ବିଭିନ୍ନ ଅସୁବିଧା ଦେଇ ଗତିକରୁଛି ଏସଜି କଲେଜ, ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି

ଦଶରଥପୁର,୨୦/୧୦/୨୦୨୪(ଓଡ଼ିଶା ସମାଚାର)-ଦଶରଥପୁର ବ୍ଲକ କନିକାପଡା ପଞ୍ଚାୟତସ୍ଥ ସାଧୁ ଗୌରେଶ୍ୱର ମହାବିଦ୍ୟାଳୟ (ଏସଜି କଲେଜ ) ଟି ପୂର୍ବ ଯାଜପୁର ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଥିବା ବେଳେ ଏହି ମହାବିଦ୍ୟାଳୟରେ ଯାଜପୁର ଜିଲ୍ଲା ସମେତ କେନ୍ଦ୍ରାପଡ଼ା ଓ ପଡ଼ୋଶୀ ଭଦ୍ରକ ଜିଲ୍ଲାର ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ କରିଥାନ୍ତି । ମହାବିଦ୍ୟାଳୟରେ +୩ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ରହିବା ପାଇଁ ହଷ୍ଟେଲର ସୁବିଧା ରହିଥିବା ବେଳେ ଶତାଧିକ ଛାତ୍ର ଛାତ୍ରୀ ହଷ୍ଟେଲରେ ରହି ପାଠ ପଢିଥାନ୍ତି । ମାତ୍ର ବର୍ତ୍ତମାନ ଏହି ମହାବିଦ୍ୟାଳୟରେ ଦୀର୍ଘଦିନ ହେବ ଅଧିକାଂଶ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ବେଳେ ଶିକ୍ଷାଦାନ କ୍ଷେତ୍ରରେ ନାହିଁନଥିବା ଅସୁବିଧା ଦେଖାଦେଇଛି । ମହାବିଦ୍ୟାଳୟ ପାଇଁ ୩୯ ଟି ମଂଜୁରୀ ପ୍ରାପ୍ତ ଅଧ୍ୟାପକ ପଦବୀ ରହିଛି । ହେଲେ ବର୍ତ୍ତମାନ ୩୦ ଜଣ ଅଧ୍ୟାପକ, ଅଧ୍ୟ୍ୟପିକା ଥିବା ବେଳେ ଆହୁରି ୯ଟି ଅଧ୍ୟାପକ ପଦବୀ ଖାଲି ପଡିଛି । ସେଥିମଧ୍ୟରେ ଅର୍ଥନୀତି ଇଂରାଜୀ, ଫିଜିକ୍ସ, ସଂସ୍କୃତ ବିଭାଗରେ ଗୋଟିଏ ଲେଖାଏଁ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ବେଳେ ଓଡ଼ିଆ ବିଭାଗରେ ୩ ଟି ଓ ରାଜନୀତି ବିଜ୍ଞାନରେ ୨ଟି ଅଧ୍ୟାପକ ପଦବୀ ଖାଲି ପଡିଛି । ବିଭିନ୍ନ ବିଭାଗରେ ୯ ଟି ଅଧ୍ୟାପକ ପଦବୀ ଖାଲି ପଡିଥିବାରୁ ଚଳିତ ବର୍ଷ ଶିକ୍ଷାଦାନ ପ୍ରକ୍ରିୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ମହାପାତ୍ର । ସେହିପରି ମହାବିଦ୍ୟାଳୟରେ ଅଧ୍ୟାପକ ପଦବୀ ସାଙ୍ଗକୁ ବିଭିନ୍ନ ବିଭାଗରେ ଅନେକ ପଦବୀ ଖାଲି ପଡ଼ିଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କର ଅଧ୍ୟୟନ କରିବା ପାଇଁ ଆବଶ୍ୟକତା ଅନୁଯାଇ ଶ୍ରେଣୀ ଗୃହର ମଧ୍ୟ ଘୋର ଅଭାବ ରହିଥିବା ଜଣା ପଡିଛି । ଯାହାଫଳରେ ଅନେକ ସମୟରେ ଶିକ୍ଷାଦାନ ଦେବା ମହାବିଦ୍ୟାଳୟ କର୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଏପରିକି ପରୀକ୍ଷା ସମୟରେ ଛାତ୍ର ଛାତ୍ରୀ ମାନେ ବାରଣ୍ଡାରେ ବସି ପରୀକ୍ଷା ଦେଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି । ସେହିପରି ମହାବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ମହାବିଦ୍ୟାଳୟକୁ ପ୍ରାୟ ୨ କୋଟି ଟଙ୍କା ଯୋଗେଇ ଦିଆ ଯାଇଥିଲେ ମଧ୍ୟ ତାହା ଟେଣ୍ଡର ହୋଇନଥିବାରୁ କାର୍ୟ୍ୟ ହୋଇପାରିନଥିବା ଜଣା ପଡିଛି । ଏ ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ମହାପାତ୍ରଙ୍କୁ ପଚାରିବାରୁ ସରକାର ଆମକୁ କେଉଁ ବିଭାଗରେ କେଉଁ କେଉଁ ପଦବୀ ଖାଲି ଅଛି ତାର ତଥ୍ୟ ମାଗିଥିଲେ ଓ ଆମେ ସମସ୍ତ ତଥ୍ୟ ସରକାରଙ୍କୁ ପ୍ରଦାନ କରିସାରିଛୁ ବୋଲି କହିଥିଲେ । ସରକାର ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆଣୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ସାଧୁଗୌରେଶ୍ୱର ମହାବିଦ୍ୟାଳୟକୁ ଦେଖିଲେ ସହଜେ ଜାଣିହେବ ପ୍ରକୃତ ସରକାରଙ୍କ ଯୋଜନା କେତେ ଫଳପ୍ରଦ ହେଉଛି । ତେଣୁ ଖୁବ ଶୀଘ୍ର ମହାବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣ ପାଇଁ ଆସିଥିବା ଅର୍ଥରେ ଟେଣ୍ଡର କରାଯିବା ସହ ଅଧ୍ୟାପକ ସମେତ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ଗୁଡିକ ଖୁବ ଶୀଘ୍ର ପୂରଣ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *