ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ପାଇଁ ପ୍ରାର୍ଥନା କଲେ
ଭୁବନେଶ୍ୱର,୧୧/୧୦/୨୦୨୪ (ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସହଧର୍ମିଣୀ ଡା. ପ୍ରିୟଙ୍କା ମାରାଣ୍ଡି ମଧ୍ୟ ଉପସ୍ଥିତ ଥିଲେ । ପୂଜା ମଣ୍ଡପ ବୁଲିବା ପାଇଁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ସକାଳେ ପୂଜା ମଣ୍ଡପ ଗୁଡ଼ିକ ପାଇଁ ଧାର୍ୟ୍ୟ ହୋଇଥିବା ସରକାରୀ ଦେୟ ଛାଡ଼ ଘୋଷଣା କରିଥିଲେ ।
ମୁଖ୍ୟମନ୍ତ୍ରୀ ପ୍ରଥମେ ପୁରୁଣା ଭୁବନେଶ୍ୱର ଯମେଶ୍ୱର ପାଟଣା ସାହି ଦୁର୍ଗାପୂଜା ସମିତି ପୂଜା ମଣ୍ଡପରେ ପହଂଚି ଆଳତୀ ପୁଷ୍ପାଞ୍ଜଳି କରିବା ପରେ ପୂଜା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦୁର୍ଗାଙ୍କ ଫଟୋ ଓ ମାର୍ବଲ ମୂର୍ତି ପ୍ରଦାନ କରାଯାଇଥିଲା । ପରେ ଯମେଶ୍ୱର ପାଟଣା ସାହି ଦୁର୍ଗାପୂଜା ସମିତି ୭୫ ବର୍ଷ ପୂଜା ସ୍ମରଣୀକା ‘ପୂଜ୍ୟତେ’ କୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝି ଉନ୍ମୋଚିତ କରିଥିଲେ । ଏଥିରେ ବିଧାୟକ ବାବୁ ସିଂ, ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମିର ମହାନ୍ତି, ପୂର୍ବତନ ବିଧାୟକ ପ୍ରୀୟଦର୍ଶୀ ମିଶ୍ର, ରଶ୍ମୀ ମହାପାତ୍ର, ରାଜେନ୍ଦ୍ର ପଣ୍ଡା, ଜଗନ୍ନାଥ ପ୍ରଧାନ, ସଭାପତି ପ୍ରସନ୍ନ କୁମାର ସ୍ୱାଇଁ, ସମ୍ପାଦକ ପ୍ରଶାନ୍ତ କୁମାର ସାମର୍ଥା, ଉପଦେଷ୍ଟା ସନତ ମିଶ୍ର, ଡ଼ ଲିଙ୍ଗରାଜ ସାହୁ, ତୃପ୍ତିମୟୀ ମକଦ୍ଧମ, ସୁବାଷ ଦାଶ, ସୁନୀଲ କୁମାର ପ୍ରଧାନ, ରମେଶ ସାହୁ, ଗୌରୀ ଖଟେଇ, ବାବୁ ଖୁଂଟିଆ, ସୁବାଷ ବାରିକ, ସୁବାଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାହି ମୁରବୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ ।
ଏହା ପରେ ମୁଖ୍ୟମନ୍ତ୍ରୀ ସୁନ୍ଦରପଦା, ବରମୁଣ୍ଡା, ନୟାପଲ୍ଲୀ, ସହିଦନଗର, ରସୁଲଗଡ଼, ବମିଖାଲ, ଷ୍ଟେସନ୍ ବଜାର ଏବଂ ଲକ୍ଷ୍ମୀସାଗର (କଟକ ରୋଡ୍) ପୂଜାମଣ୍ଡପ ବୁଲି ଦେଖିବା ସହ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନ କରିଥିଲେ ।
ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଜଗଜ୍ଜନନୀ ମା’ଦୁର୍ଗାଙ୍କ ଆଗମନରେ ଧରଣୀ ଉତ୍ସବମୁଖର ହୋଇଉଠିଛି । ଭୁବନେଶ୍ୱରର ବିଭିନ୍ନ ମଣ୍ଡପରେ ମହାସମାରୋହରେ ତଥା ଆକର୍ଷଣୀୟ ଭାବେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଛି । ଆଜି ଅଷ୍ଟମୀ ତିଥିରେ ମା’ଙ୍କ ଦର୍ଶନ କରି ମୁଁ ନିଜକୁ ଧନ୍ୟ ମନେ କରୁଛି । ମା’ଙ୍କ ନିକଟରେ ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ସୁଖ, ଶାନ୍ତି, ସମୃଦ୍ଧି ସହ ରାଜ୍ୟର ବିକାଶ ପାଇଁ ପ୍ରାର୍ଥନା କରିଛି । ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମା’ଦୁର୍ଗା ସମସ୍ତଙ୍କୁ ଆର୍ଶୀବାଦ ଦିଅନ୍ତୁ ବୋଲି ସେ କହିଥିଲେ ।

ଏହି ଅବସରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *