କେନ୍ଦ୍ରାପଡା ଖାଦ୍ୟ ସୁରକ୍ଷା ଅଧିକାରୀ ଲାଂଚ ନେଇ ଧରା ପଡିଲେ

କେନ୍ଦ୍ରାପଡ଼ା, ୦୧/୧୦/୨୦୨୪ (ଓଡ଼ିଶା ସମାଚାର)- ଜନୈକ ବ୍ୟବସାୟୀଙ୍କ ଠାରୁ ଲାଇସେନ୍ସ କରିଦେବାକୁ କହି ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ  ବିଭାସ ମଜୁମଦାର ଦୁର୍ନୀତି ନିବାରଣ ବିଭାଗ ହାତରେ ଧରାପଡିଛନ୍ତି । ମଙ୍ଗଳବାର ତିନିମୁହାଣୀ ଛକ ନିକଟସ୍ଥ ଆଖଣ୍ଡଳମଣୀ ମାର୍ବଲ ଦୋକାନ ନିକଟରେ ଲାଂଚ ନେଉଥିବା ବେଳେ ଗିରଫ ହୋଇଛନ୍ତି ଶ୍ରୀ ମଜୁମଦାର । ଦୁର୍ନୀତି ନିବାରଣ ବିଭାଗ ଅଧିକାରୀ ତାଙ୍କୁ ଗିରଫ କରିବା ପରେ ଗରାପୁର ସ୍ଥିତ ଦୁର୍ନୀତି ନିବାରଣ ବିଭାଗ ଉପଆରକ୍ଷୀ ଅଧୀକ୍ଷକଙ୍କ କର୍ଯ୍ୟାଳୟକୁ ନେଇଥିଲେ । ସେଠାରୁ ତାଙ୍କୁ କଟକ ଦୁର୍ନୀତି ନିବାରଣ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ନିଆଯାଇଥିଲା । ଦୁର୍ନୀତି ନିବାରଣ ବିଭାଗ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ଖାଦ୍ୟ ସୁରକ୍ଷା ଅଧିକାରୀ କେନ୍ଦ୍ରାପଡ଼ା ସହରରେ ଥିବା ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ କରିଥିଲେ । ଚଢାଉ କରିବା ବେଳେ ସଂପୃକ୍ତ ଦୋକାନୀଙ୍କ ଲାଇସେନ୍ସ ନଥିବା ଜଣାପଡିଥିଲା । ତେଣୁ ସେହି ବ୍ୟବସାୟୀଙ୍କୁ ଲାଇସେନ୍ସ କରିଦେବା ପାଇଁ ଶ୍ରୀ ମଜୁମଦାର କହିଥିଲେ । ଏ ନେଇ ବ୍ୟବସାୟୀ ଜଣକ ଜିଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ଲାଇସେନ୍ସ କରାଇ ଦେବାକୁ କହି ତାଙ୍କୁ ଶ୍ରୀ ମଜୁମଦାର ୫ ହଜାର ଟଙ୍କା ଲାଂଚ ମାଗିଥିଲେ । ଏଥିରେ ବ୍ୟବସାୟୀ ଜଣକ ରାଜି ହୋଇଥିଲେ ମଧ୍ୟ  ଏ ନେଇ ଦୁର୍ନୀତି ନିବାରଣ ବିଭାଗରେ ଅଭିଯୋଗ କରିଥିଲେ । ତେଣୁ ଦୁର୍ନୀତିଗ୍ରସ୍ତ ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ମଜୁମଦାରଙ୍କୁ ଗିରଫ କରିବା ପାଇଁ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ଟିମ ପୂର୍ବରୁ ଆଖଣ୍ଡଳମଣୀ ମାର୍ବଲ ଦୋକାନ ନିକଟରେ ଛକି ରହିଥିଲେ । ସେଠାରେ ଶ୍ରୀ ମଜୁମଦାର ୫ ହଜାର ଟଙ୍କା ଲାଂଚ ଗ୍ରହଣ କରିବା ପରେ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀମାନେ ତାଙ୍କୁ ମାଡି ବସିଥିଲେ । ପରେ ଦୁର୍ନୀତି ନିବାରଣ ବିଭାଗ କାର୍ଯ୍ୟାଳୟ, କେନ୍ଦ୍ରାପଡାକୁ ନେଇଯାଇଥିଲେ । ତାଙ୍କ ଠାରୁ ଜବତ ହୋଇଥିବା ଟଙ୍କାରେ ପୂର୍ବରୁ ରାସାୟନିକ ଦ୍ରବ୍ୟ ବୋଳା ଯାଇଥିଲା । ତେଣୁ ତାଙ୍କ ହାତ ଧୋଇବା ପରେ ହାତରୁ ରଙ୍ଗମିଶା ପାଣି ବାହାରିଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ସେ ଲାଂଚ ଟଙ୍କା ଗ୍ରହଣ କରିଛନ୍ତି । ଏହାପରେ ତାଙ୍କୁ ଗିରଫ କରି କଟକ ଭିଜିଲାନ୍ସ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରୁ ତାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯିବ ବୋଲି ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ କୁହାଯାଇଛି ।  ଏ ନେଇ ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ଥାନା କେସ ନଂ. ୨୮/୨୦୨୪ରେ ଦଫା ୭ ପିସି (ସଂଶୋଧନ ଆଇନ୍) ୨୦୧୮ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *