ଆକାଶବାଣୀଙ୍କ ପୂର୍ବତନ ଅଧିକାରୀ ଅଜିତ୍‌‌ ଦାସଙ୍କ ପରଲୋକ

କଟକ, ୦୪/୧୦/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- ଆକାଶବାଣୀର ପୂର୍ବତନ ବରିଷ୍ଠ କାର୍ଯ୍ୟକ୍ରମ ନିଷ୍ପାଦକ ଅଜିତ୍‌‌ କୁମାର ଦାସଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ହେଲା ଅସୁସ୍ଥ ହୋଇପଡ଼ିଥିବାରୁ ସେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

୧୯୮୩ ମସିହାରେ ସେ ଆକାଶବାଣୀ ଜୟପୁର କେନ୍ଦ୍ରରେ ସହକାରୀ ପ୍ରଯୋଜକ ଭାବେ ନିଯୁକ୍ତି ପାଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରେଡିଓ କାର୍ଯ୍ୟକ୍ରମ ପ୍ରଚାର କରିବାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଦେଶିଆ ଭାଷାରେ କୃଷି ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କରିଥିଲେ। ଜଣେ ମଞ୍ଚ ନିର୍ଦ୍ଦେଶକ, ଗୀତିକାର, ମଞ୍ଚଶିଳ୍ପୀ ଭାବେ କାର୍ଯ୍ୟକରିଛନ୍ତି। ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜୟପୁର, କଟକ, ପୁରୀ ଆକାଶବାଣୀ ସହ ଢେଙ୍କାନାଳରେ ଫିଲ୍ଡ ପବ୍ଲିସିଟି ଅଫିସର ଭାବେ କାର୍ଯ୍ୟ କରିଥିଲେ। ୨୦୧୧ ମସିହାରେ କଟକରୁ ସେ ଅବସର ଗ୍ରହଣ କରିବା ପରେ ଇଗନୋ ଭୁବନେଶ୍ୱରରେ ବେତାର କାର୍ଯ୍ୟକ୍ରମ ‘ଜ୍ଞାନବାଣୀ’ର ନିର୍ଦ୍ଦେଶକ ଭାବେ କାର୍ଯ୍ୟକରିଥିଲେ। ସେ ମଧ୍ୟ ଗୀତିକବି ସମାଜର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ ପତ୍ନୀ ଡ. ସୁନିତୀ ଦେବୀ ମଧ୍ୟ ଆକାଶବାଣୀ ଓ ଦୂରଦର୍ଶନରେ ଜଣେ ଅଧିକାରୀ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି। ତାଙ୍କ ମୃତ୍ୟୁରେ ଆକାଶବାଣୀର ଶ୍ରୋତା, ଅଧିକାରୀ, କର୍ମଚାରୀଙ୍କ ମହଲରେ ଶୋକ ପ୍ରକାଶ ପାଇଛି। ଓଡ଼ିଆ ଗୀତିକବି ସମାଜ ପକ୍ଷରୁ ମଧ୍ୟ ଶୋକ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *