ରାଉରକେଲା,୦୪/୧୧/୨୦୨୪ (ଓଡ଼ିଶା ସମାଚାର)- ପୁଣି ଥରେ ରାଉରକେଲା ସହର ଦେଇ ଯାଇଥିବା କୋଏଲ ନଦୀରେ ଗାଧୋଇବା ଅବସ୍ଥାରେ ଜଣେ ନାବାଳକ ଛାତ୍ର ନିଖୋଜ ହୋଇଛନ୍ତି। ରବିବାର ସହରର ସେକ୍ଟର-୧୯ ଥାନା ଅନ୍ତର୍ଗତ ହମିରପୁର ଘାଟ ନିକଟରେ ୪ଜଣ ନାବାଳକ ଛାତ୍ର ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସମସ୍ତ ୪ ଜଣଯାକ ବୁଡିଯାଉଥିବା ଦେଖିବାକୁ ମିଳିଥିଲା। ଏହାପରେ କିଛି ସ୍ଥାନୀୟ ଲୋକେ ବୁଡିଯାଉଥିବା ଛାତ୍ରଙ୍କ ମଧ୍ୟରୁ ୩ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ। କିନ୍ତୁ ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଏବଂ ସେକ୍ଟର-୧୯ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଅମ ବାହିନୀ ପକ୍ଷରୁ ନିଖୋଜ ଛାତ୍ରଙ୍କୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ସଫଳତା ମିଳିନଥିଲା। ଏହାପରେ ଓଡ୍ରାଫ୍ ଟିମ୍ର ବିଶେଷଜ୍ଞ ବୁଡ଼ାଳିଙ୍କ ଦ୍ବାରା ନିଖୋଜ ଛାତ୍ରକୁ ଖୋଜିବା ନିମନ୍ତେ ନିୟୋଜିତ କରାଯାଇଛି। ନିଖୋଜ ହୋଇଥିବା ଛାତ୍ର ନିକଟସ୍ଥ ସେକ୍ଟର-୨୦ ପମ୍ପ୍ ହାଉସ୍ ବସ୍ତିର ପଞ୍ଚମ ଶ୍ରେଣୀର ଛାତ୍ର ପ୍ରତୀକ ବାଡ଼ାଇକ। ଘଟଣା ସମ୍ପର୍କରେ ଜାଣିବା ପରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ତଦାରଖ କରୁଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ସୂଚନା ମୁତାବକ କୋଏଲ ନଦୀର ବିଭିନ୍ନ ଘାଟରେ ଗତ କିଛିବର୍ଷ ହେଲା ନିୟମିତ ବ୍ୟବଧାନରେ ନାବାଳକଙ୍କ ସମେତ ଯୁବକ ଏବଂ ଅନ୍ୟମାନଙ୍କର ଗାଧୋଇବା ସମୟରେ ବୁଡ଼ିଯିବା ଘଟଣା ଅନେକ ଥର ହୋଇସାରିଛି। ତେଣୁ ଘାଟରେ ସୂଚନା ଫଳକ ଲଗାଇବାକୁ ସାଧାରଣରେ ଦାବି ହେଉଛି।