ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ୨୦୨୪ ପାଳିତ

ଜଗତସିଂହପୁର ୦୧/୧୦/୨୦୨୪ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ସ୍ଥାନୀୟ ନିମାଇଁ ଭବନ (ଟାଉନ୍ ହଲ୍) ଠାରେ ପାଳିତ ହୋଇଯାଇଅଛି। ଏହି ଉପଲକ୍ଷେ ଆୟୋଜିତ ସାଧାରଣ ସଭାରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ(ଭା.ପ୍ର.ସେ) ଅଧ୍ୟକ୍ଷତା କରିଥିଲେ। ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ ଜଗତସିଂହପୁର, ଶ୍ରୀ ଅମରେନ୍ଦ୍ର ଦାସ କହିଲେ ବରିଷ୍ଠ ନାଗରିକ ମାନଙ୍କର ଅଭିଜ୍ଞତା ଓ ଅନୁପ୍ରେରଣା ସର୍ବଦା ଜିଲ୍ଲା ପାଇଁ କାମ୍ୟ। ସେମାନଙ୍କର ଆଶୀର୍ବାଦ ରେ ଜଗତସିଂହପୁର ଜିଲ୍ଲାର ପ୍ରଗତି ଦ୍ଵିଗୁଣିତ ହେବ। ଜିଲ୍ଲାକୁ ସ୍ଵାଧୀନତା ସଂଗ୍ରାମ ର ଏନ୍ତୁଡ଼ିଶାଳ ଭାବେ ଅଭିହିତ କରି ସେ ସମସ୍ତ ମହାପୁରୁଷ ଏବଂ ବରିଷ୍ଠ ଜନସାଧାରଣଙ୍କୁ ନିଜର ପ୍ରଣାମ ଜଣାଇଥିଲେ। ସଭାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ବରିଷ୍ଠ ନାଗରିକ ମାନଙ୍କୁ ସୁସ୍ଥ ସମାଜର ସୂତ୍ରଧର ବୋଲି କହିଥିଲେ। ସେମାନଙ୍କର ପ୍ରେରଣା ରେ ଜିଲ୍ଲା ବିକାଶ ରାସ୍ତାରେ ଅଗ୍ରସର ହେବ ବୋଲି ଶ୍ରୀ ଭୋଇ ମତ ପ୍ରକାଶ କରିଥିଲେ।ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ବରିଷ୍ଠ ନାଗରିକ ମାନଙ୍କର ଅଭିଜ୍ଞତା ଓ ଦିଗଦର୍ଶନ ସର୍ବଦା କର୍ମଜୀବନ ଓ ବ୍ୟକ୍ତିଗତ ଜୀବନକୁ ଆଲୋକିତ କରିଥାଏ ବୋଲି କହିଥିଲେ।ସଭାରେ ଉପସ୍ଥିତ ସମ୍ମାନନୀୟା ଅତିଥି ଜଗତସିଂହପୁର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂ ମଧ୍ୟ ଏକ ଶୃଙ୍ଖଳିତ ସମାଜ ଗଠନରେ ବରିଷ୍ଠ ନାଗରିକ ମାନଙ୍କର ଆଶୀର୍ବାଦ ଓ ଦିଗଦର୍ଶନ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ପରେ ବିଶିଷ୍ଟ ବରିଷ୍ଠ ନାଗରିକ ମାନଙ୍କୁ ଅତିଥିମାନେ ସାଲ, ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।ସେମାନେ ହେଲେ ଜଗତସିଂହପୁର ଜିଲ୍ଲା ବରିଷ୍ଠ ନାଗରିକ ମହାମଞ୍ଚର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ହୃଦାନନ୍ଦ ଜେନା, ଅଧ୍ୟକ୍ଷ ଶ୍ରୀ ଗୌରାଙ୍ଗ ଚରଣ ହୋତା,ଶ୍ରୀ ପ୍ରଭାକର ସ୍ୱାଇଁ,ଶ୍ରୀ ନିକୁଞ୍ଜ କିଶୋର ବେହେରା, ଏହାଛଡା ବିଭିନ୍ନ ବ୍ଲକ୍ ର ୩୦ ଟି ବରିଷ୍ଠ ନାଗରିକ ମଞ୍ଚ ର ଅଧ୍ୟକ୍ଷ ତଥା କର୍ମକର୍ତ୍ତା ମାନଙ୍କୁ ମଧ୍ୟ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଜିଲ୍ଲାର ବରିଷ୍ଠ ନାଗରିକମାନେ ନିଜ ନିଜର ବକ୍ତବ୍ୟରେ ଜିଲ୍ଲାରେ ବରିଷ୍ଠ ଜନସାଧାରଣଙ୍କର ବିଭିନ୍ନ ସୁବିଧା ଅସୁବିଧା କଥା ଜିଲ୍ଲାପାଳ ଏବଂ ମୁଖ୍ୟ ଅତିଥିଙ୍କୁ ଜଣାଇଥିଲେ।ସକାଳ ୮ ଘଟିକାରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଯୋଗାଭ୍ୟାସ,ପରେ ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସଭା ଶେଷରେ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସଭାର ପ୍ରାରମ୍ଭରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଖେରସ ର ଛାତ୍ରଛାତ୍ରୀ ସ୍ବାଗତ ସଙ୍ଗୀତ ଓ ଶେଷରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନିଲ କୁମାର ନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବରିଷ୍ଠ ନାଗରିକ ମହାମଞ୍ଚର ସଦସ୍ୟ ଶ୍ରୀ ମଧୁସୂଦନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ବାସୁଦେବ ନୃତ୍ୟକଳା, ବାଂଶ, ନାଉଗାଁ ର କଳାକାର ମାନେ ନୃତ୍ୟ, ସରସ୍ଵତୀ ସଙ୍ଗୀତ କଳା ବିଦ୍ୟାମନ୍ଦିର, ମୁକୁନ୍ଦପୁର, ର କଳାକାର ମାନେ ସାମାଜିକ ନାଟକ ପରିବେଷଣ କରିଥିଲେ।ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି,ଜିଲ୍ଲା ବରିଷ୍ଠ ନାଗରିକ ମହମଞ୍ଚର ସଦସ୍ୟ, ବିଭିନ୍ନ ବ୍ଲକ୍ ସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚ ର ସଦସ୍ୟ, ସହରର ବୁଦ୍ଧିଜୀବୀ, ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଏହି ଦିନଟିକୁ ଉପଭୋଗ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ର ସ୍ବାଗତ ରଞ୍ଜନ ଦାସ ,ବିକ୍ରମ କେଶରୀ ଚୌଧୁରୀ ,ସାଗର କୁମାର ବେହେରା , ସୂତପା ଘଡାଇ , ସ୍ମିତା ମହାପାତ୍ର ତଥା ସମସ୍ତ ସାମାଜିକ ସୁରକ୍ଷା ଅଧିକାରୀ ,କନିଷ୍ଠ ସହାୟକ ଓ ପ୍ରୋଗ୍ରାମ ସହାୟକ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *