ମହାନଦୀ ବିହାର ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳନ

କଟକ ୨୮/୦୨/୨୦୨୪ (ଓଡିଶା ସମାଚାର/ଅଭୟ ଜେନା ) – ବିଦ୍ୟାର୍ଥୀ ମାନେ ବିଜ୍ଞାନ ପ୍ରତି ଅଧିକରୁ ଅଧିକ ରୁଚି ରଖିଲେ ସେମାନେ ଜୀବନରେ ବଡ଼ ସଫଳତା ହାସଲ କରିପାରିବେ ବୋଲି ବିଶିଷ୍ଟ ଅତିଥିମାନେ ଆହ୍ୱାନ ଦେଇଛନ୍ତି । ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ମହାନଦୀ ବିହାର,ପରିସରରେ ଜାତୀୟ ବିଜ୍ଞାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରଧାନ ଆଚାର୍ୟ୍ୟ ବିଜୟ କୁମାର ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ଦେଇଥିଲେ। ଭୁବନାନନ୍ଦ ଯାନ୍ତ୍ରିକ ବିଦ୍ୟାଳୟର ଉପାଧ୍ୟକ୍ଷ ଇଂ ସଂଗ୍ରାମ କିଶୋର ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିଶୁମାନଙ୍କୁ ବିଜ୍ଞାନ ଓ ଆଧ୍ୟାତ୍ମିକତା ବିଷୟରେ ଉଦବୋଧନ ଦେଇଥିଲେ। ସେ କହିଲେ ଶିଶୁ ମାନଙ୍କ ହୃଦୟ କୋମଳ, ସେମାନଙ୍କୁ ଗଢିବା ପାଇଁ ଗୁରୁହିଁ ଉପଯୁକ୍ତ ମାର୍ଗ ଦର୍ଶନ କରି ପାରିବେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ସୁଶ୍ରୀ ପ୍ରତିମା ଶତପଥୀ ଉତ୍ସବରେ ଯୋଗଦେଇ କହିଲେ ଭବିଷ୍ୟତରେ ବୈଜ୍ଞାନିକ ଭାବେ ଦେଶକୁ ଶକ୍ତିଶାଳୀ କରିବା ପାଇଁ ଆମକୁ ଆମ ଶିଶୁମାନଙ୍କୁ ଗଢିବାକୁ ପଡ।ପରିଚାଳନା ସମିତିର ଉପସଭାପତି ଡଃ ଦେବବ୍ରତ ପୃଷ୍ଟି ଓ ସମ୍ପାଦକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ନାୟକ ଉପସ୍ଥିତ ରହି ଶିଶୁମାନଙ୍କୁ ବହୁ ଉପାଦେୟ କଥା କହିବା ସହିତ ସେମାନଙ୍କ ମାର୍ଗଦର୍ଶନ କରିଥିଲେ।ବରିଷ୍ଠ ଆଚାର୍ୟ୍ୟ ସମୀର ମହାନ୍ତି କାର୍ୟ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଲେଖ କୁମାର ପାଗଳ ମଞ୍ଚ ସଂଯୋଜନା କରିଥିଲେ। ଶିଶୁ ମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରଶ୍ନମଞ୍ଚ,ବୈଜ୍ଞାନିକମାନଙ୍କ ବେଶ ପ୍ରତିଯୋଗିତା,ତର୍କ ପ୍ରତିଯୋଗିତା,ବିଜ୍ଞାନ ଭିତ୍ତିକ କବିତା ଆବୃତ୍ତି,ସ୍ବଳ୍ପ ବ୍ୟୟରେ ବିଜ୍ଞାନ ଉପକରଣ ପ୍ରସ୍ତୁତି, ବୈଜ୍ଞାନିକମାନଙ୍କ ଫଟୋ ପ୍ରଦର୍ଶନୀ, ଖବରକାଗଜ ପୃଷ୍ଠାରୁ ବିଜ୍ଞାନ, ବିଜ୍ଞାନ ଭିତ୍ତିକ ନାଟକ ଇତ୍ୟାଦିକୁ ନେଇ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରାଯାଇ କୃତି ପ୍ରତିଭାଗୀମାନଙ୍କୁ ଉତ୍ସବରେ ପୁରସ୍କୃତ କରାଯାଇଥିଲା। ପୂର୍ବାହ୍ନରେ ବିଜ୍ଞାନ ପ୍ରଚାର ସମିତି ତରଫରୁ ଆୟୋଜିତ ଉତ୍ସବରେ ମହେନ୍ଦ୍ର କୁମାର କାୟସ୍ଥ,ଡଃ ପ୍ରମୋଦ କୁମାର ମିଶ୍ର, ପ୍ରଫେସର ଡଃ ସୁଦର୍ଶନ ପଟ୍ଟନାୟକ, ପ୍ରଫେସର ଡଃ ଜ୍ୟୋତିଷ ଚନ୍ଦ୍ର ମହାନ୍ତି ଓ ପ୍ରଫେସର ଡଃ ଭାରତୀ ବେହେରା ପ୍ରମୁଖ ଉପସ୍ଥିତ ରହି ଜାତୀୟ ବିଜ୍ଞାନ ଦିବସର ଆଭିମୁଖ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ।ଶେଷରେ ଶିକ୍ଷା ବର୍ଷ ୨୦୨୨-୨୩ରେ ଅଷ୍ଟମ ଶ୍ରେଣୀରେ ଜାତୀୟ ମେଧାବୃତ୍ତି ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଛାତ୍ରୀ ସୁଶ୍ରୀ ତେଜସ୍ବିନୀ ସିଂହଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ଆଚାର୍ୟ୍ୟ ଆଚାର୍ୟ୍ୟାଙ୍କ ସହଯୋଗରେ ଏହି କାର୍ୟ୍ୟକ୍ରମଟି ଅତ୍ୟନ୍ତ ସରସ ସୁନ୍ଦର ଏବଂ ସଫଳ ହୋଇଥିଲା।

Leave a Reply

Your email address will not be published. Required fields are marked *