# ରାଜ୍ୟସ୍ତରୀୟ ଟେକ ହୋମ୍ ରାସନ କନ୍କ୍ଲଭେ ଅନୁଷ୍ଠିତ
# ଯୋଗଦେଲେ ୯ଟି ରାଜ୍ୟର ବରିଷ୍ଠ ଅଧିକାରୀ ଓ ପ୍ରମୁଖ ସଂସ୍ଥାର ବିଶେଷଜ୍ଞ
# ଛତୁଆର ବିକଳ୍ପ ଖୋଜିବାକୁ ପଡିବ – ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା
ଭୁବନେଶ୍ୱର, ୧୨/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନ୍ରେ ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନିସେଫର ସହଭାଗିତାରେ ରାଜ୍ୟସ୍ତରୀୟ ଟେକ ହୋମ୍ ରାସନ(ଟିଏଚଆର) କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୯ ଟି ରାଜ୍ୟ ଯଥା – ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ତେଲେଙ୍ଗାନା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଛତିଶଗଡ଼, ଆସାମ ଓ ଝାଡ଼ଖଣ୍ଡର ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସଚିବ ତଥା ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ଏହା ସହ ମହୀଶୂରସ୍ଥିତ ସିଏଫଟିଆରଆଇ, ହାଇଦରାବାଦର ଏନଆଇଏଚ, ଗୁଜୁରାଟ ମିଳ୍କ ମାର୍କେଟିଙ୍ଗ ଫେଡେରେଶନ(ଅମୂଲ୍), ରାଉରକେଲା ଏନଆଇଟି ତଥା ୱାର୍ଲଡ ଫୁଡ ପ୍ରୋଗ୍ରାମ, ୟୁନିସେଫ, ଅଜିମ ପ୍ରେମଜୀ ଫାଉଣ୍ଡେସନ ଭଳି ପ୍ରମୁଖ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବୈଜ୍ଞାନିକଙ୍କ ସମେତ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସଚିତ ଜାତି ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଓଡ଼ିଶାକୁ କୁପୋଷଣ ମୁକ୍ତ କରିବା ସରକାରଙ୍କ ପ୍ରାଥମିକତା । ବିଭିନ୍ନ ରାଜ୍ୟରୁ ଆସିଥିବା ପୋଷଣ ବିଶେଷଜ୍ଞମାନଙ୍କୁ ସ୍ୱାଗତ କରିବା ସହ ଆଲୋଚନା ଓ ସମାଲୋଚନା ମାଧ୍ୟମରେ ଓଡ଼ିଶାକୁ କୁପୋଷଣ ମୁକ୍ତ କରିବାର ଉପାୟ ବାହାରି ପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଓଡ଼ିଶାର ଆଞ୍ଚଳିକ ପୋଷଣ ଅସମାନତାକୁ ଧ୍ୟାନ ଦେବା ସହ ଛତୁଆର ମାନ ବୃଦ୍ଧି ତଥା ଅନ୍ୟ ବିକଳ୍ପ ଖୋଜିବାକୁ ସେ ବିଭାଗକୁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଯୋଗଦେଇ କହିଲେ ଯେ ଓଡ଼ିଶା ଭିଜନ-୨୦୪୭ରେ କୁପୋଷଣମୁକ୍ତ ଓଡ଼ିଶା ଏକ ମୁଖ୍ୟ ବିଷୟବସ୍ତୁ । କୁପୋଷଣକୁ ମୂଳପୋଛ କରିବା ପାଇଁ ଆମକୁ ମିଶନ ମୋଡ୍ରେ କାମ କରିବାକୁ ପଡିବ ।
ବିଭିନ୍ନ ରାଜ୍ୟର ପୋଷଣ କାର୍ଯ୍ୟକ୍ରମରୁ ଶିଖିବା, ବିକଳ୍ପ ଟେକ ହୋମ୍ ରାସନ(ଟିଏଚଆର) ବିଷୟରେ ବିଶ୍ଳେଷଣ କରିବା ସହ ସମ୍ପୃକ୍ତ ରାଜ୍ୟରେ ଗ୍ରହଣ କରାଯାଇଥିବା ସର୍ବୋତ୍ତମ ଅଭ୍ୟାସ ଉପରେ ଆଲୋଚନା କରିବା ଏହି କନକ୍ଲେଭର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ
ଶ୍ରୀମତୀ ଶୁଭା ଶର୍ମା ମତପ୍ରକାଶ କରିଛନ୍ତି । ପରସ୍ପରର ଜ୍ଞାନ ବିନିମୟ ଦ୍ୱାରା ଆମେ କୁପୋଷଣ ସହ ଲଢିପାରିବା ବୋଲି ସେ ଦୃଢ ମତ ରଖିଥିଲେ । ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ତଥା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନର୍ଜୀ କୁପୋଷଣକୁ ଦୂର କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।
ଦୁଇଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସେସନ୍ ଦ୍ୱାରା ବିଭିନ୍ନ ରାଜ୍ୟର ପୋଷଣ ସମ୍ବନ୍ଧୀୟ କାର୍ଯ୍ୟକାରିତା ବିଷୟରେ ଆଲୋଚନା କରାଯିବ । ବୈଷୟିକ ସଂସ୍ଥା ଯଥା ସିଏଫଟିଆରଆଇ, ଏନଆଇଏନ ଏବଂ ଅମୁଲ କମ୍ପାନୀ ଟେକ ହୋମ୍ ରାସନର ଉତ୍ପାଦ, ବଣ୍ଟନ ଏବଂ ତଦାରଖ ପ୍ରକ୍ରିୟାରେ ଅଭିନବ ଶୈଳୀକୁ ଆଲୋକପାତ କରିବା ସହ ଟିଏଚଆରକୁ ଶକ୍ତିଶାଳୀ କରିବା ପାଇଁ ସୁଚିନ୍ତିତ ମତାମତ ଓ ପ୍ରସ୍ତାବ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଡେପୁଟି କଣ୍ଟ୍ରି ହେଡ ମିସ ନୋଜୋମି ହାଶିମୋଟୋ ଓ ୟୁନିସେଫ ମୁଖ୍ୟ ପୋଷଣ ଅଧିକାରୀ ମିସ ମ୍ୟାରୀ କ୍ଲାଉଡ ଡିସିଲେଟସ୍ ଉପସ୍ଥିତ ଥିଲେ । ଓଡ଼ିଶା ସରକାରଙ୍କ ପ୍ରମୁଖ ବିଭାଗ ମଧ୍ୟ ଓଡ଼ିଶାକୁ କୁପୋଷଣ ମୁକ୍ତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଅଂଶଗ୍ରହଣ କରିଥିଲେ ।