କଟକ ସଦର,୧୦/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ଅର୍ଛିଲ ଗ୍ରାମର ଜନୈକା ଅବିବାହିତ ଯୁବତୀ ତଥା କିଶନନଗର ଥାନାରେ କାର୍ଯ୍ୟରତ ଥିବା ଜନୈକା ହୋମଗାର୍ଡ ଙ୍କ ଭଉଣୀଙ୍କ ସନ୍ଦେହଜନକ ମୃତ୍ୟୁ ଓ ଶବକୁ ତରବରିଆ ଭାବେ ପରିବାର ଲୋକେ ପୋଡି ଦେଇଥିବା କୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଯେ ମୃତା ଯୁବତୀଙ୍କୁ ପରିବାର ପକ୍ଷରୁ ପ୍ରେମ ବ୍ୟାପାର କୁ ନେଇ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ଶୁଣାଯାଉଥିଲା ବେଳେ ଘଟଣା ଦିନ ତାଙ୍କୁ ଏକ ଅଟୋ ଯୋଗେ କେଉଁ ଆଡେ ନିଆଯାଇ ଅଳ୍ପ ସମୟ ପରେ ଫେରାଇଆଣି ସେହି ଅଟୋ ଯୋଗେ ମଶାଣି କୁ ନିଆଯାଇ ପୋଡ଼ି ଦିଆଯାଇଥିବାରୁ ସନ୍ଦେହ ଉପୁଜିଥିବା ଜଣାପଡିଛି। ପୋଲିସ ଏହାର ଉପଯୁକ୍ତ ତଦନ୍ତ କରି ସତ୍ୟାସତ୍ୟ ଲୋକଲୋଚନକୁ ଆଣିବାକୁ ସାଧାରଣରେ ଦାବି ହେଉଛି।