ସାଇକା ଆଙ୍ଗନ୍ ପରିସରରେ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା

ଗୁରୁଗ୍ରାମ / ଭୁବନେଶ୍ୱର,୨୩/୦୭/୨୦୨୬ (ଓଡ଼ିଶା ସମାଚାର)- ଗୁରୁଗ୍ରାମସ୍ଥିତ ‘ସାଇକା ଆଙ୍ଗନ୍’ ପରିସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଆଜି ପ୍ରତିଷ୍ଠା ହୋଇଯାଇଛି । ପାରମ୍ପରିକ ବୈଦିକ ରୀତି ନୀତି ଅନୁସାରେ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ମନ୍ଦିର ପ୍ରାଙ୍ଗଣରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ଶ୍ରୀ ବିଗ୍ରହ ପ୍ରତିଷ୍ଠା କରିଥିଲେ ।
ସକାଳେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ।ଏହାପରେ ଯଜ୍ଞକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ଗୁରୁଜୀ ଯଜ୍ଞରେ ପୂର୍ଣ୍ଣାହୂତି ଦେଇଥିଲେ । ପବିତ୍ର ବେଦପାଠ ଓ ମନ୍ତ୍ରଧ୍ୱନି ମଧ୍ୟରେ ଗୁରୁଜୀ ବିଗ୍ରହ ମାନଙ୍କର ପ୍ରାଣ ପ୍ରତିଷ୍ଠା କରି ଚକ୍ଷୁଦାନ ନୀତି ସମ୍ପାଦନ କରିଥିଲେ ।ସନ୍ଧ୍ୟାରେ ଏକ ଭବ୍ୟ ଶୋଭାଯାତ୍ରା ରେ ଶ୍ରୀ ବିଗ୍ରହ ମାନଙ୍କୁ ନୂତନ ମନ୍ଦିର ପରିସରକୁ ନିଆଯାଇ ସ୍ଥାପନା କରାଯାଇଥିଲା ।
ଏହି ଅବସରରେ ଗୁରୁଜୀ କହିଥିଲେ ଯେ ଭାରତର ଚାରିଧାମ ମଧ୍ୟରେ ପୁରୀ ଶ୍ରୀ ଜଗନ୍ନାଥ ଧାମ ର ସ୍ୱାତନ୍ତ୍ର୍ୟ ଅନନ୍ୟ । ପ୍ରାଚୀନ କାଳରୁ ଏହାର ମାହାତ୍ମ୍ୟ ରହି ଆସିଛି । ଭାରତର ପ୍ରାୟ ସମସ୍ତ ସନ୍ଥ ଓ ଆଧ୍ୟାତ୍ମିକ ପୁରୁଷମାନେ ଏହି ଧାମକୁ ଆସି ମହାପ୍ରଭୁଙ୍କର ଦର୍ଶନ ଲାଭ କରିଛନ୍ତି । ନାନକ, ଚୈତନ୍ୟ, ଶଙ୍କର ଦେବ ପ୍ରମୁଖ ଏହି ପୀଠକୁ ଆସି ଭଗବାନଙ୍କର ଅପୂର୍ବ ଅନୁଭୂତି ଲାଭ କରିଛନ୍ତି । ଶେଷରେ ସମସ୍ତଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା ।ଏହିଉତ୍ସବରେ ସ୍ଥାନୀୟ ଅଂଚଳରୁ ବହୁ ସଂଖ୍ୟାରେ ଅଧିବାସୀଙ୍କ ସମେତ ଓଡ଼ିଶାରୁ ରାଜ୍ୟସଭା ସାଂସଦ ତଥା ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ, ଅନ୍ୟତମ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ସମେତ ବହୁ ଭକ୍ତ ଯୋଗ ଦେଇଥିଲେ ।ସିବିଏସ କଲଚରାଲ ଫାଉଣ୍ଡେସନ ସହଯୋଗରେ ସାଇକା ଆଙ୍ଗନ୍ ପରିବାର ପକ୍ଷରୁ ଏହି ଉତ୍ସବର ଆୟୋଜନ କରାଯାଇଥିଲା ।
ଏଠାରେ ସୂଚନାଯୋଗ୍ୟ ଯେ ଗୁରୁଜୀଙ୍କ ମାର୍ଗଦର୍ଶନରେ ଗତ ତିନିବର୍ଷ ଧରି ସାଇକା ଆଙ୍ଗନ୍ ରେ ରଥଯାତ୍ରା ଉତ୍ସବ ଆୟୋଜିତ ହୋଇଆସୁଛି । ସ୍ଥାନୀୟ ଭକ୍ତ ମାନଙ୍କର ବିପୁଳ ଆନନ୍ଦ ଓ ଉତ୍ସାହକୁ ଦେଖି ଏଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ନିଷ୍ପତିି ନିଆଯାଇଥିଲା ।ଗୁରୁଜୀ ଡ. ଶତପଥୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଦିଗରେ ଦୀର୍ଘବର୍ଷରୁ ଦେଶ ଓ ବିଦେଶରେ କାର୍ଯ୍ୟ କରି ଆସୁଛନ୍ତି । ତାଙ୍କରି ଉଦ୍ୟମରେ ନୂଆଦିଲ୍ଲୀ ର ନୋଇଡ଼ା, ବରେଲି ଓ ଆମେରିକାର ଡଲାସ ସମେତ ବିଭିନ୍ନ ସ୍ଥାନରେ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଆସୁଛି ।

Leave a Reply

Your email address will not be published. Required fields are marked *