ଭୁବନେଶ୍ୱର,୨୨/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଶ୍ୱ ସଂସ୍କୃତି ଆୟୋଗ, ନୂଆଦିଲ୍ଲୀ ଦ୍ୱାରା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟଠାରେ ଦୀର୍ଘ ୪୦ ବର୍ଷ ଧରି ଲୋକକଳା ସଂସ୍କୃତି ପ୍ରଚାର ଓ ପ୍ରସାର, ଓଡ଼ିଆ ଢଗଢମାଳିକୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଅଡିଓ ଓ ଭିଡ଼ିଓ ମାଧ୍ୟମରେରେ ପ୍ରଚାର, ଦୁଇ ଶହରୁ ଉର୍ଦ୍ଧ୍ୱ ଆଧ୍ୟାତ୍ମିକ ଭଜନ କ୍ୟାସେଟ ରେ ସଙ୍ଗୀତ ପରିବେଷଣ ଓ ଦୂରଦର୍ଶନରେ ଲଳିତା ବିଦ୍ୟାପତି ନାଟକର ନିର୍ଦ୍ଦେଶନା ଦେବା, ଆକାଶବାଣୀ ଯୁବବାଣୀର ସ୍ୱୀକୃତିପ୍ରାପ୍ତ କବି, କୋଡିଏ ଖଣ୍ଡ ପୁସ୍ତକର ରଚୟିତା, ଗ୍ରାମାଞ୍ଚଳରେ ଦଶ ହଜାରରୁ ଉର୍ଦ୍ଧ ଜନସଚେତନତା କାର୍ଯ୍ୟକ୍ରମ ଓ ବିଭିନ୍ନ ମଞ୍ଚରେ ମେଘ ମହ୍ଲାର ଅନୁଷ୍ଠାନ ମାଧ୍ୟମରେ ଢୋଲ ମହୁରୀ ଲୋକ ନୃତ୍ୟ ପରିବେଷଣ, ୪୦ଖଣ୍ଡ ପୁସ୍ତକର ପ୍ରକାଶକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରା ଲୋକ ସଂସ୍କୃତିକୁ ବଞ୍ଚାଇ ରଖିବା କ୍ଷେତ୍ରରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଯୋଗୁଁ ଡକ୍ଟରେଟ୍ ସମ୍ମାନ ଲାଭ କରିଛନ୍ତି । ଏହି ସମ୍ମାନ ସମାରୋହ ରେ ଏନ.ଡ଼ି.ଏମ.ସି ମେମ୍ବର ଶ୍ରୀମତୀ ବିଶାଖା ଶୈଲାନି, ଶ୍ରୀଯୁକ୍ତ ଆଚାର୍ଯ୍ୟ ୟେଶୀ ଫୁନ୍ତୋଷକ, ବଲିଉଡ ଅଭିନେତା ବିନ୍ଦୁ ଦାରା ସିଂ, ସୁପ୍ରିମକୋର୍ଟ ବିଚାରପତି ଶ୍ରୀଯୁକ୍ତ ରୋନିତ ପାଣ୍ଡେ, ଲାଲାନ କୁମାର ପ୍ରମୁଖ ଅତିଥିଗଣଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି । ଡକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା ଜଣେ ସାଧାରଣ, ଅମାୟିକ ବ୍ୟକ୍ତି ଭାବେ ଖୋର୍ଦ୍ଧା ଜିଲ୍ଲା ତଥା ସମଗ୍ର ଓଡ଼ିଶାରେ ପରିଚିତ । ପିଲାଟି ଦିନରୁ କଳା ସଂସ୍କୃତି ପ୍ରତି ଆକୃଷ୍ଟ ହୋଇ ସମାଜ ପାଇଁ କିଛି କରିବା ପାଇଁ ଶପଥ ନେଇଥିଲେ । ଡକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା କେନ୍ଦ୍ର ସରକାରଙ୍କ ଦ୍ୱାରା ଡ଼କ୍ଟରେଟ୍ ସମ୍ମାନିତ ହେବା ପ୍ରଥମ । ତେଣୁ ଡକ୍ଟର ବେହେରା ଚମ୍ପାଇଲୋ ଗାଁ ପାଇଁ ମଧ୍ୟ ଗୌରବ ଆଣିଛନ୍ତି ।