ସେବା ପ୍ରଦାନକାରୀ ସଂସ୍ଥା ଦ୍ୱାରା ନିୟୋଜିତ ଡାକ୍ତର/ ବିଶେଷଜ୍ଞ/ କର୍ମଚାରୀମାନଙ୍କ ଯୋଗ୍ୟତା ପ୍ରମାଣପତ୍ର ଇତ୍ୟାଦି ଯାଞ୍ଚ ଓ ତଦାରଖ

ଭୁବନେଶ୍ୱର, ୨/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରାଥମିକ/ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ପରିଚାଳନା ଏବଂ ନିର୍ଦ୍ଧାରିତ ସ୍ତରରେ ଡାଇଲିସିସ୍‌, ସିଟି ସ୍କାନ୍‌ ଓ ଏମ୍‌ଆର୍‌ଆଇ ଭଳି ପରୀକ୍ଷଣ ସେବା ତଥା ସୁବିଧା ଘରୋଇ ପ୍ରତିଷ୍ଠାନ ସହ ସହଭାଗିତା ଭିତ୍ତିରେ ସଂପନ୍ନ ହେଉଛି ଏବଂ ଏଥି ପାଇଁ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଡାକ୍ତର/ ବିଶେଷଜ୍ଞ/ ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କୁ ନିୟୋଜିତ କରିଛନ୍ତି । ସେହି ଡାକ୍ତର ତଥା କର୍ମଚାରୀମାନଙ୍କ ଯୋଗ୍ୟତା ଏବଂ ସେବାର ଗୁଣବତ୍ତାର ଆମୂଳଚୂଳ ଯାଞ୍ଚ ଓ ତଦାରଖକୁ ମଧ୍ୟ ସୁନିଶ୍ଚିତ କରାଯାଇଛି ।

          ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଯାଞ୍ଚ ଓ ତଦାରଖ ଦାୟିତ୍ୱ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜନସ୍ୱାସ୍ଥ୍ୟ ଅଧିକାରୀ ଏବଂ ନିର୍ଦ୍ଦେଶକମାନଙ୍କ ଉପରେ ନ୍ୟସ୍ତ କରାଯାଇଛି । ସେମାନେ ସେବା ପ୍ରଦାନକାରୀ ସଂସ୍ଥା ଦ୍ୱାରା ନିୟୋଜିତ ଡାକ୍ତର/ ବିଶେଷଜ୍ଞ/ କର୍ମଚାରୀମାନଙ୍କ ଯୋଗ୍ୟତା ପ୍ରମାଣପତ୍ର ଇତ୍ୟାଦି ଯାଞ୍ଚ ଓ ତଦାରଖ କରି ସପ୍ତାହକ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନୁରୂପ ଭାବରେ ସେବା ପ୍ରଦାନକାରୀ ଡାକ୍ତର ଓ ବିଶେଷଜ୍ଞମାନେ ମଧ୍ୟ ସେମାନଙ୍କ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ/ ନିର୍ଦ୍ଦେଶକମାନଙ୍କ ପାଖରେ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ଯାଞ୍ଚ ଓ ତଦାରଖ କାର୍ଯ୍ୟରେ ସାମିଲ ହେବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *