କଟକ ସଦରରେ ଵିଜେପି ଵିଜେଡି ମୁହାଁମୁହିଁ,ମାଡ଼ ପ୍ରତିବାଦରେ ଵିଜେପି ପକ୍ଷରୁ କିଶନନଗର ଥାନା ସମ୍ମୁଖରେ ଧାରଣା

କଟକ ସଦର,୧୨/୧୨/୨୦୨୩ (ଓଡ଼ିଶା ସମାଚାର / ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ମାଣପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆଜି ମଙ୍ଗଳବାର ଦିନ ସଦର ଵିଜେପି ନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ପ୍ରତିବାଦ ବିକ୍ଷୋଭ କରାଯାଇଥିଲା ବେଳେ ମାଣପୁର ପଞ୍ଚାୟତ ଵିଜେଡି ସଭାପତି ରୁସ୍ତମ ମହମ୍ମଦଙ୍କ ନେତୃତ୍ୱରେ ଵିଜେଡି କର୍ମୀ ମାନେ ଅତର୍କିତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳର ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ ସବୁଆଡେ ପରିକ୍ରମା କରୁଥିବା ମୋଦି ବିକାଶ ରଥ ଉପରେ ଚଢି ରୁସ୍ତମ ମହମ୍ମଦଙ୍କ ପତ୍ନୀ ‘ହେ ନବୀନ ଵାଵୁ, ଆମେ ତମ ଫ୍ୟାନ’ ଗୀତ ବଜାଇ ନୃତ୍ୟ କରିଵାକୁ ନେଇ ଵିଜେପି ପକ୍ଷରୁ ଆଜିର ଏହି ପ୍ରତିବାଦ ବିକ୍ଷୋଭ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଵିଜେପି ନେତା ପ୍ରକାଶ ସେଠୀଙ୍କ ଆହ୍ବାନରେ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଅବିଳମ୍ବେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦାବିରେ ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ନିହାର ରଞ୍ଜନ ପ୍ରଧାନଙ୍କୁ ଦାଵି ପତ୍ର ଦେଇ ଥାନା ସମ୍ମୁଖରେ ଧାରଣାରେ ବସିଥିବା ଜଣାପଡିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ଵିଜେପି ଅନୁସୂଚିତ ଜାତି ମୋର୍ଚା ସଭାପତି ପ୍ରଦୀପ ବେହେରା, ପ୍ରତିଭା ସତପଥି, ରଶ୍ମିରେଖା ଦାସ, ଗୋକୁଳ ପ୍ରଧାନ, ଅଶୋକ ସାହୁ, ଲକ୍ଷ୍ମୀଧର ଜେନା ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଓ କର୍ମୀ ସାମିଲ ହୋଇଥିଲେ। ହେଲେ ପୋଲିସର କୋହଳ ମନୋଭାଵ ପାଇଁ ମାଣପୁର ପଞ୍ଚାୟତ ସମ୍ମୁଖରେ ଵିଜେପି ଵିଜେଡି ମଧ୍ୟରେ ଏଭଳି ଅଭାବନୀୟ ଘଟଣା ଘଟିଲା ଵୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *