ସରକାରୀ ସୂଚନା ପ୍ରତି ଧ୍ୟାନ ଦେଇ ସତର୍କ ଓ ସୁରକ୍ଷିତ ରହିବାକୁ ଏସଆରସି ପକ୍ଷରୁ ପରାମର୍ଶ
ଭୁବନେଶ୍ୱର,୨୪/୧୦/୨୦୨୪ (ଓଡ଼ିଶା ସମାଚାର)-ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଦାନା’ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରି କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ଏହା ପାରାଦୀପ ଠାରୁ ପ୍ରାୟ ୩୩୦ କିଲୋମିଟର ଦକ୍ଷିଣ-ପୂର୍ବ, ଧାମରା ଠାରୁ ୩୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଏବଂ ସାଗର ଦ୍ୱୀପ ଠାରୁ ୪୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ରହିଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଭିତରକନିକା ଓ ଧାମରା ନିକଟସ୍ଥ ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ଆଜି ମଧ୍ୟରାତ୍ରିରୁ ୨୫ ତାରିଖ ସକାଳ ମଧ୍ୟରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ସ୍ଥଳଭାଗ ସ୍ପର୍ଶ ସମୟରେ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ବାତ୍ୟା ଦାନା ଆସନ୍ତା ୨୪ ତାରିଖ ରାତି ଓ ୨୫ ତାରିଖ ସକାଳ ମଧ୍ୟରେ ଓଡିଶା ଉପକୂଳ ଅତିକ୍ରମ କରିପାରେ, ଏଣୁ ଆପଣମାନେ ସରକାରୀ ସୂଚନା ପ୍ରତି ଧ୍ୟାନ ଦେଇ ସତର୍କ ଓ ସୁରକ୍ଷିତ ରହିବାକୁ ଏସଆରସି ପକ୍ଷରୁ ପରାମର୍ଶ ଦିଆଯାଇଛି।