ଜ଼ିଲ୍ଲାସ୍ତରୀୟ ବିଶ୍ୱ ନିମୋନିଆ ଦିବସ ପାଳନ

ଜଗତସିଂହପୁର ୧୨/୧୧/୨୦୨୪ (ଓଡ଼ିଶା ସମାଚାର)-ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ନିମୋନିଆ ଦିବସ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଘୁନାଥ ନାୟକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ନଭେମ୍ବର ମାସ ୧୨  ତାରିଖରେ ଏହି ଦିବସ ପାଳିତ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର  ରଘୁନାଥ ନାୟକ  ଏକ କ୍ୟାନପି ଉଦ୍ଘାଟନ କରିଥିଲେ ଏବଂ  ଏହାକୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜନସାଧାରଣଙ୍କ ନିମୋନିଆ ସଚେତନତା ନିମନ୍ତେ ସ୍ଥାପିତ କରାଯାଇଥିଲା । ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିଜ ଅଭିଭାଷଣରେ ଜଣେଇଥିଲେ ଯେ ନିମୋନିଆ ଶିଶୁ ମୃତ୍ୟୁ ର ଏକ ପ୍ରମୁଖ କାରଣ । ଫୁସଫୁସର ସଂକ୍ରମଣକୁ ନିମୋନିଆ କୁହାଯାଏ ,କାଶିବା, ଛିଙ୍କିବା ଦ୍ୱାରା ବାୟୁ ମାଧ୍ୟମରେ ନିମୋନିଆ ରୋଗ ଜୀବାଣୁ ବ୍ୟାପିଥାଏ । ତେଣୁ ଏହାର ଲକ୍ଷଣ ଦେଖାଦେବା  ମାତ୍ରେ ତୁରନ୍ତ ସ୍ୱାସ୍ଥ୍ୟକର୍ମୀ କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଅନ୍ତୁ । ମନ ଇଛା ଏଣୁତେଣୁ ଚିକିତ୍ସା କରି ସମୟ ନଷ୍ଟ ନ କରି ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରାମର୍ଶ  କରି ଔଷଧ ବ୍ୟବହାର କରନ୍ତୁ,  ଜନସାଧାରଣଙ୍କୁ ସଚେତନ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ନିଜ ଅଭିଭାଷଣରେ କହିଥିଲେ ଏହି କାର୍ଯ୍ୟକ୍ରମ ୧୨  ନଭେମ୍ବର  ୨୦୨୪ରୁ ଆରମ୍ଭ ହୋଇ ଫେବୃଆରୀ ୨୮  ତାରିଖ ୨୦୨୫ ମସିହା ପର୍ଯ୍ୟନ୍ତ ୩ ମାସ ଚାଲିବ । ଆଶାକର୍ମୀମାନେ ଘର ଘର ସର୍ଭେ କରି ୫ ବର୍ଷରୁ କମ ପିଲାମାନଙ୍କର ତାଲିକା ପ୍ରସ୍ତୁତ କରିବେ ଏବଂ ନିମୋନିଆର ଲକ୍ଷଣ ଯଥା କାଶ ଥଣ୍ଡା ସହ ଦ୍ରୁତ ଗତିରେ ନିଶ୍ୱାସ ପ୍ରଶ୍ୱାସ ନେବା, ନିଶ୍ୱାସ ପ୍ରଶ୍ୱାସ ନେବାବେଳେ ଛାତି ଭିତରକୁ ପଶିଯିବା ଓ ଅତ୍ୟଧିକ ଜ୍ୱର ଥିବା ଭଳି ଲକ୍ଷଣ ଦେଖିଲେ ତୁରନ୍ତ  ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ କ୍ରମେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରେରଣ କରିବେ । ନିମୋନିଆ ଗୁରୁତର ହେଲେ ପିଲା ଖାଇବା ପିଇବା ନ କରିବା,ବାତ ମାରିବା, ନିସ୍ତେଜ ହୋଇ ଅତ୍ୟଧିକ ଶୋଇ ରହିବା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ ,ପିଲାକୁ ବଞ୍ଚେଇବା କଷ୍ଟ ହୋଇଥାଏ । ଏହା ସହ ପି.ସି.ଭି.ଟୀକାକରଣ ସୁନିଶ୍ଚିନ୍ତ କରିବେ , କାରଣ ଏହି ଟୀକା ଶିଶୁକୁ ନିମକୋକସ ଜୀବାଣୁ ଜନିତ ନିମୋନିଆ ଓ ମସ୍ତିସ୍କ ସଂକ୍ରମଣରୁ ସୁରକ୍ଷା ଦେଇଥାଏ  ବୋଲି ସେ କହି ଥିଲେ I ଏହି ଟୀକା ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିନାମୁଲ୍ୟରେ ଉପଲବ୍ଧ ।   ଅଧିକ ସମୟ ଧୂଆଁ ପାଖରେ ରହିଲେ, ଜଳବାୟୁ ପରିବର୍ତ୍ତନ ହେଲେ, ରୋଗ ପ୍ରତିରୋଧକ ଶକ୍ତି କମ ଥିଲେ, ପୁଷ୍ଟିକର ଖାଦ୍ୟ ନ ଖାଇଲେ ନିମୋନିଆ ହବାର ସମ୍ଭାବନା ବଢିଯାଏ  ବୋଲି ସେ ବକ୍ତବ୍ୟ ରଖିଥିଲେ। ଏହା ସହ ନିମୋନିଆ ପ୍ରତିରୋଧର ମାଧ୍ୟମ  ଓ ଆଶା ସ୍ତରରୁ ଡାକ୍ତରଙ୍କ ସ୍ତର ପର୍ଯ୍ୟନ୍ତ ଥିବା ଦାୟିତ୍ୱ ବିଷୟ ରେ ମଧ୍ୟ ଅବଗତ କରାଇଥିଲେ। ଜ଼ିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା କହିଥିଲେ କମ ଓଜନ ବିଶିଷ୍ଟ ଶିଶୁ ଜନ୍ମ ହୋଇଥିଲେ କିମ୍ବା ସମୟ ପୂର୍ବରୁ ଜନ୍ମ ହୋଇଥିଲେ ନିମୋନିଆର ବିପଦ ବଢିଯାଏ । ଆଶାମାନେ ଘର ଘର ବୁଲି ୫ ବର୍ଷରୁ କମ ବୟସର ପିଲାମାନଙ୍କ ତାଲିକା ପ୍ରସ୍ତୁତ କରିବେ  ଓ ଆବଶ୍ୟକ ସ୍ଥଳେ ଲକ୍ଷଣ ଦେଖି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରେରଣ କରିବେ ।

ତାପରେ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ  ସଭାଗୃହ ଠାରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା , ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନାବେଦ ମୋମିନ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟସନ ମାଧ୍ୟମରେ ଏହି ଦିବସ ପାଳନର ଅଭିପ୍ରାୟ ବିଷୟରେ କହିଥିଲେ ନିମୋନିଆ ଏକ ଅତି ଗୁରୁତର ରୋଗ ଅଟେ, ୫  ବର୍ଷରୁ କମ ବୟସର ଶିଶୁ ମୃତ୍ୟୁ ର  ଏହା ଏକ ମୁଖ୍ୟ କାରଣ । ତେଣୁ ଏହାର ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ସ୍ୱାସ୍ଥ୍ୟକର୍ମୀ କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଅନ୍ତୁ । ଲୋକମାନଙ୍କୁ ସଚେତନ କରିବା ଯେପରି ନିମୋନିଆରେ କୌଣସି ଶିଶୁ ମୃତ୍ୟୁମୁଖରେ ନପଡ଼ନ୍ତୁ ,ଏହା ଆମର ଦାୟିତ୍ୱ ବୋଲି ସେ କହିଥିଲେ। । ଉକ୍ତ ସଭାରେ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ସଚେତନତା ନିମନ୍ତେ   ଲିଫଲେଟ, ପୋଷ୍ଟର, ଷ୍ଟିକର ଇତ୍ୟାଦିର ବ୍ୟବହାର  ବିଷୟରେ ଅବଗତ କରିଥିଲେ।

Leave a Reply

Your email address will not be published. Required fields are marked *