ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ  

ବାଲିକୁଦା, ୦୩/୧୨/୨୦୨୪ (ଓଡ଼ିଶା ସମାଚାର)-ବାଲିକୁଦା ବ୍ଲକ ଅନ୍ତର୍ଗତ ଧନୁହରବେଲାରୀ ସ୍ଥିତ ମହାମହିମ ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ  ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମଙ୍ଗଳବାର ପୂର୍ବାହ୍ନରେ ପାଳନ କରାଯାଇଛି । ଆଇନ ସେବା ପ୍ରାଧୀକରଣ ସଚିବ ବି ଡି ଡି ଚନ୍ଦନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସ୍ୱର୍ଣାଲତା ବାରିକ, ବରିଷ୍ଠ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ।  ଆଇନ ସେବା ପ୍ରାଧୀକରଣ ସଚିବ ଏହି ଦିବସର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ୩ ତାରିଖକୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭାବରେ ପାଳନ କରାଯାଏ । ୧୯୯୨ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାରେ ଡିସେମ୍ବର ୩କୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭାବେ ପାଳନ କରାଯିବା ପାଇଁ ଘୋଷଣା କରାଯାଇଥିଲା । ଭିନ୍ନକ୍ଷମଙ୍କ ଅଧିକାର ଓ ସେମାନଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ପ୍ରୋତ୍ସାହନ କରିବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ। ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସମସ୍ତ ନାଗରିକଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ବୋଲି ସଚିବ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ । ଏହା ସହିତ ଭିନ୍ନକ୍ଷମ ମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା କରାଯାଇଥିବା ବିଭିନ୍ନ ଜନମଙ୍ଗଳକରି ଯୋଜନା ବିଷୟରେ ଆଲୋକପାତ କରିଥିଲେ। ସଫଳତା ପାଇଥିବା ଅନେକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ବିଷୟରେ ମଧ୍ୟ ଆଲୋଚନା କରି କହିଥିଲେ ଯେ ଦୃଢ଼ ଇଛା ଶକ୍ତି ଥିଲେ ଅସାଧ୍ୟ କାର୍ଯ୍ୟ ମଧ୍ୟ ସାଧ୍ୟ ହୋଇପାରେ । ଶେଷରେ ବରିଷ୍ଠ ଶିକ୍ଷକ ଲକ୍ଷ୍ମୀକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରେ ପଳାଶୋଳ ଗ୍ରାମର ଭିନ୍ନକ୍ଷମ ମହିଳା ରତିପ୍ରିୟା ଦାଶଙ୍କୁ ସଚିବ ସାକ୍ଷାତ କରିଥିଲେ । ତାଙ୍କର ଅସୁବିଧା ବୁଝିବା ସହ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ ।  ଏହା ସହ ଉକ୍ତ ମହିଳାଙ୍କୁ ସମସ୍ତ ପ୍ରକାର ଆଇନ ଗତ ସାହାଯ୍ୟ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Leave a Reply

Your email address will not be published. Required fields are marked *