ବହୁପ୍ରତୀକ୍ଷିତ ପାଲଲହଡା କପ ଫୁଟବଲ ଟୁର୍ନାମେଣ୍ଟ୨୦୨୪ ଉଦଘାଟିତ

ପାଲଲହଡା, ୧୮/୧୦/୨୦୨୪ (ଓଡ଼ିଶା ସମାଚାର)-ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଜଲକ୍ଷ୍ମୀ ପୂଜା ଅବସରରେ ପାଲଲହଡା ଷ୍ଟାଡିଅମରେ ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ରାଜ୍ୟସ୍ତରୀୟ ପାଲଲହଡା କପ ୨୦୨୪ଫୁଟବଲ ଟୁର୍ନାମେଣ୍ଟ । ଆଜିର ଏହି ଉଦଘାଟନୀ ମ୍ୟାଚରେ କଟକ ଏକାଦଶ ସମ୍ବଲପୁର ଏକାଦଶ କୁ ଭେଟିଥିଲା । ଆଜିର ଏହି ଉଦଘାଟନୀ ମ୍ୟାଚ ଖୁବ ରୋମାଞ୍ଚକର ଓ ଚିତାକର୍ଷକ ଥିଲା । କଟକ ଏକାଦଶ ସମ୍ବଲପୁର ଏକାଦଶ କୁ ୩-୨ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲ ମ୍ୟାଚ କୁ ଉନ୍ନୀତ ହୋଇଛି । ଆଜିର ମ୍ୟାଚ କୁ ରାଜ୍ୟର ଖ୍ୟାତନାମା ରେଫରୀ ଦିଲ୍ଲୀପ କୁମାର ରାଉତ ପରିଚାଳନା କରିଥିଲାବେଳେ ତାଙ୍କୁ ସହାୟତା ପ୍ରଦାନ କରିଥିଲେ ଅନ୍ୟତମ ଖ୍ୟାତନାମା ରେଫରୀ ସଲିଳ କୁମାର ବେହେରା ଓ ଭୋଲେଶ୍ୱର ଗାଗରାଇ ପ୍ରମୁଖ । ଆଜିର ଏହି ଉଦଘାଟନୀ ମ୍ୟାଚକୁ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ଅଶୋକ ମହାନ୍ତି ଯୋଗଦେଇ ଖେଳର ଉଦଘାଟନ କରିଥିଲାବେଳେ ଅନ୍ୟତମ ଅତିଥି ଭାବେ ବିଜେପି ର ବରିଷ୍ଠ ନେତା ବରିଷ୍ଠ ଆଇନଜୀବୀ ଆଡ଼ଭୋକେଟ ତନ୍ମୟ କୁମାର ସାହୁ, ନିଜିଗଡ଼ ସମିତି ସଭ୍ୟା ଗୌରୀ ହାଇବୃ ପ୍ରମୁଖ ଯୋଗଦେଇଥିଲେ । ଆୟୋଜକ କମିଟିର ଅଧ୍ୟକ୍ଷ ସୁଧାଂଶୁ କପର୍ଦାର ଅଧ୍ୟକ୍ଷତା ରେ ଆରମ୍ଭ ହୋଇଥିବା ଆଜିର ଏହି ଉଦଘାଟନୀ ମ୍ୟାଚ ରେ ସଭାପତି ବରିଷ୍ଠ ସାମ୍ବାଦିକ ରଘୁନନ୍ଦନ ଆଚାର୍ୟ୍ୟ ସଭାପତିତ୍ୱ କରିଥିଲେ । ପ୍ରତ୍ୟହ ଅପରାହ୍ନ ୩ଟା ସମୟରେ ପାଲଲହଡା ଷ୍ଟାଡିଅମ ପରିସରରେ ଆରମ୍ଭ ହେଉଥିବା ଏହି ଟୁର୍ନାମେଣ୍ଟ ର ଆସନ୍ତାକାଲି ମ୍ୟାଚ ସୋନପୁର ଏକାଦଶ ଓ ସୁନ୍ଦରଗଡ଼ ଏକାଦଶ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ସଭାପତି ରଘୁନନ୍ଦନ ଆଚାର୍ୟ୍ୟ ଙ୍କ ସୂତ୍ରରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *