ଜଳ, ଜଙ୍ଗଲ ଓ ଜମିକୁ ସୁରକ୍ଷା ଦେବା ଜରୁରୀ : ଜଙ୍ଗଲ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ
ଭୁବନେଶ୍ୱର, ୨୫/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବର୍ତ୍ତମାନ ମାନବ ସମାଜ ସାମ୍ନା କରୁଥିବା ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି ଜଳବାୟୁ ପରିବର୍ତ୍ତନ କିମ୍ବା ଗ୍ଲୋବାଲ ୱାର୍ମିଂ । ମାନବ ସମାଜ ଉପରେ ଏହାର ପରିଣାମ ଅତ୍ୟନ୍ତ ଉଦ୍ବେଗଜନକ ଏବଂ ଚାଷ ଓ ପରିବେଶ ଉପରେ ଏହାର ପ୍ରଭାବ ଯଥେଷ୍ଟ କ୍ଷତିକାରକ । ଜଳବାୟୁ ପରିବର୍ତ୍ତନର କୁପ୍ରଭାବରୁ ଜଳ, ଜଙ୍ଗଲ ଓ ଜମିକୁ ସୁରକ୍ଷା ଦେବା ଅତ୍ୟନ୍ତ ଜରୁରୀ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମତବ୍ୟକ୍ତ କରିଛନ୍ତି ।
ଆଜି ଭାରତୀୟ ବାଣିଜ୍ୟ ମହାସଂଘ(ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ) ଓଡ଼ିଶା ଶାଖା ଆନୁକୂଲ୍ୟରେ ଆୟୋଜିତ ଚତୁର୍ଥ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ସିଂ ଖୁଣ୍ଟିଆ କହିଲେ ଯେ ବିଶ୍ୱର ଅନ୍ୟ ସମସ୍ତ ଦେଶ ପରି ଭାରତ ମଧ୍ୟ ଜଳବାୟୁ ପରିବର୍ତ୍ତନ ବା ଗ୍ଲୋବାଲ ୱାର୍ମିଂର ଶୀକାର ହୋଇଛି । ବିନାଶକାରୀ ଉତ୍ତାପ, ପ୍ରବଳ ବର୍ଷା ଓ ବାରମ୍ବାର ବାତ୍ୟା ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଉଛି । ଓଡ଼ିଶା ମଧ୍ୟ ବହୁ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହୋଇଛି । ଓଡ଼ିଶାର କେତେକ ସହରର ବାୟୁ ଗୁଣବତ୍ତା ସୁଚକାଙ୍କ (ଏୟାର କ୍ୱାଲିଟି ଇଣ୍ଡେକ୍ସ) ମଧ୍ୟ ବିପଦଜନକ ସ୍ଥିତିରେ ପହଞ୍ଚିଛି । ତେଣୁ କାର୍ବନ ନିର୍ଗମନରେ ହ୍ରାସ ଅତ୍ୟାବଶ୍ୟକ ।
ଆମ ରାଜ୍ୟରେ ‘ଏକ୍ ପେଡ୍, ମା’କେ ନାମ’ ଅଭିଯାନରେ ୫ କୋଟି ୨୦ ଲକ୍ଷ ବୃକ୍ଷରୋପଣ ଦେଶରେ ସର୍ବାଧିକ ହୋଇପାରିଥିବା ଆଶ୍ୱାସନାର ବିଷୟ । ଅଧିକରୁ ଅଧିକ ଜଙ୍ଗଲ ସୃଷ୍ଟି କରାଯାଇ ପାରିଲେ ପରିବେଶ ପ୍ରଦୂଷଣକୁ ରୋକି ହେବ । ସମ୍ପ୍ରତି ଜମି ପୁନରୁଦ୍ଧାର ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ । ଦ୍ରୁତ ସହରୀକରଣ, ଶିଳ୍ପାୟନର ବିସ୍ତାର ଏବଂ ଖଣି ଖନନର ବୃଦ୍ଧି ଯୋଗୁଁ ଜମି ପୁନରୁଦ୍ଧାର କଷ୍ଟକର ହୋଇପଡ଼ୁଛି । ଜମିର ଅବକ୍ଷୟକୁ ରୋକିବା, ମୃତ୍ତିକାର ସ୍ୱାସ୍ଥ୍ୟରେ ଉନ୍ନତି ଓ ବର୍ଜ୍ୟବସ୍ତୁର ପ୍ରଭାବୀ ପରିଚାଳନା କରିବା ପାଇଁ ଆମେ ସମସ୍ତେ ପ୍ରତିବଦ୍ଧ ହେବା ଆବଶ୍ୟକ । କୃଷି, ପରିବହନ, ଇସ୍ପାତ ଓ ଖଣି ଏବଂ ଜଙ୍ଗଲ ବିଭାଗର ମିଳିତ ଉଦ୍ୟମରେ ରାଜ୍ୟରେ ସ୍ଥାୟୀ ଜଳବାୟୁ କାର୍ଯ୍ୟକ୍ରମ ସମ୍ଭବପର ହେବ ।
ବର୍ତ୍ତମାନ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବରେ ଉଭା ହୋଇଛି ଏବଂ ୨୦୩୦ ସୁଦ୍ଧା ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ନିର୍ମାଣର ଲକ୍ଷ୍ୟ ରଖିଛନ୍ତି । ପୂର୍ବୋଦୟର ଶ୍ରେଷ୍ଠ ରାଜ୍ୟ ହେବ ଓଡ଼ିଶା । ଏହି ବିରାଟ ଉପଲବ୍ଧି ହାସଲ କରିବାକୁ ହେଲେ ଆମକୁ ସମ୍ମିଳିତ ଭାବେ ଜଳବାୟୁ ପରିବର୍ତ୍ତନର ସଂକଟକୁ ମୁକାବିଲା କରିବା ପାଇଁ ପଡ଼ିବ, ଯଦ୍ଦ୍ୱାରା ଭବିଷ୍ୟତ ପିଢ଼ି ନ୍ୟାୟ ପାଇବେ ବୋଲି ଜଙ୍ଗଲ ମନ୍ତ୍ରୀ ମତ ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଉପମହାନିର୍ଦ୍ଦେଶକ ଶ୍ରୀ ଏ. ଟି. ମିଶ୍ର ଯୋଗଦେଇ କହିଲେ ଯେ ଜନସଂଖ୍ୟାର ଦ୍ରୁତ ବୃଦ୍ଧି ଯୋଗୁଁ ଆମ ଦେଶ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଅଧିକ ପ୍ରଭାବିତ ହେବାର ଆଶଂକା ରହିଛି । ଜମି ପୁନରୁଦ୍ଧାର, ଜଳ ଅଭାବ, ଖାଦ୍ୟ ନିରାପତ୍ତା ଆଦି ସମସ୍ୟା ଆଜି ଆହ୍ୱାନ ପାଲଟିଛି ଏବଂ ଏହା ଆଗାମୀ ଦଶଦ୍ଧି ମଧ୍ୟରେ ଏହି ସମସ୍ୟାସବୁ ଆହୁରି ତୀବ୍ର ହେବ । ତେଣୁ ଇକୋସିଷ୍ଟମ୍ରେ ଉନ୍ନତି, କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଉପରେ ଗୁରତ୍ୱାରୋପ କରାଯିବା ଦରକାର ।
ଶ୍ରୀ ପ୍ରେମ କୁମାର ଝା, ନିର୍ଦ୍ଦେଶକ, ପରିବେଶ ତଥା ସ୍ୱତନ୍ତ୍ର ଶାସନ ସଚିବ, ଡ. କେ. ମୁରୁଗେସନ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ, ଡ. ଏନ୍. ଆର୍. ସାହୁ, ସଂଯୋଜକ, ଇଏସ୍ଏଚ୍ କମିଟି, ଆଇସିସି ଓଡ଼ିଶା ରାଜ୍ୟ ପରିଷଦ, ଶ୍ରୀ ରାଜୀବ ସାହୁ, ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ, ଶ୍ରୀ ରାଜେଶ କାନୁନ୍ଗୋ, ସଦସ୍ୟ, ଇଏସ୍ଏଚ୍ କମିଟି, ଆଇସିସି ଓଡ଼ିଶା ରାଜ୍ୟ ପରିଷଦ, ଏସ୍ଏନ୍ଏମ୍ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରବୋଧ ମହାନ୍ତି, ଡ. ମଳୟ କୁମାର ପ୍ରଧାନ, ଉପ ନିର୍ଦ୍ଦେଶକ, କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ପ୍ରମୁଖ ଯୋଗଦେଇ ନିଜ ନିଜର ସୁଚିନ୍ତିତ ପରାମର୍ଶ ଦେଇଥିଲେ ।
-0-
ମାନସ ରଞ୍ଜନ ଖୁଣ୍ଟିଆ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ