ଭୁବନେଶ୍ୱର, ୧୯/୧୨/୨୦୨୪ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଆଜି ୟୁନିଟ୍-୪ସ୍ଥିତ ଭୌମନଗର ଦୁର୍ଗାପୂଜା ମଣ୍ଡପ ପଡ଼ିଆରେ ବିଏମସି ୩୬ ନମ୍ବର ୱାର୍ଡରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀଙ୍କୁ ଶୀତବସ୍ତ୍ର କମ୍ବଳ ବଂଟନ କରାଯାଇଥିଲା । ବିଏମସି ୩୬ ନମ୍ବର ୱାର୍ଡ କର୍ପୋରେଟର ଅଲିଅଳି ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କମ୍ବଳ ବଂଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ସମସ୍ତ ସଫେଇ କର୍ମଚାରୀଙ୍କୁ ଉତରୀୟ ଓ କମ୍ବଳ ବଂଟନ କରିଥିଲେ । ନିଜ ଅଭିଭାଷଣରେ ମାନ୍ୟବର ବିଧାୟକ ଶ୍ରୀ ଜେନା ସଫେଇ କର୍ମଚାରୀଙ୍କ ନିଷ୍ଠାପର ସେବା ଓ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଭୁବନେଶ୍ୱର ଆଜି ସାରା ଦେଶରେ ଏକ ନମ୍ବର ନିର୍ମଳ ସହର ଭାବେ ଖ୍ୟାତି ଅର୍ଜନ କରିପାରିଛି ବୋଲି କହିଥିଲେ । ସଫେଇ କର୍ମଚାରୀମାନେ କଠିନ ପରିଶ୍ରମ କରି ଶୀତ କାକରକୁ ଖାତିର ନ କରି ସହରକୁ ସଫା ସୁତରା ରଖୁଥିବାରୁ କର୍ପୋରେଟର ଅଲିଅଳି ମଲ୍ଲିକ ସେମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ । ଖୁବ୍ ଶୀଘ୍ର ନୂତନ ବର୍ଷରେ ୱାର୍ଡରେ ସମସ୍ତ ଗରିବ, ଅସହାୟ ଲୋକଙ୍କୁ କମ୍ବଳ ବଂଟନ କରାଯିବା ସହ ସମସ୍ତ ବସ୍ତୀବାସିନ୍ଦାଙ୍କୁ ବିନା ମୂଲ୍ୟରେ ଚକ୍ଷୁ, ଦାନ୍ତ ଓ ଡାଇବେଟିସ୍ ପରୀକ୍ଷାର ତଥା ଚିକିତ୍ସା ଯୋଗାଇବା ପାଇଁ ହେଲଥ୍ କ୍ୟାମ୍ପ ଓ ରକ୍ତଦାନ ଶିବିର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ଅଛି ବୋଲି କର୍ପୋରେଟର ଶ୍ରୀମତୀ ମଲ୍ଲିକ ସୂଚନା ଦେଇଛନ୍ତି ।