ପଛୁଆବର୍ଗଙ୍କ ବିକ୍ଷୋଭ , ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର
ଭୁବନେଶ୍ୱର,୨୫/୧୧/୨୦୨୪ (ଓଡ଼ିଶା ସମାଚାର)- ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନରେ ସାମାଜିକ ନ୍ୟାୟ ଓ ଓବିସି ସଂରକ୍ଷଣ ନେଇ ବିଜେପି ଦଳ ନିର୍ବାଚନ ଇସ୍ତାହାରରେ ସେହି ରାଜ୍ୟବାସୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲା । ଏଭଳିକି ଝାଡ଼ଖଣ୍ଡ ନିର୍ବାଚନ ଇସ୍ତାହାର ପ୍ରକାଶ କରି ନିଜେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଝାଡ଼ଖଣ୍ଡରେ ପ୍ରଚଳିତ ଥିବା ୧୪ ପ୍ରତିଶତ ଓବିସି ସଂରକ୍ଷଣକୁ ୨୭ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଘୋଷଣା କରିଥିଲେ । କିନ୍ତୁ ଦୁଃଖର କଥା ଦୀର୍ଘ ୫ ମାସ ହେଲା ଓଡ଼ିଶାରେ ଶାସନ ଗାଦି ଅକ୍ତିଆର କରିଥିବା ବିଜେପି ଦଳର ସରକାର ଓବିସିମାନଙ୍କର ସାମ୍ବିଧାନିକ ଅଧିକାରକୁ ଅଣଦେଖା କରିଚାଲିଛନ୍ତି । ଏଭଳିକି ପ୍ରଥମ ବିଧାନସଭାର ପ୍ରଥମ ଦିନରେ (୨୨.୭.୨୦୨୪) ଓବିସି ଫୋରମ୍ ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇ ନାମ ଲେଖା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆବର୍ଗଙ୍କୁ ୨୭ଭାଗ ସଂରକ୍ଷଣ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ତା’ସତ୍ୱେ ଆଜି ଯାଏ ଏହି ସଂରକ୍ଷଣ କାର୍ଯ୍ୟକାରୀ ନ ହୋଇଥିବା ଯୋଗୁଁ ରାଜ୍ୟର ପଛୁଆବର୍ଗର ବେକାର ଯୁବକ ଯୁବତୀମାନେ ହଜାର ହଜାର ସରକାରୀ ଚାକିରୀରୁ ବଂଚିତ ହେବାରେ ଲାଗିଛନ୍ତି । ରାଜ୍ୟ ସରକାର ଡିସେମ୍ବର ମାସ ଶେଷ ସୁଦ୍ଧା ଓଡ଼ିଶାରେ ଖାଲି ପଡ଼ିଥିବା ୧ ଲକ୍ଷ ୩୪ ହଜାର ୬୭ଟି ପଦବୀ ମଧ୍ୟରୁ ୯୩ ହଜାର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କିନ୍ତୁ ବର୍ତମାନ ପ୍ରଚଳିତ ବ୍ୟବସ୍ଥାରେ ଓବିସି ମାନଙ୍କୁ ଓଡ଼ିଶାରେ ୧୧.୨୫% ସଂରକ୍ଷଣ ଦିଆଯାଉଥିବା ଯୋଗୁଁ ରାଜ୍ୟର ପାଖାପାଖି ୧୫ ହଜାର ଓବିସି ବର୍ଗର ବେକାର ଯୁବକୀ ଯୁବତୀ ନିଯୁକ୍ତି ସୁଯୋଗରୁ ବଂଚିତ ହେବେ ବୋଲି ଓବିସି ଫୋରମ୍ ଅଭିଯୋଗ କରିଛି । ସେହିଭଳି କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ନାମଲେଖା କ୍ଷେତ୍ରରେ ଓବିସି ଛାତ୍ରଛାତ୍ରୀଙ୍କୁ କୌଣସି ସଂରକ୍ଷଣ ଦିଆଯାଉ ନଥିବା ଯୋଗୁଁ କେବଳ ଇଂଜିନିୟରିଂ କ୍ଷେତ୍ରରେ ପ୍ରତିବର୍ଷ ପାଖାପାଖି ୨୫ ହଜାର ଛାତ୍ରଛାତ୍ରୀ ଓ ମେଡିକାଲ୍ ଶିକ୍ଷା କ୍ଷେତ୍ରରେ ପାଖାପାଖି ୫୦୦ ଓବିସି ଛାତ୍ରଛାତ୍ରୀ ଇଂଜିନିୟର ଓ ଡାକ୍ତର ହେବା ସୁଯୋଗରୁ ବଂଚିତ ହେଉଛନ୍ତି ବୋଲି ଓବିସି ଫୋରମ୍ର ରାଜ୍ୟ ଅଧ୍ୟକ୍ଷ ରବି ବେହେରା ଆଜି ବିକ୍ଷୋଭକାରୀମାନଙ୍କୁ ଉଦବୋଧନ ଦେଇ ମତବ୍ୟକ୍ତ କରିଛନ୍ତି । ସେହିଭଳି ପୂର୍ବ ବିଜେଡ଼ି ସରକାର ଓବିସି କମିଶନରଙ୍କ ଜରିଆରେ ଏକ ପଛୁଆବର୍ଗ ସର୍ବେକ୍ଷଣ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସେହି ସର୍ବେକ୍ଷଣ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ । ଏହି ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ଆଜିର ବିକ୍ଷୋଭରେ ଓଡ଼ିଶା ଫୋରମ୍ ଦାବି କରିଛି । ୨୦୦୮ ମସିହାରୁ ରାଜ୍ୟରେ ପଛୁଆ ବର୍ଗ ଅର୍ଥ ନିଗମ ନିସ୍କି୍ରୟ ହୋଇପଡ଼ିଚି । ଫଳରେ ଓବିସି ବର୍ଗର ହଜାର ହଜାର ବେକାର ଯୁବକ ଯୁବତୀ ସ୍ୱଳ୍ପ ସୁଧରେ ଋଣ ପାଇବାରୁ ବଂଚିତ ହୋଇ ଆତ୍ମ ନିଯୁକ୍ତିର ସୁଯୋଗ ହରାଉଛନ୍ତି । ରାଜ୍ୟର କାମଧନ୍ଦାର ସୁଯୋଗ ନ ପାଇ ସେମାନେ ସୁଦୂର ହାଇଦ୍ରାବାଦ୍, ବିଶାଖାପାଟଣା, ଚେନ୍ନାଇ, ବାଙ୍ଗାଲୋର, ତିରୁଅନନ୍ତପୁରମ୍, ମୁମ୍ବାଇଁ, ଦିଲ୍ଲୀ, କଲିକତା, ସୁରଟ, ଲକ୍ଷ୍ନୌ, ଓ ଗୌହ୍ୱାଟୀ ଭଳି ସହରକୁ କାମଧନ୍ଦା ଅନ୍ୱେଷଣରେ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଓବିସି ବର୍ଗଙ୍କୁ ନିଯୁକ୍ତି ଓ ନାମଲେଖା କ୍ଷେତ୍ରରେ ତୁରନ୍ତ ୨୭ ଭାଗ ସଂରକ୍ଷଣ ପ୍ରଦାନ କରିବା ପାଇଁ ଓବିସି ଫୋରମ୍ ପକ୍ଷରୁ ଆଜି ବିଧାନସଭା ସମ୍ମୁଖରେ ଅନୁଷ୍ଠିତ ଗଣବିକ୍ଷୋଭରେ ଦାବି କରାଯିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ୨୦୨୧ ମସିହାରେ ଦେଶରେ ହେବାକୁ ଥିବା ଜନଗଣନା ବିଳମ୍ବରେ ହେଲେ ମଧ୍ୟ ଆସନ୍ତା ବର୍ଷଠାରୁ ସାରା ଦେଶରେ ଆରମ୍ଭ ହେବାକୁ ଯାଉଅଛି । ଏହି ଜନଗଣନାରେ ଜାତି ଜନଗଣନାକୁ ସାମିଲ୍ କରିବାକୁ ଓବିସି ଫୋରମ୍ ର ବିକ୍ଷୋଭକାରୀମାନେ ଦାବି କରିଛନ୍ତି । ରାଜ୍ୟ ସରକାର ବିଧାନସଭାରେ ତୁରନ୍ତ ଏକ ସର୍ବସମ୍ମତ ପ୍ରସ୍ତାବ ଆଗତ କରି ଜାତି ଜନଗଣନାକୁ ଆଗାମୀ ଜନଗଣନାରେ ସାମିଲ୍ କରିବା ସହିତ “ଯାହାର ସଂଖ୍ୟା ଯେତେ, ତା’ର ଭାଗିଦାରୀ ସେତେ” ନୀତିରେ ଓଡ଼ିଶାରେ ସାମାଜିକ ନ୍ୟାୟ ପ୍ରଦାନ କରିବାକୁ ବିକ୍ଷୋଭକାରୀମାନେ ଦାବି କରିଛନ୍ତି ।
ବିଗତ ବିଜେଡ଼ି ସରକାର ତ୍ରିସ୍ତରୀୟ ପଂଚାୟତିରାଜ ନିର୍ବାଚନରେ ୱାର୍ଡମେମ୍ବର, ସରପଂଚ, ସମିତି ସଭ୍ୟ ଓ ଜିଲା ପରିଷଦ ନିର୍ବାଚନରେ ୧୯୯୭ ମସିହାରୁ ଚାଲିଆସୁଥିବା ଓବିସି ମାନଙ୍କର ସଂରକ୍ଷଣକୁ କାଟି ଦେଇ ସେମାନଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବଂଚିତ କରିଥିଲେ । ମୋହନ ମାଝିଙ୍କ ନେତୃତ୍ୱ ବିଜେପି ସରକାର ଓବିସି ବର୍ଗଙ୍କୁ ତି୍ରସ୍ତରୀୟ ପଂଚାୟତିରାଜ ନିର୍ବାଚନରେ ୨୭ଭାଗ ସଂରକ୍ଷଣ ପ୍ରଦାନ କରିବାକୁ ଓବିସି ଫୋରମ୍ ର ଏହି ବିକ୍ଷୋଭରେ ଦାବି ଉପସ୍ଥାପିତ କରାଯାଇଛି । ଏହି ବିକ୍ଷୋଭ ଶୋଭାଯାତ୍ରାରେ ଶ୍ରୀ ବେହେରାଙ୍କ ସମେତ ଓବିସି ଫୋରମ୍ ର ସମ୍ପାଦକ ନାରାୟଣ ଡାଳୁଆ, କିଶୋର ସୂତାର, ହେମନ୍ତ କୁମାର, ସନାତନ ବେହେରା, ସଂଖ୍ୟାଲଘୁ ନେତା ଅବଦୁଲ୍ କାଲାମ୍ ଆଜାଦ୍, ସେଖ୍ ଅବଦୁଲ୍ ୱାଲି, ଯୁବନେତା ରାଜ୍ୟପ୍ରିୟ ଦାସ, ଦୀପଦାସ ଯାଦବ, ଦେଶପ୍ରିୟ ଦାସ, ନାରାୟଣ ବେହେରା, ନାରୀ ସାବିତ୍ରୀ ବେହେରା ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ । ରାଜ୍ୟ ସରକାର ଓବିସି ମାନଙ୍କ ହକ୍ ଓ ସାମ୍ବିଧାନିକ ଅଧିକାରକୁ ଅଣଦେଖା କଲେ ଆଗାମୀ ଦିନରେ ସାମାଜିକ ନ୍ୟାୟ ଆନ୍ଦୋଳନ ଏକ ଜନ ଆନ୍ଦୋଳନର ପରିଣତ ହେବ ବୋଲି ସେମାନେ ସରକାରଙ୍କୁ ସତର୍କ କରାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଓବିସିଙ୍କୁ ଅଣଦେଖା ବିଜେପି ସରକାର ପାଇଁ ମହଙ୍ଗା ପଡ଼ିବ – ଓବିସି ଫୋରମ
