ସହରର ସୌନ୍ଦର୍ୟ୍ୟକରଣ ନିମନ୍ତେ ବଜାର କମିଟି ସଦସ୍ୟ ଙ୍କ ସହ ଜିଲ୍ଲା ପ୍ରଶାସନ ର ଆଲୋଚନା

ଜଗତସିଂହପୁର, ୩୦/୦୫/୨୦୨୬ (ଓଡ଼ିଶା ସମାଚାର)- : ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ନିୟନ୍ତ୍ରିତ ବଜାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପସ୍ଥିତ ରହି  ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ କହିଲେ ଯେ, ଜଗତସିଂହପୁର ସହର ର ରାସ୍ତା ର ଚଉଡ଼ା ଖୁବ୍ କମ। ଏଥିସହିତ ଅନେକ ଜାଗା ଜବରଦଖଲ ରେ ରହିଛି। ସହର ର ସୌନ୍ଦର୍ୟ୍ୟକରଣ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ। ନିକଟରେ ପୁରୋହିତପୁର ଛକ ଠାରେ ହୋଇଥିବା ଜବରଦଖଲ କୁ ନେଇ ବିଧାୟକ କହିଲେ ଯେ, କୌଣସି ଗରୀବ ଲୋକ ପେଟରେ ନାତ ମାରିବା ପ୍ରଶାସନ ର ଉଦ୍ଦେଶ୍ୟ ନୁହେଁ ବରଂ ଜନସାଧାରଣ ଙ୍କ ସୁବିଧା ଓ ଜିଲ୍ଲାର ଉନ୍ନତି ନିମନ୍ତେ ଉପଯୁକ୍ତ ନୋଟିସ ସହିତ ରାସ୍ତା ଉପରେ ବେଆଇନ ଦଖଲ କୁ ଉଚ୍ଛେଦ କରାଯାଇଛି। ଆଗକୁ ରଜ ପର୍ବ ଆସୁଥିବାରୁ ସେପର୍ଯ୍ୟନ୍ତ ଉଠା ଦୋକାନୀ ଙ୍କ ପ୍ରତି ସମ୍ବେଦନଶୀଳ ରହି କିଛିଦିନ ସମୟ ଦେବାକୁ ସେ ଜିଲ୍ଲାପାଳ ଙ୍କୁ ପରାମର୍ଶ ଦେଇଥିଲେ। ପୌର ପ୍ରଶାସନ ଭେଣ୍ଡିଂ ଜୋନ୍ କରି ଆଗାମୀ ଦିନରେ ଥଇଥାନ ଵ୍ୟଵସ୍ଥା କରିବାକୁ କହିଥିଲେ।ବକ୍ସ କଲ୍ଭର୍ଟ ଉପରେ ପାର୍କିଂ ବ୍ୟବସ୍ଥା ଓ ଠେଲା ଗାଡ଼ି ବିକାଳୀ ଙ୍କ ପାଇଁ ବ୍ୟବସ୍ଥା କରିବା, କଲ୍ଭର୍ଟ ରୁ ମୁଖ୍ୟରାସ୍ତା କୁ ସିଧାସଳଖ ଖୋଲିଥିବା ରାସ୍ତା କୁ ବନ୍ଦ କରି ବ୍ୟବଧାନ ରେ କରିବା ପାଇଁ ବିଧାୟକ ପ୍ରସ୍ତାବ ଦେଇଥିଲେ।

ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ମଧ୍ୟ ବିଧାୟକ ଙ୍କ ପ୍ରସ୍ତାବ ରେ ସହମତି ରଖି ଆଗାମୀ ରଜ ପର୍ବ ପର୍ଯ୍ୟନ୍ତ ଉଚ୍ଛେଦ ବନ୍ଦ ରହିବ ବୋଲି କହିଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ପ୍ରଶାସନ ପକ୍ଷରୁ ମାଇକିଂ, ସଚେତନତା ନୋଟିସ କରାଯିବ ଏବଂ ରଜ ପରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହେବ। ସରକାରୀ ଜାଗାରେ ଜବରଦଖଲ ପାଇଁ ଶୁନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ। ଜିଲ୍ଲା ତଥା ଜିଲ୍ଲାବାସୀ ଙ୍କ ଉନ୍ନତି ପାଇଁ ପ୍ରଶାସନ ସର୍ବଦା ତତ୍ପର।ଓଡ଼ିଶାରେ ବାର ମାସ ରେ ତେର ପର୍ବ। ତେଣୁ ଜନସାଧାରଣ, ଜନ ପ୍ରତିନିଧି ଓ ପ୍ରଶାସନ ର ମିଳିତ ସହଯୋଗ ରେ ଉନ୍ନତିମୂଳକ କାର୍ଯ୍ୟ କରାଯାଇ ପାରିବ ବୋଳି ଜିଲ୍ଲାପାଳ କହିଥିଲେ। ବିଭିନ୍ନ ଜାଗାରେ ପାର୍କିଂ ନୋ ପାର୍କିଂ ଜୋନ୍ ଚିହ୍ନଟ ଓ ସୋନ୍ଦର୍ଜିକରଣ ପାଇଁ ସେ ପୌର ପ୍ରଶାସନ କୁ ନିର୍ଦ୍ଦେଶ ଦେଇଥିଲେ।

ଭେଣ୍ଡିଂଯୋନ ନିର୍ମାଣ ଓ ନିର୍ମାଣ ସମୟରେ ବୁଦ୍ଧିଜୀବି ତଥା ଭେଣ୍ଡର ମାନଙ୍କ ପରାମର୍ଶ ନେଇ ସେମାନଙ୍କ ଆବଶ୍ୟକତା କୁ ଦୃଷ୍ଟି ରେ ରଖି ଏହାର ନିର୍ମାଣ ଶୈଳୀ ଓ କାର୍ଯ୍ୟ କରିବା, ଭେଣ୍ଡର ମାନଙ୍କର ଏକ ଲିଷ୍ଟ୍ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଡିମାର୍କେଶନ ପ୍ରକ୍ରିୟା କୁ ଉପ ଜିଲ୍ଲାପାଳ, ତହସିଲଦାର ଓ  ଇଓ ଙ୍କ ତତ୍ତ୍ୱାବଧାନ ରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ସ୍ଥଳେ ଅଲଗା ତହସିଲ ରୁ ଅମିନ ଆଣି ମପିବାକୁ ମଧ୍ୟ୍ୟ ଉପଦେଶ ଦେଇଥିଲେ, ମାତ୍ର ସଠିକ୍ ଡିମାର୍କେଶନ କୁ ଗୁରୁତ୍ୱ ଦେବାକୁ କହିଥିଲେ। ମଦ ଦୋକାନ ଉଚ୍ଛେଦ, ଗୋଶାଳା ନିର୍ମାଣ, ରାସ୍ତା ବର୍ଦ୍ଧିକରଣ ଓ ସୋନ୍ଦର୍ଯିକରଣ ଉପରେ ଗୁରୁତତ୍ୱାରୋପ କରିଥିଲେ। ଜବରଦଖଲକାରୀ ଙ୍କୁ ପ୍ରଥମେ ନୋଟିସ କରାଯିବ ଓ ତାପରେ ନମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାସ୍ତାରେ ଗାଡ଼ି ପାର୍କିଂ କରୁଥିବା ଲୋକଙ୍କ ପାଇଁ ଅଭିନବ ଉପାୟରେ ପାର୍କିଂ ହଟାଇବାକୁ ପଦକ୍ଷେପ ନିଆଯିବ। ଦିନବେଳା ଭାରି ଯାନ, ବାଲିଗାଡି ପ୍ରବେଶ ଉପରେ କଟକଣା କୁ କଠୋର କରାଯିବ ସହ ବିଭାଘର, ପର୍ବ ପର୍ବାଣୀ ସମୟରେ ପୋଲିସ ଟିମ୍ ମୁତୟନ ନେଇ ଆଲୋଚନା ହୋଇଥିଲା। ଲୋକମାନେ ସଚେତନ ହେଲେ ସମସ୍ୟା ଅନେକ ମାତ୍ରା ରେ ସୁଧୁରିପାରିବ ବୋଲି ଜିଲ୍ଲାପାଳ ଆଶା ପୋଷଣ କରିଥିଲେ।

ବୈଠକ ରେ ଉପସ୍ଥିତ ରହି ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା କହିଲେ ଯେ ସମସ୍ତଙ୍କ ପରାମର୍ଶ ରେ ଜିଲ୍ଲା ରେ ଉନ୍ନତିମୂଳକ କାର୍ଯ୍ୟ କରାଯିବ। ସହର ର ରାସ୍ତା ଅନେକ ନାରୋ ଓ ତା ଉପରେ ବେଆଇନ ପାର୍କିଂ ଟ୍ରାଫିକ ସମସ୍ୟା ବଢ଼ାଉଛି।ଏଥିପ୍ରତି ନିଜର ନୈତିକ ଦାୟିତ୍ୱ ପାଳନ କରିବା କୁ ସେ ପରାମର୍ଶ ଦେଇଥିଲେ।

ସଭାରେ ଉପସ୍ଥିତ କମିଟି ସଦସ୍ୟ ମାନେ ମଧ୍ୟ ନିଜ ନିଜର ବକ୍ତବ୍ୟ ଓ ମତାମତ ରଖିଥିଲେ। ଗାନ୍ଧୀ ଛକ ନିକଟରେ ଭେଣ୍ଡିଂଜୋନ ନିର୍ମାଣ, ବକ୍ସ କଳ୍ଭର୍ଟ କୁ ଉଠାଦୋକାନୀ ଓ ପାର୍କିଂ ପାଇଁ ବ୍ଯବହାର, ବିଦ୍ୟୁତ୍ ଖୁଣ୍ଟ କୁ ମୁଖ୍ୟ ରାସ୍ତାରୁ ହଟାଇବାକୁ ବ୍ୟବସ୍ଥା, ବାଲିଗାଡି  କଟକଣା, ପାର୍କିଂ ଜୋନ୍ ଚିହ୍ନଟ, ମେଡିକାଲ ରୋଡ, ରଶ୍ମୀ ହଲ୍ ଛକ ଠାରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ଆଦି ବିଷୟରେ ସମୀକ୍ଷାତ୍ମକ ଆଲୋଚନା ହୋଇଥିଲା। ଏହି ବୈଠକରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ନିର୍ବାହୀ ଅଧିକାରୀ ପୌର ପରିଷଦ ଶ୍ରୀ ସନ୍ଦୀପ ସିଂହ, ବଜାର କମିଟି ସଦସ୍ୟ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।

Leave a Reply

Your email address will not be published. Required fields are marked *