ଭୁବନେଶ୍ୱର, ୩୦/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତ ସରକାର ଏବଂ ରାଜ୍ୟ ସରକାର ମିଳିତ ଭାବେ ଲଘୁ ସମ୍ପ୍ରଦାୟ ଜାତି, ଅନ୍ୟାନ୍ୟ ପଛୁଆବର୍ଗ ଜାତି, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ନିମନ୍ତେ ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରିତା କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କଠାରୁ ଆରମ୍ଭ କରି ମହିଳାମାନଙ୍କ ବିକାଶ ଦିଗରେ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ ତାଲିମ, ଆତ୍ମନିଯୁକ୍ତି, ସଂସ୍କୃତି ଓ ପରମ୍ପରା, ଐତିହ୍ୟର ପୁନରୁଦ୍ଧାର ଆଦି ବିଭିନ୍ନ ଯୋଜନାର ସଫଳ ରୂପାୟନ ଦିଗରେ ସମସ୍ତ ସରକାରୀ ଅଧିକାରୀ, ବିଭିନ୍ନ ଲଘୁ ସମ୍ପ୍ରଦାୟ ଜାତି, ଅନ୍ୟାନ୍ୟ ପଛୁଆବର୍ଗ, ଜାତି, ଅନୁସୂଚିତ ଜାତି ଓ ଜନଜାତିମାନଙ୍କର ନେତୃତ୍ୱ ବହନ କରୁଥିବା ସଙ୍ଗଠନମାନେ ଆଗେଇ ଆସିବାକୁ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ପ୍ରଦକ୍ଷଣ ଭବନର ସମ୍ମିଳନୀ କକ୍ଷରେ ଜାତୀୟ ଲଘୁ ସମ୍ପ୍ରଦାୟ ଜାତି କମିଶନ ମାନ୍ୟବର ଉପାଧ୍ୟକ୍ଷ ଶ୍ରୀଯୁକ୍ତ କେର୍ଶୀ କେ ଦେବୁ ଆହ୍ୱାନ ଦେଇଛନ୍ତି ।
ସେହିପରି ତୃଣମୂଳ ସ୍ତରରେ ସମସ୍ତେ ଜାତୀୟ ମନୋଭାବ ନେଇ ସମସ୍ତ ଯୋଜନାଗୁଡ଼ିକର ପ୍ରସାରପ୍ରଚାର ଦିଗରେ ହୋଡ଼ିଂ ଲଗାଇବା, ପୋଷ୍ଟର ଛାପିବା, ପ୍ରଚାର ପତ୍ର ବାଣ୍ଟିବା ଆଦି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ପାରିଲେ ଉକ୍ତ ଜାତି ସମୂହ ସଚେତନ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଣୀତ ଉଦ୍ଧିଷ୍ଟ ଯୋଜନାର ସଫଳ ଫାଇଦା ପାଇ ପାରିବେ ବୋଲି ଜାତୀୟ ଲଘୁ ସମ୍ପ୍ରଦାୟ ଜାତି କମିଶନ ମାନ୍ୟବର ସଦସ୍ୟା ରିଂଚେନ୍ ଲାମହୋ ପ୍ରକାଶ କରିଥିଲେ ।
ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ, ଖୋର୍ଦ୍ଧା ଶ୍ରୀ ଚଞ୍ଚଳ ରାଣା ଯୋଗଦେଇ ଜାତି, ଧର୍ମ, ବର୍ଣ୍ଣ ଲିଙ୍ଗ, ଭାଷା, ସଂସ୍କୃତି ବିଭେଦତା ମଧ୍ୟରେ ଏକତା ସୂତ୍ରରେ ବାନ୍ଧି ହୋଇ ସମସ୍ତେ ଜାତୀୟ ସଂହତି ଭାଇଚାରା ବଜାୟ ରଖି ଲଘୁ ସମ୍ପ୍ରଦାୟ ଜାତି ବର୍ଗ ସମୂହ ପାଇଁ ଜିଲ୍ଲା ପ୍ରଶାସନ,କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଣୀତ ଯୋଜନାକୁ ନିଷ୍ଠାର ସହ କାର୍ଯ୍ୟକାରୀ କରି ଜିଲ୍ଲାକୁ ସରସ ସୁନ୍ଦର ସର୍ବାଙ୍ଗୀନ ବିକାଶ ପଥରେ ଆଗେଇ ନେବାକୁ ସମସ୍ତ ଜାତି ବର୍ଗ ନେତୃତ୍ୱ ମଣ୍ଡଳୀକୁ ପରାମର୍ଶ ଦେଇଥିଲେ । ସେହିପରି ଜିଲ୍ଲାର ତୃଣମୂଳ ସ୍ତରରେ ବୈଠକ କରିବା ସେମାନଙ୍କ ସମସ୍ୟା ସମ୍ବନ୍ଧରେ ଅବଗତ ହେବା ଆଦି ସମ୍ପର୍କରେ ଯନିବାନ ହେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉପ ନିର୍ଦ୍ଦେଶକ, ଲଘୁ ସମ୍ପ୍ରଦାୟ ଜାତି ଶ୍ରୀ ସରୋଜ ପଣ୍ଡା ଯୋଗଦେଇ ପାୱାର ପଏଣ୍ଟ ଉପକରଣରେ ବିସ୍ତୃତ ତଥ୍ୟ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୬୦:୪୦ ପ୍ରତିଶତର ଯେଉଁ ଉନ୍ନତିମୂଳକ ଯୋଜନାର ବିକାଶ ଧାରା ଜାରି ରହିଛି ସେ ସମ୍ବ୍ନ୍ଧରେ ଉପସ୍ଥାପନ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ଶ୍ରୀ ରୁଦ୍ର ନାରାୟଣ ମହାନ୍ତି ଧନ୍ୟବାଦ୍ ପ୍ରଦାନ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ, ଖ୍ରୀଷ୍ଟିଆନ୍, ମୁସଲମାନ, ଶିଖ, ବୁଦ୍ଧିଷ୍ଟ, ଜୈନ, ପାର୍ସୀ ଆଦି ବିଭିନ୍ନ ସମ୍ପ୍ରଦାୟ ଜାତିର ଓ ଧର୍ମର ନେତୃମଣ୍ଡଳୀ ଯୋଗଦେଇ ସରକାରୀ ଯୋଜନାର ସୁଫଳ ପାଇବା ଦିଗରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।