ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପାଇଁ ସଚେତନତା

କେନ୍ଦ୍ରାପଡ଼ା,୨୯/୧୦/୨୦୨୪ (ଓଡ଼ିଶା ସମାଚାର)- ମଙ୍ଗଳବାର ପୂର୍ବାହ୍ନ ୮ଟାରେ ଜିଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଉପଲକ୍ଷେ ପଥ ଉତ୍ସବ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥି ନିମନ୍ତେ ଏକ ପଦଯାତ୍ରା ଓ ସଚେତନତା ରଥ ଜିଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ନୂଆ ବସଷ୍ଟାଣ୍ଡ ଦେଇ ସହର ପରିକ୍ରମା କରି ଥିବାବେଳେ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ସୂଚନା ଯୋଗ୍ୟ ଯେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଧେଶକ୍ରମେ ଚଳିତ ଅକ୍ଟୋବରମାସ ୨୯ ତାରିଖରୁ ୨୮ ନଭେମ୍ବର ପର୍ଯ୍ୟନ୍ତ ଚାଲୁ ରହିଛି । ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ଭୁଲ ଓ ଶୁଦ୍ଧ ଭୋଟର ତାଲିକାର ଆବଶ୍ୟକତା ରହିଛି । ତେଣୁ ବିଶେଷ ଅଭିଯାନ ଦିବସ ଭାବେ ନଭେମ୍ବର-୨, ୧୦ ଓ ୨୪ ତାରିଖରେ ନିଜ ଘର ପାଖ ବୁଥରେ ଭୋଟର ତାଲିକାରେ ନାମ ଯୋଗ ଓ ସଂଶୋଧନ କରିବା ନିମନ୍ତେ ଏହି ସଚେତନତା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଓ ପଦଯାତ୍ରାର ଅଂଶଗ୍ରହଣ କାରୀମାନେ ସହର ପରିକ୍ରମା କରି ପୈାରସଂସ୍ଥା ଟାଉନ ହଲରେ ପହଂଚିଥିଲେ । ସେଠାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ ନିମନ୍ତେ ଆୟୋଜିତ ସାଧାରଣ ସଭାରେ ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ । ଭୋଟରମାନେ ନିକଟସ୍ଥ ବୁଥରେ ଭୋଟର ତାଲିକାରେ ଥିବା ନାମ ଯୋଗ ଓ ସଂଶୋଧନ କରିବାକୁ ମୁଖ୍ୟ ଅତିଥି ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ସମସ୍ତଙ୍କୁ ଅନୁରୋଧ ରଖିବା ସହ ସଚେତନତାର ବାର୍ତା ସମସ୍ତଙ୍କ ନିକଟରେ ପହଂଚିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ପଦଯାତ୍ରା, ପଥ ଉତ୍ସବ ଓ ସଭା କାର୍ଯ୍ୟକ୍ରମରେ ଜିଲା ପରିଷଦ ସଭାପତି ଲିଲିତା ଦାସ, ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଉପ ଜିଲାପାଳ ଅଶୋକ କୁମାର ଦାସ, ଡେପୁଟି କଲେକ୍ଟର (ନିର୍ବାଚନ) ରମେଶ ଚନ୍ଦ୍ର ପଣ୍ଡା, ଡେପୁଟି କଲେକ୍ଟର ପଲ୍ଲବୀ ପ୍ରିୟଦର୍ଶିନୀ, ଡେପୁଟି କଲେକ୍ଟର (ନିଜାରତ) ପଲ୍ଲବୀ ପାତ୍ର, ଡେପୁଟି କଲେକ୍ଟର (ରାଜସ୍ୱ) କୁଇନ ଜେନା, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ବିଭିନ୍ନ ସ୍ୱଚ୍ଛସେବୀ ସଂଗଠନ, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଓ ବୁଦ୍ଧିଜୀବୀ ପ୍ରମୁଖ  ଉପସ୍ଥିତ ଥିଲେ । ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ରେଙ୍ଗାଲୀ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ନୃତ୍ୟ ପ୍ରିୟା ଡାନ୍ସ ଏକାଡ଼େମୀ, ନୂପୁର ଡାନ୍ସ ଏକାଡ଼େମୀ ନୃତ୍ୟ ମାଧ୍ୟମରେ ସଚେତନତା ବାର୍ତା ଥିବା ବେଳେ ଯୋଗ ବେଦାନ୍ତ କଳା ନିକେତନ ପକ୍ଷରୁ ଯୋଗ ପ୍ରଦର୍ଶନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *