ଭୁବନେଶ୍ୱର,୧୦/୧୨/୨୦୨୪ (ଓଡ଼ିଶା ସମାଚାର)- ଆମ ରାଜ୍ୟରେ ଶିକ୍ଷା ଅଧିକାର ଆଇନ-୨୦୧୦କୁ ସଠିକ୍ ଭାବରେ କାର୍ଯ୍ୟକାରୀ ନକରି ଜାତୀୟ ଶିକ୍ଷାନୀତି-୨୦୨୦କୁ ଲାଗୁ କରିବାକୁ ବସିଛନ୍ତି ରାଜ୍ୟ ସରକାର । ପ୍ରାଥମିକ ବିଦ୍ୟାଳୟରେ ଭିତିଭୂମିର ବିକାଶ କରାଯାଉ ନାହିଁ କିମ୍ବା ଗୁଣାତ୍ମକ ଶିକ୍ଷା ନିମନ୍ତେ ଶ୍ରେଣୀ ପିଛା ନିୟମିତ ଶିକ୍ଷକ ନିଯୁକ୍ତି କରାଯାଉ ନାହିଁ । କେବଳ କେନ୍ଦ୍ରୀୟ ଯୋଜନାରେ ସ୍କିମାଟିକ ଶିକ୍ଷକ ନିଯୁକ୍ତି କରି ଉଚ୍ଚ ଶିକ୍ଷିତ ଯୁବକ ଯୁବତୀମାନଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲାଯାଉଛି । ସ୍କିମାଟିକ ଶିକ୍ଷକମାନଙ୍କର ନା ଦରମା ଅଛି ନା ସେମାନଙ୍କର ଚାକିରି ସର୍ତାବଳୀ ଅଛି । ସେମାନଙ୍କ ଘରଠାରୁ ୫୦୦ରୁ ୧୦୦୦ କିଲୋମିଟର ଦୂରରେ ନିଯୁକ୍ତି କରିଥିବାରୁ ସେମାନେ ମାନସିକ ଅଶାନ୍ତିରେ ଶିକ୍ଷାଦାନ କରୁଛନ୍ତି ।
ପ୍ରାଥମିକ ଶିକ୍ଷକମାନେ ୨୦୨୨ ମସିହା ନଭେମ୍ବର ମାସରେ ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ବାତିଲ୍ କିରବା, ୬ ବର୍ଷର ଠିକା କାର୍ଯ୍ୟକାଳକୁ ଇନ୍କ୍ରିମେ ଦେଇ ମୂଳ ଚାକିିରିରେ ଗଣନା କରିବା, ପୁରୁଣା ପେନସନ ଲାଗୁ କରିବା ଓ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଦେବା ଦାବିବରେ ଲୋୟର ପିଏମଜିଠାରେ ଆନ୍ଦୋଳନ କରିଥିଲେ । ତତକାଳୀନ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ବର୍ତମାନର ମାନ୍ୟବର ମୁଖ୍ୟମନ୍ତ୍ରୀ ଆନ୍ଦୋଳନସ୍ଥଳକୁ ଆସି ପ୍ରାଥମିକ ଶିକ୍ଷକମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ବିଜେପି ଦଳ ୨୦୨୪ ମସିହା ବିଧାନସଭା ନିର୍ବାଚନରେ ଜିତି ସରକାର ଗଠନ କଲେ ପ୍ରାଥମିକ ଶିକ୍ଷାରୁ ଠିକା / ସ୍କିମାଟିକ ନିଯୁକ୍ତି ସମ୍ପୂର୍ଣ୍ଣ ଉଠାଇ ଦିଆଯିବ, ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା (୩୫,୪୦୦) ଦିଆଯିବ, ୬ ବର୍ଷର ଚୁକ୍ତି କାର୍ଯ୍ୟକାଳକୁ ଇନ୍କ୍ରିମେଂଟ ଦେଇ ମୂଳ ଚାକିିରିରେ ଗଣନା କରାଯିବ ଓ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ଶିକ୍ଷକ କର୍ମଚାରୀମାନଙ୍କୁ ପୁରୁଣା ପେନସନ ଦିଆଯିବ । କିନ୍ତୁ ସରକାର ଆସିବାର ୫ ମାସ ବିତିଯାଇଥିଲେ ମଧ୍ୟ ଶିକ୍ଷକମାନଙ୍କ ଦାବିକୁ କର୍ଣ୍ଣପାତ କରୁନାହାଁନ୍ତି । ବିଧାନସଭାରେ ପ୍ରାଥମିକ ଶିକ୍ଷା ଓ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଉପରେ ମାନ୍ୟବର ବିଧାୟକମାନେ ପ୍ରଶ୍ନ ପଚାରିଲେ ମଧ୍ୟ କୌଣସି ସଠିକ୍ ଉତର ମିଳୁନାହିଁ । ଯାହାଦ୍ୱାରା ଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।
ଏହି ପରିପ୍ରେକ୍ଷୀରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ (ପିଷ୍ଟା) ତରଫରୁ ସ୍କିମାଟିକ ନିଯୁକ୍ତି ଉଚ୍ଛେଦ କରି ସେମାନଙ୍କୁ ତୁରନ୍ତ ନିୟମିତ କରିବା, ୬ ବର୍ଷର ଚୁକ୍ତି କାର୍ଯ୍ୟକାଳକୁ ଇନକ୍ରିମେଂଟ ଦେଇ ମୂଳ ଚାକିରିରେ ଗଣନା, ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା, ପୁରୁଣା ପେନସନ ଲାଗ କରିବା, କ୍ୟାଡ଼ର ନିୟମ ସଂଶୋଧନ କରି ପ୍ରାଥମିକ ଶିକ୍ଷକମାନଙ୍କୁ ପଦୋନ୍ନତି, ଶିକ୍ଷକ କର୍ମଚାରୀମାନଙ୍କ ପାଇଁ ସରକାରଙ୍କ ତରଫରୁ ସ୍ୱାସ୍ଥ୍ୟବୀମା, ଅନ୍ୟ ଜିଲ୍ଲାରେ ଚାକିରି କରିଥିବା ଅନ୍ୟ ବିଭାଗର ପତି-ପତ୍ନୀ ଓ ଭିନ୍ନକ୍ଷମ ଶିକ୍ଷକମାନଙ୍କୁ ବଦଳିରେ ଅଗ୍ରାଧିକାର ଓ ବଦଳି ନିମନ୍ତେ ଏକ ସ୍ୱତନ୍ତ୍ର ଆଇନ ପ୍ରମୁଖ ୬ ଦଫା ଦାବି ନେଇ ବିଧାନସଭାର ସମସ୍ତ ମନ୍ତ୍ରୀ ଓ ବିଧାୟକମାନଙ୍କୁ ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ, ଉପଦେଷ୍ଟା ଗଜେନ୍ଦ୍ର ମାଝୀ, ଲକ୍ଷ୍ମଣ ନାହାକ, ଗୋବିନ୍ଦ ମହନ୍ତ, ଅଗାଧୁ ସେଠୀ, ଜି. ଗୋପାଳ ରାଓ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ । ସମସ୍ତ ଦାବିଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଣ କରିବାକୁ ଅନୁରୋଧ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଯେପରି ସମସ୍ତ ବିଭାଗରୁ ଠିକା ନିଯୁକ୍ତି ଉଠାଯାଇଛି, ସେହିପରି ଆସନ୍ତା ଜାନୁଆରୀ ମାସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ୍ମଦିନରେ ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ତ ଦାବି ପୂରଣ କରିବେ ବୋଲି ସଂଘ ଆଶବାଦୀ ଅଛି ।