ଭୁବନେଶ୍ୱର,୨୭/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ୫୫ ତମ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ(ଆଇଏଫ୍ଏଫ୍ଆଇ) ଇଣ୍ଡିଆନ୍ ପାନୋରମା ୨୦୨୪ ରେ ସାମିଲ ହୋଇଥିବା ଓଡିଆ ପ୍ରାମାଣିକ ଚଳଚିତ୍ର “ମୋ ବୋଉ ମୋ ଗାଁ” ଓଡ଼ିଶା ରେ ପ୍ରଦର୍ଶୀତ ହେବ ଦଶମ ବୋଉ ଦିବସ ପାଳନ ଅବସରରେ ଜାନୁଆରୀ ୨’ ତାରିଖ ଦିନ ଭୁବନେଶ୍ୱର ଜୟଦେବ ଭବନ ରେ ।
ବୋଉ ଫାଉଣ୍ଡେସନ ର ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କ ରେ ଘୋଷଣା କରିଛନ୍ତି ନିଜେ ଫିଲ୍ମ ର ନିର୍ଦ୍ଦେଶକ ଶ୍ରୀ ସୁବାଷ ସାହୁ । ଆଜିର ଦୁନିଆ ସଂସ୍କୃତି, ପରମ୍ପରା, ଗାଁ ଓ ବୋଉଠୁ ଦୂରେଇ ଯାଉଥିବା ବେଳେ ତାକୁ ଜାବୁଡି ଧରି ରଖିବାର ଏକ କ୍ଷୁଦ୍ର ପ୍ରୟାସ କରାଯାଇଛି ଫିଲ୍ମରେ । ଯେଉଁଥିରେ ଆମ ଅତୀତ ଆଉ ଆମ ଗାଁ ଦିଶିବ । ବୋଉ…ବୋଉ…ଡାକ ଶୁଭିବ । ସଂସ୍କୃତି ଓ ପରମ୍ପରାକୁ ନିକଟରୁ ଜାଣିବାର ସୁଯୋଗ ମିଳିବ । ଏଥିପାଇଁ ଦିନେ କି ମାସେ ନୁହେଁ, ଦୀର୍ଘ ୧୮ ବର୍ଷ ସମୟ ଲାଗିଥିଲା ବୋଲି ନିର୍ଦ୍ଦେଶକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ୨୦୦୬ ମସିହାରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା, ଯାହା ଚଳିତ ବର୍ଷ ଆରମ୍ଭରେ ଶେଷ ହୋଇଥିଲା। ୬୩ ମିନିଟ୍ ଅବଧିର ଏହି ଫିଲ୍ମର ୧୮ ବର୍ଷର ସୁଟିଂ ନିର୍ଦେଶକ ଶ୍ରୀ ସାହୁଙ୍କ ଗାଁ କେନ୍ଦ୍ରାପଡା ବଲୁରିଆ ଓ ଭୂବନେଶ୍ଵରରେ କରାଯାଇଛି ।
ସୂଚନାଯୋଗ୍ୟ ଯେ, ୫୫ ତମ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ(ଆଇଏଫ୍ଏଫ୍ଆଇ) ଇଣ୍ଡିଆନ୍ ପାନୋରମା ୨୦୨୪ ରେ ସାମିଲ ହୋଇଥିବା ଏଇ ଓଡିଆ ଚଳଚିତ୍ର ଅଣ ଫିଚର ବର୍ଗରେ ପ୍ରଦର୍ଶନ ଲାଗି ମନୋନୀତ ୨୦ଟି ଚଳଚିତ୍ର ମଧ୍ୟରେ ୧୩ ନମ୍ବର ସ୍ଥାନ ପାଇଥିଲା । ଓଡିଆ ପୁଅ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବିଶିଷ୍ଟ ସାଉଣ୍ଡ୍ ଇଞ୍ଜିନିୟର୍ ଶ୍ରୀ ସୁବାସ ସାହୁ ଏ ଫିଲ୍ମ ଟିର ସ୍ରଷ୍ଟା ଏବଂ ନିଜେ ନିର୍ଦ୍ଦେଶକ । ଫିଲ୍ମର ସମ୍ପାଦନା ସହ ପ୍ରଯୋଜନା କରିଛନ୍ତି ‘ଓ ମାଇଁ ଗଡ୍-୨’ର ସମ୍ପାଦକ ସୁଭୀର ନାଥ । ପ୍ରଯୋଜନା କରିଛନ୍ତି ନିର୍ଦେଶକ ଶ୍ରୀ ସାହୁଙ୍କ ପତ୍ନୀ ସୁପ୍ରଭା ସାହୁ । ସିନେମାଟି ଗତ ସେପ୍ଟେମ୍ୱର ମାସରେ ଅନୁଷ୍ଠିତ ୧୫ତମ ଚିକାଗୋ ସାଉଥ୍ ଏସିଆନ୍ ଫିଲ୍ମ ଫେଷ୍ଟିଭାଲ-୨୦୨୪ ଲାଗି ଅଫିସିଆଲ ମନୋନୀତ ହୋଇ ପ୍ରଦର୍ଶିତ ସହ ପ୍ରଶଂସା ସାଉଁଟିଥିଲା । ସେହିପରି ମୁମ୍ବାଇ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଥିଲା ।
ଆଜିର ବୋଉ ଫାଉଣ୍ଡେସନ ସାମ୍ବାଦିକ ସମ୍ମିଳନୀ ରେ ଫାଉଣ୍ଡେସନ ର ପ୍ରେରଣା ଡାକ୍ତର ମହାପାତ୍ର, ଅଧ୍ୟାପକ ବିଶ୍ୱରଂଜନ, ଦାଶ ବେନହୁର, ଡ଼ଃ. ପ୍ରମୋଦ ପରିଡ଼ା, ଜ୍ଞାନ ହୋତାଙ୍କ ସମେତ ବୋଉ ଫାଉଣ୍ଡେସନ ର ବହୁ ଶୁଭେଛୁଙ୍କ ଗହଣରେ ବିଶିଷ୍ଟ ଓଡ଼ିଆ ସିନେ ନିର୍ମାତା, ନିର୍ଦ୍ଦେଶକ ଶ୍ରୀ ସବ୍ୟସାଚୀ ମହାପାତ୍ର “ମୋ ଗାଁ ମୋ ବୋଉ” ଫିଲ୍ମ ପ୍ରୟାସ ଓ ନିର୍ମାଣ ପାଇଁ ଶ୍ରୀ ସୁବାଷ ସାହୁ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।