ସମ୍ବଲପୁର,୨୧/୦୭/୨୦୨୬ (ଓଡ଼ିଶା ସମାଚାର)- ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଜି ମଙ୍ଗଳବାର ପୁଣି ଆଉ ୪ଟି ସ୍ଲୁଇସ ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ବାମ ପାର୍ଶ୍ୱରୁ ୫ଟି ଏବଂ ଦକ୍ଷିଣ ପାର୍ଶ୍ୱର ୩ଟି ମୋଟ ୮ଟି ଗେଟ୍ରେ ହୀରାକୁଦ ଜଳଭଣ୍ଡାର ରୁ ବନ୍ୟା ଜଳ ନିଷ୍କାସନ କରାଯାଉଛି।
ହୀରାକୁଦ ନଦୀବନ୍ଧର ମୋଟ୍ ୯୮ଟି ଗେଟ୍ । ଏଥିରୁ ୬୪ଟି ସ୍ଲୁଇସ୍ ଗେଟ୍ ଓ ୩୪ଟି କ୍ରେଷ୍ଟ ଗେଟ୍ ରହିଛି । ହୀରାକୁଦ ନଦୀବନ୍ଧରେ ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ । ଆଜି ମଙ୍ଗଳବାର ଅପରାହ୍ନ ସାଢ଼େ ୨ଟା ସମୟରେ ହସ୍ତଗତ ସୂଚନା ଅନୁସାରେ ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୩.୫୦ ଫୁଟ୍ କୁ ବୃଦ୍ଧି ପାଇଥିବା ବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ୫୫ ହଜାର ୬୩୭ ଘନଫୁଟ ବନ୍ୟା ଜଳ ପ୍ରବେଶ କରୁଛି। ଏନେଇ ଜଳଭଣ୍ଡାରରୁ ସମାନ ପରିମାଣର ଅତିରିକ୍ତ ବନ୍ୟାଜଳ ନିଷ୍କାସିତ ହେଉଛି।
