ଦକ୍ଷିଣ କୋରିଆରେ ବାଚସ୍ପତି :ଭାରତୀୟ ଦୂତାବାସ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଶିକ୍ଷା, ସାମାଜିକ, ସାଂସ୍କୃତିକ ଭାବବିନିମୟ ସମ୍ପର୍କରେ ଆଲୋଚନା

ଭୁବନେଶ୍ୱର, ୦୪/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ତାଙ୍କର ବିଦେଶ ଗସ୍ତ କାର୍ଯ୍ୟକ୍ରମ ଅବସରରେ ଦକ୍ଷିଣ କୋରିଆଠାରେ ପହଞ୍ଚିଥିବାବେଳେ ସେଠାକାର ଭାରତୀୟ ଦୂତାବାସ ପକ୍ଷରୁ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେଠାରେ ଥିବା ଭାରତର ରାଷ୍ଟ୍ରଦୂତ ଶ୍ରୀ ଅମିତ କୁମାର ବାଚସ୍ପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ଅବସରରେ ଦୁଇଦେଶ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ଅବତାରଣା କରିବା ସାଙ୍ଗକୁ ଓଡ଼ିଶା ସହ ଦକ୍ଷିଣ କୋରିଆର ସାମାଜିକ ଓ ସାଂସ୍କୃତିକ ଭାବବିନିମୟ ସମ୍ପର୍କରେ ଆଲୋଚନା ହୋଇଥିଲା ।

ଏହି ଅବସରରେ ଶ୍ରୀ ଅମିତ କୁମାରଙ୍କ ସହ ବାଚସ୍ପତି ଦକ୍ଷିଣ କୋରିଆର ବୃହତ ଇସ୍ପତ ନିର୍ମାଣକାରୀ କମ୍ପାନୀ ପୋସ୍କୋ ସହ ଜିନ୍ଦଲ ଷ୍ଟିଲ କମ୍ପାନୀ ମଧ୍ୟରେ ହୋଇଥିବା ବୁଝାମଣା ଚୁକ୍ତି ଓ ଓଡ଼ିଶାରେ ଇସ୍ପାତ କମ୍ପାନୀ ପ୍ରତିଷ୍ଠା, ପୁଞ୍ଜିନିବେଶ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସାୟିକ ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ଆଲୋଚନା କରିଥିଲେ ।

ଏହା ସହ ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରର ବିକାଶରେ ପାରସ୍ପରିକ ସହଯୋଗ ବିଷୟ ଆଲୋଚନାରେ ସ୍ଥାନ ପାଇଥିଲା । ଦକ୍ଷିଣ କୋରିଆରେ ଓଡ଼ିଶୀ ନୃତ୍ୟର ପ୍ରଚାର, ପ୍ରସାର ଓ ଲୋକପି୍ରୟତା ସମ୍ପର୍କରେ ସୂଚନା ଦେଇ ରାଷ୍ଟ୍ରଦୂତ ଶ୍ରୀ ଅମିତ କୁମାର କହିଥିଲେ ଯେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଫର କଲ୍‌ଚରାଲ୍‌ ରିଲେସନ୍ସ (ଆଇସିସିଆର୍‌) ପକ୍ଷରୁ ଦକ୍ଷିଣ କୋରିଆ ସ୍ଥିତ ଭାରତୀୟ ଦୂତାବାସଠାରେ ଆୟୋଜିତ ‘ସାରଙ୍ଗ’ ଉତ୍ସବକୁ ଏକ ଓଡ଼ିଶୀ ନୃତ୍ୟ ଦଳ ପଠାଯାଇଥିବାବେଳେ ସେମାନେ ସେଠାରେ ମୁଖ୍ୟ ସ୍ଥାନଗୁଡ଼ିକରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଏଠାକାର ସ୍ଥାନୀୟ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ରଠାରେ ମଧ୍ୟ ନିୟମିତ ଓଡ଼ିଶୀ ନୃତ୍ୟ ଶିକ୍ଷା ପ୍ରଦାନ କରାଯାଉଅଛି ବୋଲି ଶ୍ରୀ ଅମିତ କୁମାର ବାଚସ୍ପତି ସୁରମା ପାଢ଼ୀଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ ।

ବିଭୂତି ନାୟକ, ସୂଚନା ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *