ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ଏବଂ ଜନସାଧାରଣଙ୍କୁ ତ୍ୱରିତ ସେବା ପ୍ରଦାନ ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୦୫/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଗୃହ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀ ସତ୍ୟବ୍ରତ ସାହୁ,ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀ ଦେଓରଂଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନସଚିବ ଏବଂ କମିଶନର ତଥା ଶାସନସଚିବମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକାରୀ ହେଉଥିବା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସଫଳ କାର୍ଯ୍ୟକାରିତା ନିମନ୍ତେ ସଚିବମାନେ ନିୟମିତ ସମୀକ୍ଷା ଓ ତଦାରଖ କରିବା ସହିତ ଜନସାଧାରଣଙ୍କୁସେବା ପ୍ରଦାନରେ ତ୍ୱରିତ ପଦକ୍ଷେପ ନିଆଯିବାକୁ ବୈଠକରେ ଆଲୋକପାତ କରାଯାଇ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା ।
ମୁଖ୍ୟ ଶାସନସଚିବ ଶ୍ରୀ ଆହୁଜା ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ଅଗ୍ରଗତି ସଂପର୍କରେ ଗୁରୁତ୍ୱ ଦେବା ସହ ୨୦୨୪-୨୫ଆର୍ଥିକ ବର୍ଷରେ ବଜେଟ ଅନୁମୋଦନ ଅନୁସାରେ ଧାର୍ଯ୍ୟ ଲକ୍ଷ୍ୟ ମୁତାବକ କାର୍ଯ୍ୟ କରି କାର୍ଯ୍ୟକ୍ରମ ବ୍ୟୟ ତ୍ୱରାନ୍ୱିତ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ। ସେହିଭଳି କେନ୍ଦ୍ରୀୟ ଅନୁଦାନଅର୍ଥର କାର୍ଯ୍ୟକାରିତା ଏବଂ ଖର୍ଚ୍ଚ ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରାଯାଇଥିଲା।
ବିଭିନ୍ନ ବିଭାଗରେ ଖାଲିପଡ଼ିଥିବା ପଦବୀପୂରଣ ନିମନ୍ତେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ନିଆଯାଇଥିବା ପଦକ୍ଷେପ, ‘ଭିଜନ ଡକ୍ୟୁମେଣ୍ଟ’: ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ ସଂପର୍କିତ ପ୍ରସ୍ତାବ ଗ୍ରହଣ, ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ଅଧିନରେ ପ୍ରଦାନ କରାଯାଉଥିବା ବିଭିନ୍ନ ସେବାକୁ ଗୁରୁତ୍ୱ ଦେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯିବା ଏବଂ ଅବସର ଗ୍ରହଣ ଦିନ ଯେପରି ସରକାରୀ କର୍ମଚାରୀ ଚୂଡ଼ାନ୍ତ ପେନସନ ପାଇପାରିବେ, ସେଥି ନିମନ୍ତେ ଆବଶ୍ୟକ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରକ୍ରିୟା ଉପଯୋଗରେ ସୁବ୍ୟବସ୍ଥା କରାଯିବା ସଂପର୍କରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା।
ସେହିପରି ସମବାୟ କ୍ଷେତ୍ରରେ ମାର୍କେଟିଂ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା, ବିଭିନ୍ନ ସରକାରୀ ପ୍ରକଳ୍ପ କାର୍ଯ୍ୟନ୍ୱୟନରେ ସବୁ ସ୍ତରରେ ସ୍ୱଚ୍ଛତା ରକ୍ଷାସହ କାର୍ଯ୍ୟ ସଂପାଦନ କରିବାକୁ ଗୁରୁତ୍ୱ , ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ଅର୍ଥ ବା ସବସିଡି ଅର୍ଥ ସିଧାସଳଖ ଅନ୍-ଲାଇନ୍ ଜରିଆରେ ପ୍ରେରଣ କରାଯିବା, ସୁଭଦ୍ରା ଯୋଜନା ପ୍ରଥମକିସ୍ତିର ୩ୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ଅର୍ଥ ପ୍ରେରଣ ସଂପର୍କରେ ଆଲୋଚନା କରାଯାଇ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା । ଆହୁରି ମଧ୍ୟ ଗ୍ରାମୀଣ ଓ ରାଜ୍ୟ ରାଜପଥ ରାସ୍ତାନିର୍ମାଣ, ସହରାଂଚଳ ବିକାଶ ସମେତ ବୟନଶିଳ୍ପ, ଶିଳ୍ପ ଓ ଆନୁଷଙ୍ଗିକ ଶିଳ୍ପ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସଂପର୍କରେ ଆଲୋଚନା କରାଯାଇଥିଲା ।
-0-
ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ