ପାଲଲହଡା, ୩୦/୧୦/୨୦୨୪ (ଓଡ଼ିଶା ସମାଚାର)- ଗତ ରବିବାର ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ତଥା ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାଏକ ଙ୍କ ପାଲଲହଡା ଗସ୍ତ ସମୟରେ ପାଲଲହଡା ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାଏକ ମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟନ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ର ଫଳକ ଗୁଡିକୁ ଭାଙ୍ଗି ଦେଇଥିଲେ ଏବଂ କିଛି ବିଜେପି କର୍ମୀ ଙ୍କୁ ବିଜେଡି କର୍ମୀ ମାଡ ମାରିଥିବା ଏବଂ ପୋଲିସ ଦୋଷୀ ଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ମଙ୍ଗଳବାର ବିଜେପି ର ଶତାଧିକ କର୍ମୀ ପାଲଲହଡା ଥାନା କୁ ଘେରାଉ କରିବା ସହ ଥାନା ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ସୂଚନା ମୁତାବକ ରବିବାର ଉଦଘାଟନ ହେବାକୁ ଥିବା ପ୍ରକଳ୍ପ ଗୁଡିକରେ ପାଲଲହଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରିନା ରାଣୀ ନାଏକ ଙ୍କ ନାଁ ଦିଆଯାଇନଥିଲା, ଏହି ଖବର ପାଇ ଅଧ୍ୟକ୍ଷା ଶ୍ରୀମତୀ ନାଏକ ଜିଲ୍ଲାପରିଷଦ ସଭ୍ୟା ସାବିତ୍ରୀ ମାଝୀ, ସଦସ୍ୟ ବୁଦ୍ଧୁରାମ ବୋଇପାଇ,ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏବଂ ଦଳୀୟ କର୍ମୀ ମାନେ ପ୍ରକଳ୍ପ ଉଦଘାଟନ ସ୍ଥାନ ରେ ପହଞ୍ଚି ଫଳକ ଗୁଡିକୁ ଭାଙ୍ଗି ଦେଇଥିଲେ। ପୂର୍ବ ସରକାର ଅମଳରେ ପାଲଲହଡ଼ା ଶିବ ମନ୍ଦିର ର ଉନ୍ନତିକରଣ ପାଇଁ ୧୦ ଲକ୍ଷ ଟଙ୍କା ଏବଂ ଗାୟତ୍ରୀ ମନ୍ଦିର ପାଇଁ ୪ ଲକ୍ଷ ଟଙ୍କା ଆମ ଓଡିଶା ନବୀନ ଓଡିଶା ଯୋଜନା ରେ ଦିଆଯାଇଥିଲା ଏବଂ ପାଲଲହଡ଼ା ପଞ୍ଚାୟତ ସମିତି ର ସହଯୋଗ ରେ କାର୍ୟ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇସାରିଥିଲା ମାତ୍ର ଟଙ୍କା ଟିଏ ମଧ୍ୟ ଅନୁଦାନ ନଦେଇ ପଞ୍ଚାୟତ ସମିତି କୁ ଅପମାନିତ କରି ସ୍ଥାନୀୟ ବିଧାୟକ ମନ୍ତ୍ରୀ ଙ୍କୁ ଡାକି ଉଦଘାଟନ କରିବା ପାଲଲହଡ଼ା ପଞ୍ଚାୟତ ସମିତି ପ୍ରତି ଅପମାନ ତେଣୁ ମୁଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବରେ ଫଳକକୁ ଭାଙ୍ଗି ଦେଇଛି ବୋଲି ଶ୍ରୀମତୀ ନାଏକ ପ୍ରକାଶ କରିଥିଲେ। ପରେ ଅନ୍ୟ ଘଟଣା କ୍ରମରେ କିଛି ବିଜେଡି କର୍ମୀ ବିଜେପି ଯୁବମୋର୍ଚ୍ଚ ର କର୍ମୀ ଙ୍କୁ ମାଡ ମାରିଥିଲେ । ଏସବୁ କୁ ନେଇ ଥାନାରେ ପୃଥକ ପୃଥକ ଅଭିଯୋଗ କରାଯାଇଥିଲା। ସୋମବାର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଦୋଷୀ ଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ ନକଲେ ଥାନା ଘେରାଉ କରାଯିବ ବୋଲି ଚେତାବନି ଦେଇଥିଲେ।ମାତ୍ର ଘଟଣା କୁ ଦିର୍ଘ ତିନି ଦିନ ହୋଇଯାଇଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ କରି ପାରି ନଥିବାରୁ ଚେତାବନି ଅନୁସାରେ ବିଜେପି ଯୁବମୋର୍ଚ୍ଚା ର ଶତାଧିକା କର୍ମୀ ଥାନା ରେ ପୋଲିସ ବିରୁଦ୍ଧରେ ନାରାବାଜି କରିବା ସହିତ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଭିଯୁକ୍ତ ଙ୍କ ଗିରଫ ପାଇଁ ଅଡି ବସିଥିଲେ , ନଚେତ୍ ପୋଲିସ ର ଅବହେଳା ପାଇଁ ଆଗକୁ ପାଲଲହଡ଼ା ବନ୍ଦ କରାଯିବ ବୋଲି କହିଥିଲେ।ଏହି ବିକ୍ଷୋଭ ବେଳେ ବିଜେପି ମଣ୍ଡଳ ସଭାପତି ପଞ୍ଚାନନ ସାହୁ, ପ୍ରଭାରୀ ଆଶିଷ ସାମଲ, ଅର୍ଜୁନ ମାଝି, ବରିଷ୍ଠ ନେତା ମନୋଜ କୁମାର ସାହୁ, ଯୁବମୋର୍ଚ୍ଚା ସଭାପତି ହିମାଂଶୁ ନହରା, ଶଶିକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।