ବରଗଡ଼,୦୪/୧୨/୨୦୨୪ (ଓଡ଼ିଶା ସମାଚାର/ ସୁଜିତ ବେହେରା)- ବରଗଡ ସହର ସ୍ଥିତ ଡେମ କଲୋନୀ ଠାରେ ଡେଙ୍ଗୁ ଯୋଗୁଁ ଜଣେ ୨୫ ବର୍ଷୀୟ ଯୁବକ ସାଉଳ ଦୀପଙ୍କ ଅକାଳ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପଡ଼ାବାସୀ ।ଏନେଇ ଡେମ କଲୋନି ପଡ଼ାର ଶତାଧିକ ଯୁବକ ମୁନିସିପାଲିଟି ଅଫିସ କୁ ଯାଇ ନିଜର ପ୍ରତିବାଦ ଜଣାଇଛନ୍ତି। ଡେମ କଲୋନୀ ପଡ଼ାରେ ବ୍ୟାପକ ଆବର୍ଜନା ପଡିରହିଥିବା ବେଳେ ଏହାକୁ ଠିକ୍ ଭାବେ ପୌର ପରିଷଦ ପକ୍ଷରୁ ପରିଷ୍କାର ପରିଚ୍ଛନ୍ନ କରାଯାଉନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ପଡ଼ାବାସୀ ଅଭିଯୋଗ ଆଣିଛନ୍ତି। ନାଲି ନର୍ଦମା ଗୁଡିକରେ ଜମା ହେଉଥିବା ଆବର୍ଜନା ଓ ପାଣି କୁ ଗୁରୁତ୍ଵ ଦେଇ ସଫା ସୁତୁରା କରାଯାଉନଥିବା ବେଳେ ଆଜି ଲୋକେ ମୃତ୍ୟୁର ସାମ୍ନା କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । ପୌରପରିଷଦ ପକ୍ଷରୁ ଆବଶ୍ୟକ ମୁତାବକ ସଫେଇ କର୍ମଚାରୀ ପ୍ରଦାନ କରାଯାଉନାହିଁ ବୋଲି ବରଗଡ଼ ପୌରପରିଷଦ ର କାଉନସିଲର ମଧ୍ୟ ସ୍ୱୀକାର କରିଛନ୍ତି । ଡେଙ୍ଗୁ ଯେପରି ନ ବ୍ୟାପିବ ସେ ଦିଗରେ ସଚେତନତା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ କରାଯାଉଛି । ହେଲେ ଅନ୍ୟପଟେ ଖୋଦ ପୌର ପରିଷଦ ଯଦି ଅବହେଳା କରିବ ଓ ଲୋକେ ଡେଙ୍ଗୁ ରୋଗରେ ମରିବେ ତେବେ ଏଥିରେ ଭୁଲ କାହାର ? ଗତ ତିନି ମାସ ଭିତରେ ୩ ଜଣ ରୋଗୀଙ୍କ ଡେଙ୍ଗୁ ରୋଗରେ ମୃତ୍ୟୁ ହୋଇଥିବା ବେସରକାରୀ ଭାବେ ଅଭିଯୋଗ କରାଯାଇଥିବା ବେଳେ ଏହାକୁ ଖଣ୍ଡନ କରିଛି ବରଗଡ଼ ସ୍ୱାସ୍ଥ୍ୟ ବିଭାଗ । ଡେଙ୍ଗୁ ରୋଗର ଚି଼ହ୍ନଟ ପାଇଁ ପ୍ରଥମେ କିଟ ରେ ଟେଷ୍ଟ କରାଯାଉଛି ଏବଂ ସେଥିରେ ରେଜଲ୍ଟ ପଜିଟିଭ ବାହାରିଲେ ପୁଣି ଏଲିସା ଟେଷ୍ଟ କରାଯାଏ ଏବଂ ଏଲିସା ଟେଷ୍ଟ ରେ ରିପୋର୍ଟ ପଜିଟିଭ ଆସିଲେ ତାହା ଡେଙ୍ଗୁ ବୋଲି ଧରାଯାଏ କିନ୍ତୁ ଘରୋଇ ହସ୍ପିଟାଲ ମାନଙ୍କରେ କେବଳ କିଟ ଟେଷ୍ଟରେ ରିପୋର୍ଟ ପଜିଟିଭ ଆସିଲେ ତାହାକୁ ଡେଙ୍ଗୁ ରୋଗ ବୋଲି କହୁଛନ୍ତି । ଯାହା କି ଭୁଲ ଅଟେ ବୋଲି ଜଣାଇଛି ବରଗଡ଼ ସ୍ୱାସ୍ଥ୍ୟ ବିଭାଗ ।
ତେବେ ଯେଉଁ ଅଞ୍ଚଳରେ ରୋଗୀଙ୍କ ମୃତ୍ୟୁ ହୋଇଛି ସେହି ଅଞ୍ଚଳ ବ୍ୟାପକ ଅପରିସ୍କାର ହୋଇ ପଡିରହିଥିବା ବେଳେ ଏହି ଅଞ୍ଚଳରେ ସମୁଦାୟ ୩ ଜଣ ଆକ୍ରାନ୍ତ ହୋଇଥିବାରୁ ଏହି ଅଞ୍ଚଳରେ ଡେଙ୍ଗୁ ବ୍ୟାପିବାର ଭୟ ଲୋକଙ୍କୁ ଘାରିଲାଣି । ଘଟଣା ସ୍ଥଳକୁ ପୌର ପରିଷଦ ଓ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ ପହଁଞ୍ଚି ତଦାରଖ କରିଥିବା ବେଳେ ଏହି ଅଞ୍ଚଳରେ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯିବା ସହିତ ଚିକିତ୍ସା ପାଇଁ କ୍ୟାମ୍ପ ର ବ୍ୟବସ୍ଥା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ADMO ସାଧୁ ଚରଣ ଦାସ ଜଣାଇଛନ୍ତି ।