ବାର୍ଡ ଫ୍ଲୁ ପ୍ରତିରୋଧ କରିବାକୁ ଜିଲା ପ୍ରଶାସନ ସତର୍କ

କେନ୍ଦ୍ରାପଡ଼ା, ୩୧/୮/୨୦୨୪ (ଓଡ଼ିଶା ସମାଚାର)- ବାର୍ଡ ଫ୍ଲୁ ପ୍ରତିରୋଧ କରିବାକୁ ଜିଲା ପ୍ରଶାସନର ସତର୍କତା ବୈଠକ ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇ ଯାଇଛି । ସୂଚନା ଯୋଗ୍ୟଯେ ବାର୍ଡ ଫ୍ଲୁ ଏକ ମାରାତ୍ମକ ଆଭିଆନ୍ ଇନଫ୍ଲୁଏଞ୍ଜା ଟାଇପ୍ ଏ (ଏଚ୍-୫ ଏନ୧) ଭୁତାଣୁ ଜନିତ ରୋଗ । କୁକୁଡା, ବତକ, ଟର୍କି, ଗିନି ଫାଉଲ ଓ ପାଣି କୁଆ ଆଦି ପକ୍ଷୀମାନେ ସାଧାରଣତଃ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ବିଦେଶାଗତ ପକ୍ଷୀମାନଙ୍କ ଠାରୁ କୁଆ, ବଗ ପ୍ରଭୃତି ବନ୍ୟ ପକ୍ଷୀମାନଙ୍କ ମାଧ୍ୟମରେ ଗୃହପାଳିତ ପକ୍ଷୀମାନଙ୍କୁ ଏହି ଭୁତାଣୁ ସଂକ୍ରମଣ ହୋଇଥାଏ । କୁକୁଡ଼ାମାନଙ୍କ ଦ୍ୱାରା ମନୁଷ୍ୟ ସଂକ୍ରମିତ ହୋଇଥାନ୍ତି । ଏହି ରୋଗ ପ୍ରତ୍ୟକ୍ଷ ଭାବେ ଆକ୍ରାନ୍ତ ବା ମୃତ ପକ୍ଷୀର ସଂସ୍ପର୍ଶରେ ଆସିଲେ କିମ୍ବା ପରୋକ୍ଷ ଭାବେ ସେମାନଙ୍କ ଠାରୁ ନିର୍ଗତ ଲାଳ, ମଳ ଓ ମୂତ୍ର ଦ୍ୱାରା ଜଳ, ମାଟି କିମ୍ବା ଖାଦ୍ୟ ମାଧ୍ୟମରେ ବ୍ୟାପିଥାଏ । ରୋଗ ଆରମ୍ଭ ହେବାର ୪୮ଘଂଟା ମଧ୍ୟରେ ଶତକଡା ୭୦-୮୦ ଭାଗ ପକ୍ଷୀ ମୃତ୍ୟୁବରଣ କରିଥାନ୍ତି । ଏହାକୁ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ଭାବେ ରାଜ୍ୟ ବାହାରୁ ଆସୁଥିବା କୁକୁଡା ଓ ଅଣ୍ଡା ଉପରେ କଟକଣା ଜାରି କରିବା ନିମନ୍ତେ ଜିଲାପାଳ ନିର୍ଦ୍ଧେଶ ଦେଇଛନ୍ତି । ଜିଲା ପ୍ରବେଶ ଓ ପ୍ରସ୍ଥାନ ମାର୍ଗ ଯଥା ଚାନ୍ଦୋଳ, ରାଜକନିକା ବ୍ରିଜ ଓ ଇନ୍ଦୁପୁର ବ୍ରିଜ ନିକଟରେ ଚେକିଂ ପୋଷ୍ଟ କରିବାକୁ ସ୍ଥିର କରାଯାଇଛି । ଜିଲାରେ ଯଦି କୌଣସି ସ୍ଥାନରେ ବାର୍ଡ ଫ୍ଲୁ ହେବାର ରକ୍ତ ନମୁନା ପରୀକ୍ଷାରୁ ଜଣାପଡେ ତେବେ ଏହାକୁ ରୋକିବା ପାଇଁ ଟିମ ଗଠନ କରାଯାଇଛି । ଏହି ରୋଗ ସମ୍ପର୍କରେ କୁକୁଡ଼ା ଚାଷୀ ଏବଂ ବ୍ୟବସାୟୀ ମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଯେପରି ଏହି ରୋଗ ଦ୍ୱାରା ମନୁଷ୍ୟ ସଂକ୍ରମିତ ନ ହୁଅନ୍ତି ସେଥି ପ୍ରତି ସତର୍କ ରହିବା ଆବଶ୍ୟକ ବୋଲି ଜିଲାପାଳ ମତ ଦେଇଥିଲେ । ଏହି ରୋଗର ନିରାକରଣ ପାଇଁ ବିଦେଶୀ ଆଗନ୍ତୁକ ପକ୍ଷୀଙ୍କ ସଂସ୍ପର୍ଶରେ ଆସିବା ଅନୁଚିତ୍ । କୁକୁଡ଼ାଙ୍କୁ ସୁଷମ ତଟକା ଖାଦ୍ୟ ପ୍ରଦାନ, ପରିଷ୍କାର ପରିଚ୍ଛନ୍ନ ଘର ତଥା ପାନୀୟ ଜଳ ଯୋଗାଣ ଓ ସମସ୍ତ ପ୍ରତିଷେଧକ ଟିକା ଆଦି ପ୍ରଦାନ କରିବା ଉଚିତ୍ । ବାହ୍ୟ ପ୍ରାଣୀ, ଯାନବାହାନ ଓ ମନୁଷ୍ୟକୁ କୁକୁଡା ଭାଡି ବା ଫର୍ମ ମଧ୍ୟକୁ ଅବାଧ ପ୍ରବେଶ କରାଇବା ଅନୁଚିତ୍ । ମୃତ ପକ୍ଷୀଙ୍କୁ ଏଣେତେଣେ ନ ଫୋପାଡି ଗଭୀର ଗାତ କରି ପୋତିଦେବା ଉଚିତ୍ । ଏହି ବୈଠକରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ଉପ ଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, କେନ୍ଦ୍ରାପଡା ଏସ.ଡି.ପି.ଓ ଦେବେନ୍ଦ୍ର ମଲିକ, ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଜିଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ, ବିଭିନ୍ନ ସିଏଚସି, ପିଏଚସିର ମେଡ଼ିକାଲ ଅଫିସର, କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ପୌରପରିଷଦର ନିର୍ବାହୀ ଅଧିକାରୀ ଏବଂ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *