ଜଗତସିଂହପୁର,୦୬/୧୧/୨୦୨୪ (ଓଡ଼ିଶା ସମାଚାର)-ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ତା ୫.୧୧.୨୪ ରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାସ୍ତରୀୟ ପି.ସି.ପି.ଏ.ଏନ.ଡି.ଟି ପରାମର୍ଶ ଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଲିଙ୍ଗ ନିରୂପଣ କୁ କିଭଳି କଡ଼ାକଡ଼ି ଭାବରେ ରୋକାଯାଇ ପାରିବ ସେଥିପ୍ରତି ଗୁରୁତ୍ୱାରୋପ କରି ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବା ପଞ୍ଜୀକୃତ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକର ସମୀକ୍ଷା କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ତରଫରୁ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକୁ ନିୟମିତ ତନଖି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ନୂତନ କ୍ଲିନିକ୍ ପଞ୍ଜିକରଣ ଓ ନବୀକରଣ ପାଇଁ ଆବେଦନ ହୋଇଥିବା ଦରଖାସ୍ତ ଗୁଡ଼ିକ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଅନ୍ୟ ଏକ ଆବେଦନକାରୀ ପୁନଃ ନବୀକରଣ ପାଇଁ ଆବେଦନ କରି ନ ଥିବାରୁ ତାହାର ମେସିନ୍ କୁ ସିଲ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଅଲଟ୍ରାସାଉଣ୍ଡ କ୍ଲିନିକ୍ ବୈଠକ ରେ ପୂର୍ବ ବୈଠକର ବିବରଣୀ ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲା ରେ ଲିଙ୍ଗ ଅନୁପାତ ଅର୍ଥାତ୍ ପ୍ରତି ୧୦୦୦ ପୁଅରେ ଝିଅ ଙ୍କ ସଂଖ୍ୟା ୮୯୨ ଥିବାବେଳେ ଏହା କୁ ବର୍ଦ୍ଧିତ କରିବା ପାଇଁ ଜନ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବୈଠକ ର ପ୍ରାରମ୍ଭ ରେ ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ରଘୁନାଥ ନାୟକ ସ୍ଵାଗତ ଭାଷଣ ଦେଇଥିଲେ।ଉକ୍ତ ବୈଠକରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ, ଡ଼ା ପ୍ରମୋଦ କୁମାର ବାରିକ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଚିକିତ୍ସକ ଡ଼ା ରବୀନ୍ଦ୍ର ନାଥ ପାଲ, ସରକାରୀ ଆଇନ୍ ପରାମର୍ଶ ଦାତା ସଲିଲ କୁମାର୍ ଘୋଷ, ଡ୍ରଗସ୍ ଇନସ୍ପେକ୍ଟର ମନସ୍ଵିନୀ ବିଶ୍ଵାଳ, ସମାଜସେବୀ ଜ୍ୟୋତିର୍ମୟୀ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ସହକାରୀ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ମେଡିକାଲ ଡ଼ା ସରୋଜ କୁମାର ଜେନା , ଡି ପି ଏମ ଚକ୍ରଧର ଜେନା, ଡେପୁଟି ମ୍ୟାନେଜର ଚକ୍ରଧର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଆସିଷ୍ଟାଣ୍ଟ ମ୍ୟାନେଜର ସ୍ଵସ୍ତି ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ। ଯେଉଁ ଔଷଧ ଦୋକାନୀ ମାନେ ବିନା ପ୍ରେସକ୍ରିପସନ ରେ ଔଷଧ ବିକ୍ରି କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଡ୍ରଗ ଇନ୍ସପେକ୍ଟର ଙ୍କୁ ନିର୍ଦ୍ଦେଶ ଦେଇଥିଲେ।