ଜଗତସିଂହପୁର,୧୭/୦୨/୨୦୨୬ (ଓଡ଼ିଶା ସମାଚାର)- ୧୭-୦୨-୨୦୨୬ ତାରିଖରେ ଜଗତସିଂହପୁର ଅବକାରୀ ରେଞ୍ଜ ଏବଂ ବାଲିକୁଦା ଅବକାରୀ ଥାନା ପକ୍ଷରୁ ବାଲିକୁଦା ଥାନା ଅନ୍ତର୍ଗତ ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରାଯାଇ ୭୭ ଗ୍ରାମର ବ୍ରାଉନସୁଗାର ଜବତ କରାଯିବା ସହ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି।
ମଙ୍ଗଳବାର ଦିନ ଜଗତସିଂହପୁର ଅବକାରୀ ରେଞ୍ଜ ଇନ୍ସପେକ୍ଟର ଶ୍ରୀକାନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ ବିଶେଷ ସୂତ୍ରକୁ ଆଧାର କରି ମାଛଗାଁ ବଜାରରେ ଚଢାଉ କରି ବ୍ରାଉନସୁଗାର ବିକ୍ରି କରିବାକୁ ଆସିଥିବା ସିଙ୍ଗିତାଲିଆ ଗ୍ରାମର ଧର୍ମାନନ୍ଦ ସାହୁଙ୍କ ପୁଅ ସୁର୍ଦଶନ ସାହୁ (୫୪) ଙ୍କଠାରୁ ୫୨ ଗ୍ରାମର ବ୍ରାଉନସୁଗାର ଓ ଏକ ରୟାଲ ଏନଫିଲ୍ଡ ମୋଟର ସାଇକେଲ (ଓଡି-୧୩-ଜି-୭୩୭୧) ଜବତ କରିବା ସହ ତାଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତଙ୍କ ଠାରୁ ତଥ୍ଯ ସଂଗ୍ରହ କରି ତାଙ୍କର ସହଯୋଗୀ ଆମ୍ବଶାଳ ଗ୍ରାମର ବେଣୁଧର ଦାସଙ୍କ ପୁଅ ହୃଷିକେଶ ଦାସ (୩୮)ଙ୍କୁ ଗିରଫ କରିବା ସହ ଯାଞ୍ଚ ପରେ ତାଙ୍କ ଠାରୁ ୨୫ ଗ୍ରାମର ବ୍ରାଉନସୁଗାର ଜବତ କରିଛନ୍ତି।
ଦୁଇ ଅଭିଯୁକ୍ତ ଙ୍କୁ ଦୁଇଟି ଅଲଗା ମାମଲାରେ ଅଦାଲତ ଚାଲଣ କରାଯାଇଥିବା ବେଳେ ଜିଲ୍ଲା ଦୌରାଜଜ ଅଭିଯୁକ୍ତ ଦ୍ବୟଙ୍କ ଙ୍କ ଜାମିନ ନାମଞ୍ଜୁର କରି କାରାଗାର କୁ ପଠାଇଛନ୍ତି।
ଆଜିର ଏହି ଚଢାଉ ରେ କନଷ୍ଟେବଳ ଜୟଦେବ ପାତ୍ର, ଦୀନବନ୍ଧୁ ସେଠୀ, ପ୍ରତିମା ଜେନା, ଶୁଭଶ୍ରୀ ବିଶ୍ବାଳ, ଅନୁରାଗ ସୂର୍ୟବଂଶୀ ପ୍ରମୁଖ ସାମିଲ ଥିଲେ। ଜିଲ୍ଲାରେ ଦିନକୁ ଦିନ ବ୍ରାଉନସୁଗାର କାରବାର ବଢି ଚାଲିଥିବା ବେଳେ ଏହା ନିଶ୍ଚିତ ଭାବେ ଅବକାରୀ ବିଭାଗ ପାଇଁ ବଡ ସଫଳତା।
