ଅସ୍ଥିର ବାତାବରଣ ରେ ମନର ଶାନ୍ତି ପାଇଁ ଏକାଗ୍ରତା ଓ ସକାରାତ୍ମକ ଚିନ୍ତନ ଆବଶ୍ୟକ : ସିଷ୍ଟର ଶିବାନୀ

ରାଉରକେଲା,୧୨/୧୧/୨୦୨୪ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ)-ଅସ୍ଥିର ବାତାବରଣ ରେ ମନର ଶାନ୍ତି ପାଇଁ ଏକାଗ୍ରତା ଓ ସକାରାତ୍ମକ ଚିନ୍ତନ ଆବଶ୍ୟକ ବୋଲି ଅନ୍ତର୍ଜାତୀକ ପ୍ରବଚକ ସିଷ୍ଟର ଶିବାନୀ କହିଛନ୍ତି l ସ୍ଥାନୀୟ ସେକ୍ଟର – ୨ ଦୁର୍ଗା ପୂଜା ପଡିଆ ଠାରେ ଆୟୋଜିତ ବ୍ରହ୍ମକୁମାରୀ ପ୍ରବଚକ ସଭା ରେ ଯୋଗ ଦେଇ ସିଷ୍ଟର ଶିବାନୀ କହିଲେ ଯେ, ଚିନ୍ତନ ର ଵିଧି କୁ ପରିବର୍ତନ କରିବାକୁ ହେବ । ଆମକୁ ଧ୍ୟାନ ର ସହ କାର୍ଯ୍ୟ କରିବାକୁ ହେବ । ପିଲାଙ୍କୁ ଶକ୍ତି ଦେବାକୁ ଘରର ପାରିପାଶ୍ବିକ ପରିବେଶକୁ ଶୁଦ୍ଧ ଓ ଶକ୍ତିଶାଳୀ କରିବାକୁ ହେବ । ଯେ କୌଣସି ପରିସ୍ଥିତିରେ ବିଚଳିତ ନହୋଇ ସ୍ଥିତି କୁ ମୁକାବିଲା କରିବାକୁ ହେବ । ମାନସିକ ଅବସାଦକୁ ଦୂର କରି ମାନସିକ ଓ ଅନ୍ତର୍ନିହିତ ଶକ୍ତି ଓ ପ୍ରତିଷେଧକକୁ ବୃଦ୍ଧି କରିବାକୁ ହେବ । କାହାରି ବ୍ୟବହାର କିମ୍ବା କଟୁବାକ୍ୟକୁ ଆମେ ଗ୍ରହଣ ନକଲେ ହିଁ ଶାନ୍ତିରେ ରହି ପାରିବା । ବରଂ ଆମେ ତାକୁ କ୍ଷମା କରିଦେବା ହିଁ ଆମ ମହାନତା ହେବ । ନିଜେ ନିଜକୁ ଭଲ ପାଇବା ଦ୍ୱାରା ଆମ ଆତ୍ମା ଶାନ୍ତ ହୋଇଥାଏ । ମନର ସ୍ଥିତକୁ ନିଜେ ନିୟନ୍ତ୍ରଣ ରେ ରଖିବାକୁ ସେ ପରାମର୍ଶ ଦେଇଥିଲେ । ପରମାତ୍ମା ଆମ ସମସ୍ତଙ୍କ ଭାଗ୍ୟ ଭଲ ହିଁ ଲେଖିଥାନ୍ତି । ମାତ୍ର କର୍ମ ଅନୁସାରେ ଆମେ ଭାଗ୍ୟ ଫଳ ଭୋଗିଥାଉଁ । କହିବା ଅନୁସାରେ ନୁହଁ, କର୍ମ ଅନୁସାରେ ଭାଗ୍ୟ ହୋଇଥାଏ । ଏଣୁ ଆମକୁ ସତକର୍ମ ଓ ସତଚିନ୍ତନ କରିବାକୁ ହେବ, ତେବେ ଯାଇ ଆମେ ଶାନ୍ତି ପାଇପାରିବା ବୋଲି ବି.କେ ଶିବାନୀ କହିଥିଲେ । ଆଧ୍ୟାତ୍ମିକତା ଆମକୁ ଭବିଷ୍ୟତ ବିଷୟରେ ସୂଚିତ କରିଥାଏ, ଏଣୁ ଆମକୁ ଦୃଢ଼ତା ଓ ପ୍ରସନ୍ନତାର ସହ କର୍ତ୍ତବ୍ୟ କରିବା ଆବଶ୍ୟକ । ତେବେଯାଇ ଆମ ଆତ୍ମା ସୁଦ୍ଧ ଓ ପବିତ୍ର ହୋଇ ପାରିବ । ପରିବାରକୁ ସଶକ୍ତ କରିବାକୁ ହେବ, ମୋହକୁ ଛାଡି ପରସ୍ପର ପ୍ରତି ପ୍ରେମ ଭାବ ରହିବା ଆବଶ୍ୟକ । ପ୍ରତି ଘରେ ଶକ୍ତି ସ୍ତମ୍ଭ ରିହିବା ଆବଶ୍ୟକ । ଆମେ ଯାହା ଦେଖୁ, ଶୁଣୁ,ପଢୁ, ଖାଉ ଓ ପିଉ ତାହା ଆମ ଚିନ୍ତନ କୁ ପ୍ରଭାବିତ କରିଥାଏ । ଗଭୀର ନିଦ୍ରା ଗଲେ ଶରୀର ଥକ୍କା ହେବ ନାହିଁ କିମ୍ବା ଅବସାଦ ରହିବ ନାହିଁ । ରାତ୍ର ରେ ଭୋଜନର ଦୁଇ ଘଣ୍ଟା ପରେ ସକାରାତ୍ମକ ଚିନ୍ତା କରି ଶୋଇବାକୁ ସେ ପରାମର୍ଶ ଦେଇଥିଲେ l ପ୍ରତିଦିନ ୧୦ଟି ଶୁଦ୍ଧ ଚିନ୍ତନ ଓ କାର୍ଯ୍ୟ କରିବା ଦ୍ୱାରା ଜଟିଳ ସ୍ଥିତି କୁ ମୁକାବିଲା କରାଯାଇ ପାରିବ ବୋଲି ସିଷ୍ଟର ଶିବାନୀ କହିଥିଲେ । ସ୍ଥାନୀୟ ବାସନ୍ତୀ କଲୋନୀ ବ୍ରହ୍ମକୁମାରୀ କେନ୍ଦ୍ର ର ନିର୍ଦ୍ଦେଶିକା ବିମଳା ଦିଦି ଙ୍କ ତତ୍ୱାବଧାନ ଓ ଅନ୍ୟ କେନ୍ଦ୍ର ମାନଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସଫଳତା ର ସହ ସମ୍ପର୍ଣ୍ଣ ହୋଇଥିଲା । ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ତଥା ଜନସାଧାରଣ ଉପସ୍ଥିତ ଥିଲେ । ଏହି ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଆର.ଏସ.ପି ର ଇ.ଡି ତରୁଣ ମିଶ୍ର, ଇଡି ଏ କେ ବେହୁରିଆ,ଏନ.ଆଇ.ଟି ର ନିର୍ଦ୍ଦେଶକ ପ୍ର. କେ. ଉମା ମହେଶ୍ୱର ରାଓ, ବିପିୟୁଟି କୁଳପତି ଅମୀୟ କୁମାର ରଥ , ସିଆଇଏସଏଫ ର ବରିଷ୍ଠ କମାଣ୍ଡାଣ୍ଟ ଅଶୋକ ଜାଲୱନିଆ,ଶୁଭ ପଟ୍ଟନାୟକ, ପ୍ରମୁଖ ଙ୍କ ସମେତ ଅନ୍ୟ ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ ସହରର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ର ସହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *