ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

ଜଗତସିଂହପୁର, ୧୪/୧୨/୨୦୨୩ (ଓଡ଼ିଶା ସମାଚାର)-ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକୁଲ୍ୟ ରେ ଜିଲ୍ଲା ସଡକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ଜିଲ୍ଲା ରେ ସଡକ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।୨୦୨୩ ରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ପୂର୍ବ ବର୍ଷ ଅପେକ୍ଷା କମ ରହିଛି ଯାହା କି ଜିଲ୍ଲା ପାଇଁ ଏକ ଭଲ ସୂଚନା ବୋଲି ଶ୍ରୀ ରାଉତ କହିଥିଲେ। ତଥାପି ଦୁର୍ଘଟଣାର ହାର ହ୍ରାସ କରିବା ପାଇଁ ସେ ପୋଲିସ ଓ ପରିବହନ ବିଭାଗ କୁ ଆହୁରି ସଜାଗ ହୋଇ ଆଇନ ର ଉପଯୋଗ ସହ ଆବଶ୍ୟକ ସ୍ଥଳେ ଆଇନ ଅମାନ୍ୟକାରୀ ମାନଙ୍କ ପାଇଁ ଦଣ୍ଡ ବିଧାନ କରିବାକୁ ପରାମର୍ଶ ଦେଇଥିଲେ। ଗାଡି ଚଲାଇବା ସମୟରେ ମୋବାଇଲ ରେ କଥା ହେବା ଓ ଡ୍ରୀଙ୍କ ଆଣ୍ଡ ଡ୍ରାଇଭ ସଂପ୍ରତି ଦୁର୍ଘଟଣାର ଏକ ପ୍ରମୁଖ କାରଣ ଏବଂ ଉଭୟ ପୋଲିସ ଓ ପରିବହନ ବିଭାଗ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ସଂପୃକ୍ତ ବ୍ୟକ୍ତି ଙ୍କୁ ସଚେତନ କରାଇବା ନିମନ୍ତେ କୌଣସି ଟ୍ରେନିଂ ଅନୁଷ୍ଠାନ କୁ ପଠାଇବା ଓ ସେଠାରୁ ସାର୍ଟିଫିକେଟ ପାଇସାରିବା ପରେ ସେମାନଙ୍କୁ ଗାଡି ଚଲାଇବା ର ଅନୁମତି ଦେବା ଭଳି ଅଭିନବ ଉପାୟ ର ପରାମର୍ଶ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ। ସେହିପରି ୪୦ ବର୍ଷ ରୁ ଉର୍ଦ୍ଧ୍ବ ପ୍ରତ୍ୟେକ ବ୍ୟକ୍ତି ଙ୍କର ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ କରିବା ପାଇଁ କହିଥିଲେ। ଏନ୍ ଏଚ୍ ୫ ଏବଂ ଏନ୍ ଏଚ୍୫୫ ରେ ସମସ୍ତ ହମ୍ପ ଉଠାଇ ଦିଆଯାଇଥିବା ବେଳେ ଭୂତମୁଣ୍ଡାଇ ରୁ ଅଠରବାଙ୍କୀ ରାସ୍ତାରେ ଭାରୀଯାନ ଚଳାଚଳ ର ସ୍ପୀଡ ଲିମିଟ କମ୍ କରାଯାଇଛି।ଇଫକୋ ଛକ ଏବଂ ଜିରୋ କ୍ରସିଂ ଠାରେ ଫ୍ଲାଏ ଓଭର ର ନିର୍ମାଣ ନେଇ ବୈଠକ ରେ ଆଲୋଚନା ହୋଇଥିଲା।ଏଥିସହିତ ରାସ୍ତାର ବ୍ଲାକ ସ୍ପଟ ଚିହ୍ନଟ ଏହାର ପ୍ରତିକାର, ରାସ୍ତା ପାର୍ଶ୍ଵବର୍ତ୍ତୀ ବୃକ୍ଷ ର ପେଣ୍ଟିଂ କରିବା,ନୋ ପାର୍କିଂ ଜୋନ ରେ ସାଇନବୋର୍ଡ ଲଗାଇବା,ଟ୍ରାଫିକ ମ୍ୟାନେଜମେଣ୍ଟ,ପୌରାଞ୍ଚଳ ରେ ବୁଲାପ୍ରାଣୀ ସମସ୍ୟା ,ରକ୍ଷକ କାର୍ୟ୍ୟକର୍ତ୍ତା ଙ୍କ ପ୍ରଶିକ୍ଷଣ, ସୁବାହକ ଯୋଜନା ସଡକ ସୁରକ୍ଷା ପାର୍ଲିଆମେଣ୍ଟ କମିଟି ଗଠନ, ବ୍ରିଜ୍ ଗୁଡିକ ର ଭାଙ୍ଗିଯାଇଥିବା ବାଡା ଗୁଡିକର ମରାମତି ଆଦି ବିଷୟ ରେ ଆଲୋଚନା କରାଯାଇଥିଲା।ଜଗତସିଂହପୁର ଓ ପାରାଦ୍ବୀପ ପୌର ପରିଷଦରେ ଇଣ୍ଟିଗ୍ରେଟେଡ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ ର ଉପଯୋଗ ପାଇଁ ନିଷ୍ପତ୍ତି ନିଆ ଯାଇଥିଲା।ରାସ୍ତା କଡ଼ରେ ଥିବା ବିଦ୍ୟାଳୟ ଗୁଡିକୁ ଚିହ୍ନଟ କରିବା ପାଇଁ ଜିଲ୍ଲା ସ୍ତରୀୟ କମିଟି ଗଠନ,କଲେଜ ପିଲାମାନଙ୍କ ଗାଡି ଚଳାଇବା ନେଇ କଟକଣା ଓ ଡ୍ରାଇଭିଂ ଲାଇସେନ୍ସ ର ଯାଞ୍ଚ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ। ଜିଲ୍ଲାରେ ମୃତ୍ୟୁ ଶୂନ୍ୟ ସପ୍ତାହ ଦୁଇଥର ପାଳନ ହୋଇଯାଇଛି, ଯାହା ୧ ଏପ୍ରିଲ ରୁ ୭ ଏପ୍ରିଲ ଏବଂ ୧ ଡିସେମ୍ବର ରୁ ୭ ଡିସେମ୍ବର ପର୍ୟ୍ୟନ୍ତ ପାଳନ କରାଯାଇଛି। ଏହା ଅନ୍ତର୍ଗତ ବିଭିନ୍ନ ସଚେତନତା ମୂଳକ କାର୍ୟ୍ୟକ୍ରମ ସହ ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାସ୍ତରରେ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି। ଡିସେମ୍ବର ରେ ଶୀତ ଦିନ ଯୋଗୁଁ କୁହୁଡ଼ି ଅଧିକ ହେଉଛି ଏବଂ ପିକନିକ୍ ର ରୁତୁ ହୋଇଥିବାରୁ ପୋଲିସ ବିଭାଗ କୁ ଅଧିକ ପାଟ୍ରୋଲିଂ କରିବା ପାଇଁ ଅନୁରୋଧ କରିଥିଲେ ଆଞ୍ଚଳିକ ପରିବହନ ଅଧିକାରୀ ।ବୈଠକରେ ଗୁଡ଼ ସମାରିଟାନ ଭାବେ ଜିଲ୍ଲାର ପଙ୍କଜ କୁମାର ତରାଇ, ଏସ୍ କେ ସବିର ଅଲ୍ଲି,ଆଶିର୍ବାଦ ଦାସ,ଏସ୍ କେ ରାଜା ଉଦ୍ଦିନ,ସୁନିଲ କୁମାର ବେହେରା ଓ ରଞ୍ଜନ କୁମାର ତାରେଣୀ ଙ୍କୁ ସମ୍ମାନିତ କରାଯାଇଥିଲା। ବୈଠକରେ ଯୋଗଦେଇ ଥିବା ଓ ଜିଲ୍ଲା ର ସମସ୍ତ ଅଟୋମୋବାଇଲ ଡିଲରମାନେ ସେମାନଙ୍କ ର ଗ୍ରାହକ ମାନଙ୍କୁ ସଡକ ସୁରକ୍ଷା ସଚେତନତା ବାର୍ତ୍ତା ଲିଫଲେଟ ବଣ୍ଟନ ଓ ଏଲଇଡ ରେ ଭିଡିଓ କ୍ଲିପ ମାଧ୍ୟମରେ ପ୍ରଦାନ କରିବେ।ଏହି ବୈଠକ ରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅମରେନ୍ଦ୍ର ପଣ୍ଡା ଯୋଗଦେଇ ଦୁର୍ଘଟଣାର କାରଣ ଓ ନିରାକରଣ ଉପରେ ବିସ୍ତୃତ ଆଲୋଚନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ,ଜିଲ୍ଲା ତଥା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଏନ ଏଚ ଏ ଆଇ ର ଅଧୀକ୍ଷଣ ଯନ୍ତ୍ରୀ, ପ୍ରମୁଖ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।ବସ ଓ ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା,ସହରର ବରିଷ୍ଠ ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି କାର୍ୟ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ ।
-୦-

Leave a Reply

Your email address will not be published. Required fields are marked *