ଇରମ ଗୁଳିକାଣ୍ଡ:ଆରକ୍ତ ଗୋଧୂଳିର ରକ୍ତାକ୍ତ ରାଗିଣୀ

                                                     ଡ଼ଃ ଦେବେନ୍ଦ୍ର ପ୍ରହରାଜଙ୍କ ସ୍ମୃତିରେ ଶବ ସଂରକ୍ଷକ ଫ୍ରିଜ ପ୍ରଦାନ

ରାଉରକେଲା, ୩୦/୯/୨୦୨୪ (ଓଡ଼ିଶା ସମାଚାର)- ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଧାମରା ସଂଘ ପକ୍ଷରୁ ଲୁଣିଆ ଇରମ ଶହୀଦ ସ୍ମୃତି ଦିବସ ପାଳନ ହୋଇଯାଇଛି । ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ଡ.ଅଜୟ କୁମାର ପଣ୍ଡା ଯୋଗଦାନ କରି କହିଲେ ଯେ ଇରମ ଗୁଳିକାଣ୍ଡ ଆରକ୍ତ ଗୋଧୂଳିର ରକ୍ତାକ୍ତ ରାଗିଣୀ । ସଂଜ ହେବାକୁ ଆଉ ଅଳ୍ପ ସମୟ ବାକିଥାଏ ହଠାତ୍ ଆକାଶରୁ ଅଗ୍ନି ଉଦ୍ଗିରଣ ହୋଇ ଇରମ ମେଲଣ ପଡିଆ ସନ୍ନିକଟ ନହଣ ପୋଖରୀରେ ରକ୍ତଜବାର ଆଭା ଯୁଗ ଯୁଗ ପାଇଁ ଭଦ୍ରକ ମାଟିକୁ ସଂଗ୍ରାମ ମାଟିରେ ପରିଣତ କରିଦେଲା । ଯେପରି ଗୀତା ସଂଘର୍ଷର ଶାସ୍ତ୍ର ସେହିପରି ଭଦ୍ରକ ବଳିଦାନର ମାଟି।  ଆଜିବି ଏ ମାଟିକୁ ଚିପୁଡି ଦେଲେ ଶହୀଦମାନଙ୍କ ରକ୍ତରେ ହାତ ରକ୍ତ ରଂଜିତ ହୋଇଯାଏ ।ସେ ଆହୁରି ମଧ୍ୟ କହିଲେ ଯେପରି କବିଟିଏ ତା କବିତା ପାଇଁ ଅମରତ୍ବ ଲାଭ କରେ ସେହିପରି ଜଣେ ସାଧାରଣ ମଣିଷ ନିଜ ଦେଶ ପାଇଁ ଜାତି ପାଇଁ ନିଜକୁ ବଳିଦାନ ଦେଲେ ସେ ଚିରକାଳ ପାଇଁ ଅମର ହୋଇଯାଏ । ୧୯୨୧ ମସିହାରୁ ଆରମ୍ଭ ହୋଇଥିବା ଅସହଯୋଗ ଆନ୍ଦୋଳନ ଶେଷରେ କର ବା ମର ନୀତି ଆପଣେଇ ୧୯୪୨ମସିହା ଇରମ୍ ଗୁଳିକାଣ୍ଡରେ ଶେଷ ହୋଇଥିଲା  । ମୁଖ୍ୟଅତିଥି ଭାବେ ବାସୁଦେବପୁର  ବିଧାୟକ ଅଶୋକ କୁମାର ଦାସ କହିଲେ ଯେ  ଆମେ ମାଟି ମନସ୍କ ଓ ଜାତି ମନସ୍କ ହୋଇ ପାରିଲେ ଏହା ହିଁ ହେବ ଶହୀଦମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ଆମେ ସର୍ବଦା ନିଜର ସାଧନା ଉପରେ ବିଶ୍ବାସ ରଖିଲେ ନିଶ୍ଚୟ ଦିନେ ନା ଦିନେ ସିଦ୍ଧି ଲାଭ କରିବା । ଏହି ଅବସରରେ ଇରମର ୨୯ ଜଣ ଓ ଲୁଣିଆର ୯ ଜଣ ଶହୀଦଙ୍କୁ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ଦ୍ବାରା  ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ସମ୍ମାନ ପ୍ରଦର୍ଶନ କରାଯାଇଥିଲା ଜ୍ଝ ଏହି ଅବସରରେ ଶିକ୍ଷାବିତ ଡ.ଦେବେନ୍ଦ୍ର ମୋହନ ପ୍ରହରାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ପତ୍ନୀ ଓ ପୁତ୍ରମାନେ ଧାମରା ସଂଘକୁ ଏକ ଭ୍ରାମ୍ୟମାଣ ଶବସଂରକ୍ଷକ ଫ୍ରିଜ୍ ଦାନ କରିଥିଲେ । ଏହି ଫ୍ରିଜ୍ ଦାନ କାର୍ୟ୍ୟକ୍ରମରେ ଅନିଲ କୁମାର ଦାଶଙ୍କ ସହଯୋଗକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ । ସାଧାରଣ ସଂପାଦକ ଭଗବାନ ରାଉତ ସ୍ବାଗତ ଭାଷଣ ସହ ଡ.ପ୍ରହରାଜଙ୍କ ସ୍ମୃତିଚାରଣ କରିଥିଲେ । ସହସାଧାରଣ ସଂପାଦକ ଅକ୍ଷୟ ଦାସ ମଞ୍ଚ ପରିଚାଳନା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ରାଜକୁମାରୀ ଦେବୀ ଓ ସାଥିଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରା ଯାଇଥିଲା ।ଏହି କାର୍ୟ୍ୟକ୍ରମରେ ବାଳକୃଷ୍ଣ ସ୍ବାଇଁ, ମହେନ୍ଦ୍ର ମହାନ୍ତି, ଉପେନ୍ଦ୍ର ନାୟକ , ଶମ୍ଭୁନାଥ ପରିଡା, ରମାକାନ୍ତ ପରିଡା, ଜ୍ଞାନରଂଜନ କର,ଅମୂଲ୍ୟ ସେଠୀ,ସସ୍ମିତା ପ୍ରଧାନ,ନିରୁପମା ନାୟକ ,ରତ୍ନାକର ବଳ , ଶ୍ରୀବତ୍ସ କୁଅଁର ,ସୂର୍ୟ୍ୟ ପଣ୍ଡା, ହରେକୃଷ୍ଣ ଦାଶ ଆଦି କର୍ମକର୍ତ୍ତାଗଣ କାର୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସହରର ପ୍ରାୟ ସବୁ ଅନୁଷ୍ଠାନର କର୍ମକର୍ତ୍ତାଗଣ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ଶେଷରେ ସାଂସ୍କୃତିକ ସଂପାଦକ ସୁଶାନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ ।

Leave a Reply

Your email address will not be published. Required fields are marked *