କୁଷ୍ଠ ରୋଗ ଚିହ୍ନଟ ପାଇଁ ଜିଲା ସ୍ତରୀୟ ସମନ୍ୱୟ କମିଟି ବୈଠକ

କେନ୍ଦ୍ରାପଡ଼ା, ୨୦/୧୧/୨୦୨୩ (ଓଡ଼ିଶା ସମାଚାର)- କୁଷ୍ଠରୋଗମୁକ୍ତ ଜିଲ୍ଲା ଗଠନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି । ଘରକୁଘର ବୁଲି ଅଶା କର୍ମୀ ଏବଂ ମହିଳା ସ୍ୱାସ୍ଥ୍ୟକର୍ମୀମାନେ କୁଷ୍ଠ ରୋଗ ଚିହ୍ନଟ କରିବେ । ଏହି ରୋଗରୁ ଆରୋଗ୍ୟ ଲାଭ ପାଇଁ ସଚେତନତାର ବାର୍ତା ବାଂଟିବା ସହ ଚିହ୍ନଟ ହୋଇଥିବା ବ୍ୟକ୍ତିକୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ଯିବା ପାଇଁ ପରାମର୍ଶ ଦେବେ । ସର୍ବାଧିକ କୁଷ୍ଠରୋଗୀ ଥିବା ରାଜନଗର ବ୍ଲକ୍ କୁ ପ୍ରାଥମିକ ସ୍ତରରେ ଟାର୍ଗେଟ କରାଯାଇଛି । ଡିସେମ୍ବର ମାସ ୧ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ବ୍ଲକ୍ ରେ ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ବ୍ଲକ୍ ରେ ଥିବା ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ସହ ସେମାନଙ୍କ ଆରୋଗ୍ୟ ଉଦ୍ଧେଶ୍ୟରେ ଆଜି ଏକ ଜିଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରୁଣା ମୁଖ୍ୟ ଡାକ୍ତରଖାନା ସମ୍ମିଳନୀ କକ୍ଷରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନୀତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମୀର୍ଜା ବାବର୍ ବେଗ୍, ପ୍ରଶାସନିକ ଅଧିକାରୀ୍ ଅଞ୍ଜଳୀ ତରାଇ, ଏସଏମ୍ ଓ ଡା. ନୃପେନ୍ ଶତପଥି, ଜିଲା କୁଷ୍ଠ ଅଧିକାରୀ ଡା. ପ୍ରଦୀପ ଦାସ, ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡା. ପି.କେ ଶୁକ୍ଲା, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ବିପିଏମ୍ ଶ୍ରୀକାନ୍ତ ଦାସ, ଜିଲା ଶିକ୍ଷା କାର୍ଯ୍ୟାଳୟର ପ୍ରତିନିଧି ପ୍ରକାଶ ଚନ୍ଦ୍ର ଦାସ, କୁଷ୍ଠ ବିଭାଗର କାର୍ଯ୍ୟକର୍ତା କଳ୍ପତରୁ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମନ୍ୱୟ କମିଟି ରାଜ୍ୟ ସରକାରଙ୍କ ନିର୍ଦ୍ଧେଶାବଳୀ ଅନୁଯାୟୀ କୁଷ୍ଠରୋଗର ଚିହ୍ନଟ, ତଦାରଖ ଏବଂ ଏହାର ସଫଳ କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିବେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ସମନ୍ୱୟ କମିଟି ବୈଠକ କାର୍ଯ୍ୟକ୍ରମ ପରିଚାଳନା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଜିଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶାନ୍ତିଲତା ଚାନ୍ଦ । ସୂଚନାଯୋଗ୍ୟ ଯେ, କୁଷ୍ଠରୋଗରୁ ମୁକ୍ତି ପାଇଁ ରାଜ୍ୟ ସରକାର ଏମ୍ଡିଟି(ମଲ୍ଟି ଡ୍ରଗ୍ ଥେରାପି) ଔଷଧ ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ଯୋଗାଇ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *