# ୨୦୩୦ ସୁଦ୍ଧା ଶୂନ ଏଡସ୍ ସଂକ୍ରମଣ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମହାଲିଙ୍ଗ
# ଛାତ୍ରଛାତ୍ରୀମାନେ ସଚେତନ ହେଲେ ସମାଜ ସଚେତନ ହେବ ଏବଂ ଏଡସ୍ ପ୍ରତିହତ ହେବ : ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମହାଲିଙ୍ଗ
ଭୁବନେଶ୍ୱର, ୦୧/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜନସ୍ୱାସ୍ଥ୍ୟ ପାଇଁ ବିପଦ ଭାବେ ଉଭା ହୋଇଥିବା ଏଚ.ଆଇ.ଭି/ ଏଡସ୍ ସଂକ୍ରମଣକୁ ଆସନ୍ତା ୨୦୩୦ ସୁଦ୍ଧା ଶୂନ କରିବାକୁ ରାଜ୍ୟ ସରକାରଙ୍କ ସହ ସମସ୍ତେ ସଂକଳ୍ପବଦ୍ଧ ହୋଇ ଜନସଚେତନତାକୁ ବ୍ୟାପକ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି ।
ସ୍ଥାନୀୟ ନୀଳାଚଳ ପଲିଟେକନିକଠାରେ ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି (ଓସାକ୍ସ) ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ଏଡସ୍ ଦିବସ ଆଜି ପାଳନ କରାଯାଇଛି । ଏହି ସମାରୋହରେ ମନ୍ତ୍ରୀ ଡ. ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଏଚ.ଆଇ.ଭି ର କାରଣ ଓ ନିରାକରଣ ସମ୍ପର୍କରେ ସଚେତନ ହେଲେ ସମାଜ ସଚେତନ ହେବ ଏବଂ ଆମେ ଏଡସ୍ କୁ ସମ୍ପୂର୍ଣ୍ଣ ପ୍ରତିହତ କରିପାରିବା । ଏହି ସଂକ୍ରମଣ ସହ ରହିଥିବା ଘୃଣା, ଭେଦଭାବକୁ ଦୂର କରିବା ଆମର ସାମୁହିକ ଦାୟିତ୍ୱ ଏବଂ ଏଥିପାଇଁ ଆମର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ସମସ୍ତ ସଂକ୍ରମିତ ବ୍ୟକ୍ତିବିଶେଷଙ୍କ ଅଧିକାରକୁ ସମର୍ଥନ କରୁଥିବା ନିୟମକୁ ପ୍ରେତ୍ସାହନ ଦେବା ଜରୁରୀ । କେହି ବି ସଂକ୍ରମିତ କିମ୍ବା ସଂକ୍ରମଣର ଆଶଙ୍କା ଥିବା ବ୍ୟକ୍ତି ତାଙ୍କ ଅଧିକାରରୁ ବଂଚିତ ନହୁଅନ୍ତୁ, ସେଥିପାଇଁ ଆଜିର ଦିନରେ ସମସ୍ତଙ୍କୁ ସଂକଳ୍ପ ନେବାକୁ ସେ ଆହ୍ୱାନ କରିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵତୀ ଏସ କହିଥିଲେ ଯେ ସଂପ୍ରତି ରାଜ୍ୟର ସବୁ ଜିଲାରେ ଏଡସ ସଂକ୍ରମିତ ଅଛନ୍ତି। ଏଡସ୍ ସଂକ୍ରମିତମାନେ ଭେଦଭାବ ଯୋଗୁ ସମାଜ ସହିତ ଲଢୁଥିଲାବେଳେ ଅନ୍ୟ ରୋଗୀମାନେ ନିଜ ରୋଗ ସହ ହିଁ କେବଳ ଲଢନ୍ତି । ତେଣୁ ଏଡସର ଭୟାବହତା ଅଧିକ । ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ସଚେତନତାକୁ ଆହୁରୀ ବ୍ୟାପକ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ଏହି ଅବସରରେ ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶକ ଡା. ସନ୍ତୋଷ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସହ ରାଜ୍ୟରେ ବର୍ତମାନର ସ୍ଥିତି ବିଷୟରେ ଅବଗତ କରାଇଥିଲେ ।
ସମାରୋହରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡା. ଜିତେନ୍ଦ୍ର ନାଥ ବେବର୍ତ୍ତା, ବିଭାଗୀୟ ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ର, ଡା. ନୀଳକଣ୍ଠ ମିଶ୍ର, ଡା. ଅମରେନ୍ଦ୍ର ମହାନ୍ତି ସମେତ ସ୍ୱାସ୍ଥ୍ୟ ବିଭାଗ ଏବଂ ଓସାକ୍ସର ଅଧିକାରୀ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ଓସାକ୍ସର ୱେବସାଇଟ ଏବଂ ନ୍ୟୁଜଲେଟର ଉନ୍ମୋଚିତ ହୋଇଥିଲା । ସଚେତନତାକୁ ଅଧିକ ତୀବ୍ରତର କରିବା ପାଇଁ ନାକୋ ପ୍ରାୟୋଜିତ ଦୁଇ ମାସିଆ ସଚେତନତା କାର୍ଯ୍ୟକ୍ରମରେ ସର୍ବାଧିକ ଗ୍ରାମକୁ ସାମିଲ କରିଥିବା ଜିଲାଗୁଡିକ ମଧ୍ୟରେ ଗଂଜାମ, ଖୋର୍ଦ୍ଧା ଏବଂ ବାଲେଶ୍ୱର ଜିଲାକୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଆଜି ସକାଳେ ରାଜଧାନୀର ବିଭିନ୍ନ ସ୍କୁଲ ଓ କଲେଜମାନଙ୍କରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ ରଂଗୋଲି, ସାଧାରଣ ଜ୍ଞାନ, ଧଳା ଛତାରେ ଚିତ୍ରାଙ୍କନ ଭଳି ପ୍ରତିଯୋଗୀତା କରାଯାଇ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ରେଡ ରିବନର ଏକ ମାନବ ଶୃଙ୍ଖଳକରି ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ।
ରାଜ୍ୟ ତମାମ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଛି । ରାଜ୍ୟର ୭୦୦ କଲେଜ ଏବଂ ୮୦୦ ସ୍କୁଲରେ ଥିବା ରେଡ ରିବନ କ୍ଲବମାନଙ୍କ ଦ୍ୱାରା ରେଡକ୍ରସ ସହଯୋଗରେ ତିନି ଦିନ ବ୍ୟାପୀ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ ପୂର୍ବକ ଏହି ଦିବସ ପାଳନ କରାଯାଉଛି । ସବୁ ଜିଲାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ୨୦୦୨ ମସିହାରୁ ଏ ପର୍ଯ୍ୟନ୍ତ ୫୦ ହଜାରରୁ ଉର୍ଦ୍ଧ୍ୱ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରେ ସର୍ବାଧିକ ୧୯୧୫୫ ଜଣ ପଜିଟିଭ ଏବଂ ସୋନପୁର ଜିଲାରେ ସର୍ବନିମ୍ନ ୧୪୬ ଜଣ ଚିହ୍ନଟ ହୋଇଛନ୍ତି ।
-0-
ସୌରଭ ପ୍ରଧାନ, ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ