ଆଳୁ ସମସ୍ୟାର ଜରୁରୀ ସମାଧାନ ପାଇଁ ଦାବି ।

ଭୁବନେଶ୍ୱର,୨୮/୧୧/୨୦୨୪ (ଓଡ଼ିଶା ସମାଚାର)- ଗତକାଲି ରାତିରୁ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଓଡ଼ିଶାକୁ କୌଣସି ଆଳୁ ଟ୍ରକ ଛାଡ଼ୁନାହାଁନ୍ତି । ଫଳରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ବେଲବା ଠାରେ ଓଡ଼ିଶା ଅଭିମୁଖେ ଶହ ଶହ ଆଳୁ ଟ୍ରକ ଠିଆ ହୋଇଛି ଓ ପଶ୍ଚିମବଙ୍ଗ ପୋଲିିସ୍ ଆଳୁ ଟ୍ରକକୁ ଜଗି ରହିଛି । ପଶ୍ଚିମବଙ୍ଗଳାରୁ ଓଡ଼ିଶାକୁ ଆଳୁ ଆସିବା ବନ୍ଦ ହେବା ସମ୍ବାଦ ପ୍ରଚାର ହେବାକ୍ଷଣି ହଠାତ୍ ଓଡ଼ିଶା ବଜାରରେ ଆଳୁ ଦର ବଢ଼ିଯିବା ସଂଗେ ସଂଗେ କଳାବଜାରୀର ଆଶଙ୍କା ଦେଖାଦେଲାଣି । ‘ଆଳୁ’ ସାଧାରଣ ଖାଉଟିଙ୍କର ଏକ ନୀତିଦିନିଆ ଖାଦ୍ୟ । ପଶ୍ଚିମବଙ୍ଗ ଆଳୁ ଦେବାକୁ ମନା କରିଦେଲେ ଓଡ଼ିଶାବାସୀଙ୍କ ପଖାଳ କଂସାରୁ ଆଳୁ ଉଭାନ୍ ହୋଇଯାଏ । ଆଳୁ ସମସ୍ୟା ଯୋଗୁଁ ବାରମ୍ବାର ଓଡ଼ିଶାର ଖାଉଟିମାନେ ଦରବୃଦ୍ଧି ଓ ଶୋଷଣ ଶିକାର ହେଉଛନ୍ତି ଏବଂ ଆଳୁର କଳାବଜାର ହେବା ଫଳରେ ସରକାର ମଧ୍ୟ ହୀନସ୍ତା ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନିଜେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆଳୁ ସମସ୍ୟା ସମାଧାନ ପାଇଁ କଥା ହୁଅନ୍ତୁ । ବଜାରରେ କିଭଳି ଆଳୁ ଦର ନ ବଢିବ ଏବଂ ଆଳୁର କଳଳାବଜାରୀକୁ ରୋକାଯାଇପାରିବ, ସେ ଦିିଗରେ ତୁରନ୍ତ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରି ଆଳୁ ସମସ୍ୟାର ସମାଧାନ କରିବାକୁ ଓଡ଼ିଆ ଅସ୍ମିତା ପରିଷଦ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖି ଦାବି କରିଛି । ଏହାବ୍ୟତୀତ ଆଗାମୀ ଦିନରେ କିଭଳି ଏହିପ୍ରକାର ସମସ୍ୟାକୁ ଏଡାଇ ଦିଆଯାଇପାରିବ, ସେଥିପାଇଁ ଆଳୁଚାଷକୁ ଅଧିକ ଗୁରୁତ୍ୱ ଦେଇ ମିଶନ ମୋଡ୍ ରେ ଏହିବର୍ଷଠାରୁ କାମ ଆରମ୍ଭ କରିବାକୁ ମଧ୍ୟ ପରିଷଦ ଦାବି କରିଥିବା ପରିଷଦ ର ଆବାହକ ରବୀନ୍ଦ୍ର ନାଥ ବେହେରା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *