ଜଗତସିଂହପୁର,୨୨/୧୧/୨୦୨୪ (ଓଡ଼ିଶା ସମାଚାର)- ବିରିଡ଼ି ବ୍ଲକ ଅନ୍ତର୍ଗତ ପୁରଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ପୁନର୍ବାର ନାମଲେଖା ସମ୍ପର୍କିତ ଏକ ସଚେତନତା କାର୍ୟ୍ୟକ୍ରମ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଆଇନ ସେବା ପ୍ରାଧୀକରଣ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଇନ ସେବା ପ୍ରାଧୀକରଣ ସଚିବ ଶିକ୍ଷାର ମହତ୍ତ୍ୱ ବିଷୟରେ ଆଲୋଚନା କରିବା ସହ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଅଧାରୁ ପାଠ ଛାଡିବାର ଅନେକ କାରଣ ଥାଏ । କିଛି ଅନାଗ୍ରହରୁ ପାଠ ଛାଡିଥିବା ବେଳେ କିଛି ପ୍ରତିକୂଳ ପରିସ୍ଥିତି ପାଇଁ ପାଠ ଛାଡିଛନ୍ତି। ବାରମ୍ବାର ବିଫଳତା, ଅନାଗ୍ରହ ଓ ଦରିଦ୍ରତା ହେଉଛି ଏହାର ମୂଳ କାରଣ। ଯଦି କୌଣସି ବିଦ୍ୟାର୍ଥୀ ବିଦ୍ୟାଳୟରେ ବାରମ୍ବାର ଅନୁପସ୍ଥିତ ରହେ ତେବେ ବିଦ୍ୟାଳୟର କର୍ତ୍ତୃପକ୍ଷ ଉକ୍ତ ବିଦ୍ୟାର୍ଥୀର ଅଭିଭାବକଙ୍କୁ ଭେଟି କାରଣ ବୁଝିବା ସହ ସେମାନେ କିପରି ବିଦ୍ୟାଳୟକୁ ପୁନର୍ବାର ଆଗ୍ରହ ସହ ଆସିବେ ଏଥିପାଇଁ ବିଦ୍ୟାଳୟ କର୍ତୃପକ୍ଷ ଚେଷ୍ଟିତ ହେବା ଉଚିତ୍ । ବିଦ୍ୟାର୍ଥୀଙ୍କ ଉପସ୍ଥାନ ବୃଦ୍ଧି କରିବାରେ ବିଦ୍ୟାଳୟର ଭୂମିକା ଅତୁଳନୀୟ ବୋଲି ସଚିବ ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।