ଭୁବନେଶ୍ୱର, ୦୩/୧୨/୨୦୨୪ (ଓଡ଼ିଶା ସମାଚାର)- ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ପେନସନ୍ ଦୀର୍ଘ ୩୦ ବର୍ଷ ହେଲା ସଂଶୋଧନ ନହେବା ଅତ୍ୟନ୍ତ ପରିତାପର ବିଷୟ । ବ୍ୟାଙ୍କ ଶିଳ୍ପରେ ପେନସନ୍ ଯୋଜନା ୧୯୯୫ ମସିହାରୁ ଲାଗୁ କରାଯାଇଥିଲେ ହେଁ, ପ୍ରତି ୫ ବର୍ଷରେ ବ୍ୟାଙ୍କ କର୍ମଚାରୀଙ୍କ ଦରମା ସଂଶୋଧନ ହେଉଥିବା ସମୟରେ ପେନସନ୍ ସଂଶୋଧନ କରାଯାଉନାହିଁ । ଏହା ଫଳରେ ପେନସନ୍ ଭୋଗୀଙ୍କ ମୂଳ ପେନସନ୍ ୩ ଦଶନ୍ଧି ଧରି ଅପରିବର୍ତିତ ରହିଛି । ରିଜର୍ଭ ବ୍ୟାଙ୍କ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କ୍ଷେତ୍ରରେ ପେନସନ୍ ଭୋଗୀଙ୍କର ମୂଳ ପେନସନ୍ ସରକାରୀ କର୍ମଚାରୀଙ୍କ ବେତନ ସଂଶୋଧନ ସହିତ ଏକ ସମୟରେ ସଂଶୋଧିତ ହୋଇଥାଏ; ମାତ୍ର ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ପ୍ରତି ଘୋର ଅନ୍ୟାୟ ହେଉଅଛି ।
ସ୍ଥାନୀୟ ରେଡ଼କ୍ରସ୍ ଭବନରେ ମହମ୍ମଦ ନାଜିର ଅହମଦ୍ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ନିଖିଳ ଓଡ଼ିଶା ଆଲାହାବାଦ୍ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘର ୫ମ ତ୍ରୈବାର୍ଷିକ ସମ୍ମିଳନୀକୁ ଉଦଘାଟନ କରି ଅଖିଳ ଭାରତ ଆଲାହାବାଦ୍ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ସୁରେଶ ଚାନ୍ଦ୍ ଶର୍ମା ଉପରୋକ୍ତ ମତପୋଷଣ କରି କେନ୍ଦ୍ର ସରକାର ଓ ଭାରତୀୟ ବ୍ୟାଙ୍କ ସଂଘ ତୁରନ୍ତ ବ୍ୟାଙ୍କ ଶିଳ୍ପରେ ପ୍ରଚଳିତ ପେନସନ୍ ଯୋଜନାର ସଂଶୋଧନ କରିବାକୁ ଦାବି କରିଥିଲେ । ପ୍ରାୟ ୮ଲକ୍ଷରୁ ଉଦ୍ଧ୍ୱର୍ ବ୍ୟାଙ୍କ ପେନସନ୍ ଭୋଗୀମାନେ ଗତ ୧୦ ବର୍ଷ ଧରି ଏହି ଦାବୀକୁ ସରକାରଙ୍କ ନିକଟରେ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥାପନ କରିବା ସତ୍ୱେ ସରକାର ତାର ସୁବିଚାର କରୁନଥିବାରୁ ଗଭୀର କ୍ଷୋଭ ପ୍ରକାଶ କରିଥିଲେ ।
ଏହି ସମ୍ମିଳନୀରେ ଇଣ୍ଡିଆନ୍ ବ୍ୟାଙ୍କ୍, ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମହା ପ୍ରବନ୍ଧକ ଶ୍ରୀମତୀ ଅରୁଣା ଏମ୍. ମୁଖ୍ୟ ଅତିଥି; ସଚିକାନ୍ତ ଦାସ ଇଣ୍ଡିଆନ୍ ବ୍ୟାଙ୍କ ଭୁବନେଶ୍ୱର ଆଂଚଳିକ କାର୍ଯ୍ୟାଳୟର ମୁଖ୍ୟ ଓ ବୈକୁଣ୍ଠ ନାଥ ଆଚାର୍ଯ୍ୟ, ସଭାପତି ନିଖିଳ ଓଡ଼ିଶା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘ; ସମ୍ମାନୀତ ଅତିଥି ଭାବେ ସମ୍ମିଳନୀରେ ଉଦବୋଧନ ଦେଇ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟାର ଆଶୁ ସମାଧାନ ପାଇଁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
ଏହି ସମ୍ମଳିନୀରେ ସମଗ୍ର ଓଡ଼ିଶାରୁ ୧୫୦ ପେନସନ୍ ଭୋଗୀ ଓ ପାରିବାରିକ ପେନସନ୍ ଭୋଗୀ ଯୋଗଦେଇଥିଲେ । ଅଭ୍ୟର୍ଥନା ସମିତିର ସଂପାଦକ ମନମୋହନ ମହାନ୍ତି ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ସଂଘର ସାଧାରଣ ସମ୍ପାଦକ ନିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମିଳନୀରେ ପେନସନ୍ ସଂଶୋଧନ ଦାବି ସହିତ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ମାନଙ୍କ ପାଇଁ ଲାଗୁ ହେଉଥିବା ସ୍ୱାସ୍ଥ୍ୟବୀମା ଯୋଜନାର ପ୍ରିମିୟମ୍ ଉପରୁ ଦ୍ରବ୍ୟ ଓ ସେବାକର ସଂପୂର୍ଣ୍ଣ ରୂପେ ଉଚ୍ଛେଦ କରିବା ଏବଂ ଅବସରପ୍ରାପ୍ତ କର୍ମଚାରୀ ସଂଘର କର୍ମକର୍ତା ମାନଙ୍କ ସହିତ ଭାରତୀୟ ବ୍ୟାଙ୍କ ସଂଘ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ କରିବା ଇତ୍ୟାଦି ଦାବିଗୁଡ଼ିକ ଉପରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ମାନ ଗ୍ରହଣ କରାଯାଇଥିଲା ।
ଆଗାମୀ ୩ବର୍ଷ ପାଇଁ ନିମ୍ନଲିଖିତ ସଦସ୍ୟା/ସଦସ୍ୟମାନେ ସଂଘର କର୍ମକର୍ତା ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ନିରଞ୍ଜନ ମିଶ୍ର, ସଭାପତି; ଗୌରୀଶଙ୍କର ପଟ୍ଟନାୟକ ଓ ଜୟପ୍ରକାଶ ବାସା ଉପସଭାପତି; ବିନୟ କୁମାର ସାହୁ ସାଧାରଣ ସଂପାଦକ; ମନମୋହନ ମହାନ୍ତି ଓ ଶ୍ୟାମା ପ୍ରସାଦ ମହାନ୍ତି ଉପସାଧାରଣ ସମ୍ପାଦକ; ଶ୍ରୀମତୀ ପ୍ରେମଲତା ଖୁଂଟିଆ, କୃଷ୍ଣଚନ୍ଦ୍ର ପଣ୍ଡା, ଶରତ କୁମାର ନାୟକ, ଭିକାରୀ ଚରଣ ଗଡ଼ନାୟକ, ପ୍ରବୀର କୁମାର ଜେନା, ଫକୀରମୋହନ ଘୋଷ ଓ ସୁଧିର କୁମାର ଦାସ ସହ ସାଧାରଣ ସମ୍ପାଦକ ଏବଂ ଉଟ୍ଟି ନାଗେଶ୍ୱର ରାଓ କୋଷାଧ୍ୟକ୍ଷ । ଏତଦ୍ ବ୍ୟତୀତ କାର୍ଯ୍ୟକାରୀ କମିଟିକୁ ୧୬ ଜଣ ସଭ୍ୟା/ସଭ୍ୟ ନିର୍ବାଚିତ ହୋଇଥିଲେ ।