ହେବ ବୋଲି କହିଥିଲେ । ଏହି ପ୍ରକଳ୍ପ ଗୁଡିକ ଖାଲି ପ୍ରଦର୍ଶନ କରିଦେଲେ ହେବନି ତାହା ଭିତରେ ପୂର୍ଣ୍ଣ ମନୋନିବେଶ କରି ବୈାଜ୍ଞାନିକ ମନୋଭାବର ପରିପ୍ରକାଶ ପରିପାରିଲେ ଭବିଷ୍ୟତ ଉଜ୍ଜ୍ୱଳମୟ ହେବ ବୋଲି ମୁଖ୍ୟଅତିଥି ଶ୍ରୀ ମହାପାତ୍ର ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ କୃଷି ବିଜ୍ଞାନକେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଅରବିନ୍ଦ ଦାସ ଯୋଗଦେଇ କୃଷି କ୍ଷେତ୍ରରେ ବିଜ୍ଞାନର ପ୍ରୟୋଗ ସହିତ ଆଧୁନିକ ପ୍ରଣାଳୀରେ ଚାଷ କାର୍ଯ୍ୟ କଲେ ଅଧିକ ଫସଲ ଅମଳ ସହ ଆତ୍ମନିଯୁକ୍ତି ହୋଇପାରିବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ, ମହାକାଳପଡା ମଣ୍ଡଳ ଶିକ୍ଷା ଅଧିକାରୀ ତନ୍ମୟ ବେହେରା, ଆଳି ମଣ୍ଡଳ ଶିକ୍ଷା ଅଧିକାରୀ ନଳିନୀକାନ୍ତ ରାଉତରାୟ, ଇଛାପୁର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଣାପାଣୀ ଦାଶ ପ୍ରମୁଖ ଯୋଗଦେଇ ବିଜ୍ଞାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଜିଲା ବିଜ୍ଞାନ ପରିଦର୍ଶକ ନିଷିଧ କୁମାର ବାରିକ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନା କରିଥିଲେ । ଏହି ଅବସରରେ ଜାତୀୟ ସ୍ତରର ପ୍ରେରଣା ପ୍ରକଳ୍ପ ପ୍ରଦର୍ଶନୀ, ଗୁଜୁରାଟରେ ଏହି ଜିଲାରୁ ପ୍ରତିନିଧିତ୍ୱ କରିଥିବା ଇଛାପୁର ହାଇସ୍କୁଲର ମାର୍ଗଦର୍ଶକ ବିଜ୍ଞାନ ଶିକ୍ଷୟିତ୍ରୀ ଅପରାଜିତା ପାତ୍ର ଓ ପ୍ରକଳ୍ପ ନେଇ ଯାଇଥିବା ଏଲ. ଏନ. ବିଦ୍ୟାପୀଠ, ଆଶ୍ରମ ବାଲିକୁଦାର ଛାତ୍ରୀ ଗାୟତ୍ରୀ ନାଥଙ୍କୁ ଉରୀୟ ଏବଂ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ନିରଞ୍ଜନ ବେହେରା ଅତିଥି ପରିଚୟ ଓ ସି.ଆର.ସି.ସି. ଚିରଞ୍ଜନ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ଶୁଭାଂଶୁ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ନମତରାର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ହାଇସ୍କୁଲର ଶିକ୍ଷକ ଆଦିକନ୍ଦ ସାହୁ ପରିବେଶ ଓ ଭିଜ୍ଞାନ ଭିତିକ ସଂଗୀତ ଗାନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ସଭାପତିତ୍ୱ କରିଥିଲେ । ଏଥିରେ ଜିଲା ପରିଷଦ ସଭାପତି ଲିଲିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜ ପାଇଁ ବିଜ୍ଞାନର ଉପକାରିତା ଓ ଅପକାରିତା ସମ୍ପର୍କରେ ମତବ୍ୟକ୍ତ କରିବା ସହ ସମାଜର ମଙ୍ଗଳ ନିମନ୍ତେ ପ୍ଲାଷ୍ଟିକର ବ୍ୟବହାରକୁ ସପୂର୍ଣ୍ଣ ନିଷେଧ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ଏଥିସହିତ ଆଜିର ଦୁନିଆରେ ମୋବାଇଇଲ ସହିତ ସମସ୍ତେ ଏପରି ଭାବେ ଜଡିତ ରହୁଛନ୍ତି ଯେ ନିଜ ନିଜ ମଧ୍ୟରେ ସମ୍ପର୍କ ରକ୍ଷା କରିବାକୁ ମଧ୍ୟ ସେମାନେ ଭୁଲି ଯାଉଛନ୍ତି ବୋଲି କହିବା ସହ ଏଭଳି ଅଭ୍ୟାସ ବଦଳାଇବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ପ୍ରଧ୍ୟାପକ ବିଶ୍ୱରଞ୍ଜନ ପୁହାଣ ଯୋଗଦେଇ ବିଜ୍ଞାନର ସଦ୍ଉପଯୋଗ ଉପରେ ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି ଭାବେ ଡେରାବିଶ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା, ରାଜନଗର ମଣ୍ଡଳ ଶିକ୍ଷା ଅଧିକାରୀ ମନୋରଞ୍ଜନ ସେଠୀ, ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷା ଅଧିକାରୀ ହରିହର ଦଳାଇ, ମାର୍ଶାଘାଇ ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଜିଲାର ମୋଟ ୬୩ଟି ବିଦ୍ୟାଳୟର ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିବା ୬୩ଟି ପ୍ରକଳ୍ପ ମଧ୍ୟରୁ ଆଦର୍ଶ ବିଦ୍ୟାଳୟ, ତରାଣ୍ଡୋର ଛାତ୍ରୀ ସ୍ୱାତୀପ୍ରଜ୍ଞା ରଥ, ତାରାମଣି କପିଳେଶ୍ୱର ହାଇସ୍କୁଲ କାଟଣାର ରଶ୍ମୀରଞ୍ଜନ ନାୟକ, ପଂଚାୟତ ହାଇସ୍କୁଲ, ଗଙ୍ଗାରାମପୁରର ପ୍ରାଣତୋଷ ପ୍ରଧାନ, ଇନ୍ଦୁପୁର ହାଇସ୍କୁଲର ରଶ୍ମୀରଞ୍ଜନ ସାହୁ, ଗାନ୍ଧୀଜୀ ନୋଡାଲ ବିଦ୍ୟାପୀଠ, ଗୋଜାବନ୍ଧର ସନ୍ତୋଷ ବାରିକ, ରତ୍ନାକର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରୋଜାଲିନ ପାଲ, ଶ୍ରୀ ଏଲ.ଏନ. ବିଦ୍ୟାପୀଠ, ଆଶ୍ରମ ବାଲିକୁଦାର ଛାତ୍ରୀ ଗାୟତ୍ରୀ ନାଥ ପ୍ରମୁଖ ୭ଟି ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଭାଗିରଥୀ ମହାନ୍ତି, ସନ୍ତୋଷ ଦାସ, ପ୍ରକାଶ ପରିଡା, ମହେନ୍ଦ୍ର ବିଶ୍ୱାଳ, ପ୍ରଭାସ ରଞ୍ଜନ ପ୍ରଧାନ, ମଳୟ କୁମାର ଜେନା, ମନୋରଞ୍ଜନ ମହାନ୍ତି, ଶିଶିର କୁମାର ଦାସ, ଡେରାବିଶ ବ୍ଲକ ସଂଯୋଜକ ମନୋରଞ୍ଜନ ତ୍ରିପାଠୀଙ୍କ ସମେତ ଇଛାପୁର ହାଇସ୍କୁଲର ସମସ୍ତ କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *