ଜିଲା ସ୍ତରୀୟ ବିପର୍ଯ୍ୟୟ ପ୍ରସମନ ଦିବସ

କେନ୍ଦ୍ରାପଡ଼ା, ୨୯/୧୦/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସମନ ଦିବସ-୨୦୨୪ ପାଳିତ ହୋଇଯାଇଛି । ୧୯୯୯ ମସିହା ଅକ୍ଟୋବର ୨୯ତାରିଖରେ ହୋଇଥିବା ମହାବାତ୍ୟାର କ୍ଷୟକ୍ଷତି ଯୋଗୁଁ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ଏହାର ସଫଳ ମୁକାବିଲା ନିମନ୍ତେ ଏକ ଗାଇଡ ଲାଇନ ପ୍ରସ୍ତୁତ କଲେ । ଫଳରେ ଏନେଇ ଏକ ବିଭାଗ ସୃଷ୍ଟି ହେଲା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । କେନ୍ଦ୍ରାପଡ଼ା ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲାରେ ବନ୍ୟା, ବାତ୍ୟାର କରାଳ ରୂପ ପ୍ରାୟ ଦେଖାଯାଇଥାଏ । ଏ ବର୍ଷ ବାତ୍ୟା ‘ଦାନା’ର ପ୍ରକୋପ ଭିତରକନିକାରେ ଥିବା ହେନ୍ତାଳ ବଣ ପ୍ରାକୃତିକ ସବୁଜିମା ଯୋଗୁଁ କମ ହୋଇଥିଲା । ସେଥି ପାଇଁ ପ୍ରକୃତି ଦେଇଥିବା ଏହି ବୃକ୍ଷରାଜିକୁ ସରଂକ୍ଷିତ ରଖିବା ସହ ପରିବେଶକୁ ସୁସ୍ଥ ରଖିଲେ ପ୍ରାକୃତିକ ବିପର୍ଯ୍ୟୟକୁ ଆମେ ସମସ୍ତେ ମୁକାବିଲା କରିପାରିବା ବୋଲି ଜିଲାପାଳ ମତବ୍ୟକ୍ତ କରିବା ସହ ବାତ୍ୟାରେ ଶୂନ୍ୟ ମୃତ୍ୟୁହାର ପାଇଁ ସମସ୍ତ ବିଭାଗୀୟ ଅଧିକାରୀ, ଅଗ୍ନିଶମ, ଓଡ୍ରାଫ, ଏନଡିଆରଏଫ ବିଭାଗକୁ ଜିଲାପାଳ ଧନ୍ୟବାଦ ଜଣାଇଥିଲେ । ଏହି ଉପଲକ୍ଷେ ଜିଲାପାଳ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଜିଲା କିମ୍ବା ରାଜ୍ୟ ପ୍ରତି କୌଣସି ସମୟରେ ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଯଥା ସାଧ୍ୟ କ୍ଷମତା ମୁତାବକ ଜନସାଧାରଣ ଓ ସରକାରୀ କଳକୁ ସାହାଯ୍ୟ କରିବା ସହ ବିପର୍ଯ୍ୟୟର ପୂର୍ବାବସ୍ଥା ଯଥା ଶୀଘ୍ର ଫେରିଆସିବା ନିମନ୍ତେ ପ୍ରତି ମୁହୂର୍ତରେ ଆଗଭର ରହିବା ପାଇଁ ଜିଲା ତଥା ରାଜ୍ୟର ଉତରୋତର ଉନ୍ନତି ନିମନ୍ତେ ସଦା ପ୍ରଚେଷ୍ଠିତ ହେବା ପାଇଁ ସମସ୍ତେ ଶପଥ ନେଇଥିଲେ । ଏହି ଉପଲକ୍ଷେ ସକାଳେ ମାରାଥନ, ରାଲିର ଆୟୋଜନ କରାଯାଇଥିଲା ଓ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ବିଭିନ୍ନ ସ୍ୱଚ୍ଛାସେବୀ ସଂଗଠନର କର୍ମକର୍ତାମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଜିଲା ପରିଷଦ ପରିସର ପର୍ଯ୍ୟନ୍ତ ସହର ପରିକ୍ରମା କରିଥିଲେ । ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜିଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପସମନ ଦିବସ-୨୦୨୪ ଅନୁଷ୍ଠିତ ହୋଇଥିଲା । ଏଥିରେ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଅଗ୍ନିଶମ ବିଭାଗ ପକ୍ଷରୁ ବିପର୍ଯ୍ୟୟ ପ୍ରଶମନ ଓ ଜୀବନ ରକ୍ଷା ସମ୍ପର୍କରେ ମକ୍ ଡ୍ରିଲ କରାଯାଇଥିଲା । ବୈଠକରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଦୟାସିନ୍ଧୁ ପରିଡା, ଅତିରିକ୍ତ ଉପ ଜିଲାପାଳ ଅଶୋକ କୁମାର ଦାସ, ଡେପୁଟି କଲେକ୍ଟର ପଲ୍ଲବୀ ପ୍ରିୟଦର୍ଶିନୀ, ଡେପୁଟି କଲେକ୍ଟର (ନିଜାରତ) ପଲ୍ଲବୀ ପାତ୍ର, ଡେପୁଟି କଲେକ୍ଟର (ରେଭିନ୍ୟୁ) କୁଇନ ଜେନା, ବିଭିନ୍ନ ଲାଇନ ଡିପାର୍ଟମେର ଅଧିକ୍ଷଣ ଓ ନିର୍ବାହୀ ଯନ୍ତ୍ରୀ, କେନ୍ଦ୍ରାପଡ଼ା ପୌରପରିଷଦ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଜିଲାସ୍ତରୀୟ ଅଧିକାରୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ସହକାରୀ ଅଗ୍ନିଶମ ଅଧିକାରୀ, ଆପଦକାଳୀନ ବିଭାଗର ଡିପିଓ ସନ୍ତୋଷ ବେହୁରା, ନେଚର୍ସ କ୍ଲବ ସମ୍ପାଦକ ବିରଜା ପତି, ସାଥିସମାଜର ସମ୍ପାଦକ, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି, ବୁଦ୍ଧିଜୀବୀ, ସ୍କୁଲର ଛାତ୍ରଛାତ୍ରୀ ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *