କୃଷି କାର୍ଯ୍ୟରେ ଡ୍ରୋନ୍ ର ବ୍ୟବହାର ଓ  ଆବଶ୍ୟକତା

ଡ୍ରୋନ୍ ସହାୟତାରେ ଧାନ ଫସଲରେ ସାର ଓ କୀଟନାଶକ ପ୍ରୟୋଗ ସମ୍ପର୍କିତ ଏକ ପରୀକ୍ଷା ମୂଳକ କ୍ଷେତ୍ର ପ୍ରଦର୍ଶନ

ଜଗତସିଂହପୁର,୨୦/୧୦/୨୦୨୪ (ଓଡ଼ିଶା ସମାଚାର)- ଡ୍ରୋନ୍ ସହାୟତାରେ ଧାନ ଫସଲରେ ସାର ଓ କୀଟନାଶକ ପ୍ରୟୋଗ ସମ୍ପର୍କିତ ଏକ ପରୀକ୍ଷା ମୂଳକ କ୍ଷେତ୍ର ପ୍ରଦର୍ଶନ ତିର୍ତ୍ତୋଲ ବ୍ଲକ, ପିମ୍ପଳ ମାଧବ ପଞ୍ଚାୟତରେ ଗତ କାଲି ଅନୁଷ୍ଠିତ ହୋଇଯାଇଛି। ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ଓୟୁଏଟି ଓ କୃଷି ବିଜ୍ଞାନ କେନ୍ଦ୍ର ଜଗତସଂହପୁର ମିଳିତ ପ୍ରୟାସରେ ଡ୍ରୋନରେ ନାନୋ ୟୁରିଆ ଓ କୀଟନାଶକ ପ୍ରୟୋଗ କରାଯାଉଛି । କୃଷି ବିଜ୍ଞାନ କୃଷି ଯନ୍ତ୍ରପାତି ବୈଜ୍ଞାନିକ ଡ଼ ଦ୍ବାରିକା ମୋହନ ଦାସ ଡ୍ରୋନର ଉପାଦେୟତା ବିଷୟରେ ଉପସ୍ଥିତ ଚାଷୀ ଭାଇ ମାନଙ୍କୁ ଅବଗତ କରାଇଥିଲେ । ଡ୍ରୋନ ଦ୍ଵାରା ଖୁବ୍ କମ୍ ସମୟ ମଧ୍ୟରେ, ସ୍ବଳ୍ପ ପରିଶ୍ରମରେ, କମ୍ ଖର୍ଚ୍ଚରେ ବ୍ୟାପକ ଭାବେ ଫସଲରେ ସିଂଚନ କାର୍ଯ କରାଯାଇ ପାରୁଛି । ଡ୍ରୋନ ୧୦ ରୁ ୧୫ ମିନିଟ୍ ସମୟରେ ଏକ ଏକର ଚାଷ ଜମିରେ କୀଟନାଶକ କିମ୍ବା ସାର ପ୍ରୟୋଗ କରିପାରୁଛି ଏବଂ ୬-୮ ସେଟ୍ ବ୍ୟାଟେରୀ ବ୍ୟବହାର କରି ଗୋଟେ ଦିନରେ ୧୫ ରୁ ୨୦ ଏକର ଜମିରେ ଛିଞ୍ଚନ କାର୍ଯ କରାଯାଇ ପାରିବ । ଡ୍ରୋନର ୧୦ ଲିଟର ଟାଙ୍କିରେ ଗୋଟିଏ ଏକର ପାଇଁ ଅନୁମୋଦିତ ଖାଦ୍ୟସାର କିମ୍ବା କିଟନାଶକ ମିଶାଇ ସମ୍ପୂର୍ଣ୍ଣ ଭାବରେ ପ୍ରୟୋଗ କରାଯାଏ । ସବୁବେଳେ ସଫା ପାଣି ଓ ତରଳ ସାର କିମ୍ବା କିଟନାଶକ ବ୍ୟବହାର କରିବା ଉଚିତ । ଡ୍ରୋନ ଲାଗିଥିବା ସ୍ପ୍ରେ ନିଜ୍ଜୋଲରେ ଅଲଟ୍ରା ଲୋ ଭଲୁମ୍ (ULV) ଛିଞ୍ଚନ ବ୍ୟବସ୍ଥା ଥାଏ, ଯାହାକି କମ୍ ଜଳ ବ୍ୟବାହର କରି ଅଧିକ ଅଞ୍ଚଳରେ ଛିଞ୍ଚନ କରିପାରେ । ଡ୍ରୋନ ମାନୁଆଲ କଣ୍ଟ୍ରୋଲ କିମ୍ବା ଅଟୋ ପାଇଲଟ୍ ମୋଡରେ ଚାଲିପାରେ, ଡ୍ରୋନରେ ଲାଗିଥିବା ସେନସର୍ ଓ ଜିପିସ୍ ସାହାଯ୍ୟରେ ୨ କି.ମି. ପର୍ଯ୍ୟନ୍ତ ଗୋଟିଏ ସ୍ଥାନରୁ ଡ୍ରୋନକୁ ଉଡାଯାଇ ପାରେ । ଡ୍ରୋନ ଉଠିବା କିମ୍ବା ଓଲେଇବା ସମୟରେ, କିମ୍ୱା ଚାଲିବ ସମୟରେ ଏହା ଠାରୁ ଯଥେଷ୍ଟ ଦୂରତା ରକ୍ଷା କରିବା ଦରକାର, ନଚେତ୍ ଦୂର୍ଘଟାର ସମ୍ଭାବନା ଥାଏ । ଡ୍ରୋନ ସ୍ପ୍ରେ କରିବା ସମୟରେ ମାସ୍କ ଓ ଆଖିରେ ଚଷମା ବ୍ୟବହାର କରିବା ଉଚିତ୍ । ପବନର ବେଗ ଘଣ୍ଟା ପ୍ରତି ୧୦ କି.ମିରୁ ଅଧିକ ଥିଲେ ଡ୍ରୋନ ବ୍ୟବାହର କରିବା ଉଚିତ୍ ନୁହେଁ । ସବୁବେଳେ ଡ୍ରୋନକୁ DGCA ମାନ୍ୟତା ପ୍ରାପ୍ତ RPTO ରୁ ତାଲିମ ପ୍ରାପ୍ତ ପାଇଲଟ ଉଡ଼ାଇବା ଉଚିତ୍ । ବାସ୍କାଏ ଭେନ୍‌ କମ୍ପାନି ନିଜର ଡ୍ରୋନ୍ ଏହି କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରିଥିଲା।  କୃଷି ବିଭାଗ ଦ୍ଵାରା ସରକାରୀ ରିହାତିରେ ଡ୍ରୋନ ଉପଲବ୍ଧ ଅଛି ଓ ଜିଲ୍ଲାର ଚାଷୀ ଭାଇ ମାନେ ଏହାର ସୁବିଧା ପାଇ ପାରିବେ। ଏହି କାର୍ଯ୍ୟକ୍ରମ ପାଇଁ 4S4R NGO ସହଯୋଗ କରିଥିଲେ । ଓୟୁଏଟି ପକ୍ଷରୁ ଡ୍ରୋନ ପ୍ରକଳ୍ପର ମୁଖ୍ୟ ପ୍ରାବନ୍ଧକ ତଥା ଯୁଗ୍ମ ନିର୍ଦ୍ଦେଶକ, ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ପ୍ରଫେସର୍ ଅମରେଶ ଖୁଣ୍ଟିଆ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡ୍ରୋନ ମାଧ୍ୟମରେ  ଛିଞ୍ଚନ କାର୍ଯ୍ୟର ପରିଚାଳନା କରୁଛନ୍ତି ।

Leave a Reply

Your email address will not be published. Required fields are marked *