ସମ୍ବିଧାନ ଦିବସ ପାଳିତ

ଜଗତସିଂହପୁର,୨୬/୧୧/୨୦୨୪(ଓଡ଼ିଶା ସମାଚାର)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ  କନିମୂଳ ସ୍ଥିତ ବାୟା ଅବଧୂତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ସମ୍ବିଧାନ ଦିବସ ମଙ୍ଗଳବାର ପୂର୍ବାହ୍ନରେ ପାଳନ କରାଯାଇଛି । ଆଇନ ସେବା ପ୍ରାଧୀକରଣ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ,ବରିଷ୍ଠ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଆଇନ ସେବା ପ୍ରାଧୀକରଣ ସଚିବ ଏହି ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିବା ସହ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ୨୦୧୫ ମସିହାରୁ ପ୍ରତ୍ୟେକ ବର୍ଷ ନଭେମ୍ବର ୨୬ କୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଏ । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତୀୟ ସମ୍ବିଧାନକୁ ଗ୍ରହଣ କରାଯାଇଥିଲା। କିନ୍ତୁ ୧୯୫୦ ମସିହା ଜାନୁଆରୀ ୨୬ରେ ଭାରତୀୟ ସମ୍ବିଧାନକୁ କାର୍ଯ୍ୟକାରୀ କରାଯାଇଥିଲା। ଭାରତୀୟ ସମ୍ବିଧାନ ହେଉଛି ବିଶ୍ୱର ସର୍ବବୃହତ୍ ଲିଖିତ ସମ୍ବିଧାନ। ଏଥିରେ ସମ୍ବିଧାନ ସଂଶୋଧନର ପ୍ରଣାଳୀ, ମୌଳିକ କର୍ତ୍ତବ୍ୟ, ମୌଳିକ ଅଧିକାର, ରାଜ୍ୟ ନୀତିର ନିର୍ଦ୍ଦେଶାନାମା, ସ୍ଵାଧୀନ ନ୍ୟାୟପାଳିକା, ଧର୍ମନିରପେକ୍ଷ ରାଷ୍ଟ୍ର, ଏକକ ନାଗରିକତା ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି । ଭାରତୀୟ ସମ୍ବିଧାନର ଡ୍ରାଫ୍ଟ କମିଟିର ଅଧ୍ୟକ୍ଷ ଥିଲେ ଡଃ ଭୀମ ରାଓ ଆମ୍ବେଦକର ଏବଂ ତାଙ୍କୁ ଭାରତୀୟ ସମ୍ବିଧାନର ଜନକ ଭାବେ କୁହାଯାଏ ବୋଲି ସଚିବ କହିଥିଲେ । ସେହିପରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଏବଂ ବରିଷ୍ଠ ଶିକ୍ଷୟତ୍ରୀ ସମ୍ବିଧାନ ଦିବସ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ଏହି ଦିବସ ଅବସରରେ ବିଦ୍ୟାଳୟର କିଛି ଛାତ୍ରଛାତ୍ରୀମାନେ ମଧ୍ୟ ସମ୍ବିଧାନ ଦିବସ ବିଷୟରେ ତାଙ୍କର ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave a Reply

Your email address will not be published. Required fields are marked *