ଜୁନାଗଡ଼,୦୨/୧୦/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)ସରକାରୀ ଉଚ୍ଚ ବିଦ୍ୟାଳୟ ଜୁନାଗଡ଼ ଠାରେ ଶାନ୍ତି ଓ ଅହିଂସାର ପୁଜାରୀ ତଥା ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ସଭାପତିତ୍ବ କରି ବରିଷ୍ଠ ଶିକ୍ଷକ ମଳୟ କୁମାର ମୁଣ୍ଡ ଗାନ୍ଧୀ/ଶାସ୍ତ୍ରୀଙ୍କ ଜୀବନୀ ଆଲୋଚନା କରିବା ସହ ‘ସ୍ବଚ୍ଛତା ହିଁ ସେବା’ ପକ୍ଷତା ପାଳନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ନିଜ ନିଜର ବକ୍ତବ୍ୟ ରଖିଥିଲେ। ସଭାସାଙ୍ଗ ହେବାପରେ ଏନ୍ ସି ସି ଅଫିସର ସଂଜୀବ କୁମାର ପଣ୍ଡା ଓ ସ୍କାଉଟ୍ ମାଷ୍ଟର ବଟକୃଷ୍ଣ ବିଶ୍ବାଳଙ୍କ ତତ୍ତ୍ଵାବଧାନରେ ଏନ୍ ସି ସି କ୍ୟାଡେଟ ମାନଙ୍କ ଦ୍ଵାରା ‘ସ୍ବଚ୍ଛତା ହିଁ ସେବା’ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। କ୍ୟାଡେଟମାନେ ସ୍ବଚ୍ଛତାର ବାର୍ତ୍ତା ଦେଇ ଜୁନାଗଡ଼ ସହର ପରିକ୍ରମା କରିଥିଲେ। ଏହି କ୍ରମରେ ସେମାନେ ନୂଆ ବସଷ୍ଟାଣ୍ଡ ସ୍ଥିତ ଡଃ ବି ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଓ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ତା ପରିପାର୍ଶ୍ବି ସଫେଇ କରିଥିଲେ। କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ।