ଜଳେଶ୍ୱରରେ ଉତ୍ତରପ୍ରଦେଶ ବସ୍‌ ଦୁର୍ଘଟଣା

ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୁର୍ଘଟଣାଗ୍ରସ୍ତଙ୍କୁ ସମସ୍ତ ସହାୟତା ଯୋଗାଇଲା ପ୍ରଶାସନ

# ଚାରି ମୃତକଙ୍କ ମରଶରୀର ୟୁପି ପଠାଇବାକୁ ବ୍ୟବସ୍ଥା କଲା ବାଣିଜ୍ୟ ଓ ପରିବହନ ବିଭାଗ

# ଏସ୍‌ସିବିରେ ଆହତ ୧୨ ଜଣଙ୍କ ଚିକିତ୍ସା, ବିପଦମୁକ୍ତ ଥିବା ସୂଚନା

# ସୁସ୍ଥ ଯାତ୍ରୀଙ୍କୁ ସମସ୍ତ ସୁବିଧା ସହ ୟୁପି ପଠାଇବେ ଓଡ଼ିଶା ସରକାର

# ପରିବହନ ଆୟୁକ୍ତ, ଜିଲ୍ଲାପାଳ, ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ

# ଏସ୍‌ଟିଏ ଓ ପୋଲିସ ପକ୍ଷରୁ ଦୁର୍ଘଟଣାର କାରଣ ଯାଞ୍ଚ

ଭୁବନେଶ୍ୱର, ୨୮/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟରେ ଉତ୍ତରପ୍ରଦେଶର ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାଗ୍ରସ୍ତଙ୍କୁ ସମସ୍ତ ସହାୟତା ଯୋଗାଇଦେବାକୁ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଜେନାଙ୍କ ନିର୍ଦ୍ଦେଶ ଅନୁଯାୟୀ ପରିବହନ ଆୟୁକ୍ତ, ଜିଲ୍ଲାପାଳ ଓ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ କରାଯାଇଛି । ଦୁର୍ଘଟଣାରେ ଜଣେ ମହିଳା ଓ ତିନି ଜଣ ପୁରୁଷଙ୍କୁ ମିଶାଇ ଚାରି ଜଣଙ୍କ ମୃତୁ୍ୟ ହୋଇଛି । ମରଶରୀରଗୁଡ଼ିକୁ ସେମାନଙ୍କ ଘରକୁ ପଠାଇବା ନିମନ୍ତେ ପରିବହନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏଥି ସହ ଦୁର୍ଘଟଣାରେ ଆହତ ୧୨ ଜଣଙ୍କୁ ପ୍ରଥମେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ ସେମାନଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଛି । ସମସ୍ତେ ବିପଦମୁକ୍ତ ଥିବା ଜଣାଯାଇଛି । ସାମାନ୍ୟ ଆହତମାନଙ୍କୁ ଜଳେଶ୍ୱର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଦୁର୍ଘଟଣାଗ୍ରସ୍ତ ଉତ୍ତରପ୍ରଦେଶ ତୀର୍ଥଯାତ୍ରୀମାନଙ୍କୁ ସବୁମତେ ସହାୟତା ଯୋଗାଇଦେବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ଗତକାଲି ରାତି ପ୍ରାୟ ସାଢ଼େ ୧୨ଟାରେ ଜାତୀୟ ରାଜପଥ ୧୬ର ଅକ୍ତଳି ନିକଟ ଚଳନ୍ତି ବାଇପାସରେ ଉତ୍ତରପ୍ରଦେଶରୁ ୬୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଆସୁଥିବା ବସ୍‌ (UP51AT6297)) ରାସ୍ତାର ୬ ଫୁଟ୍‌ ତଳକୁ ଓଲଟି ପଡ଼ିଥିଲା । ଉଦ୍ଧାରକାରୀ ଦଳ, ପୋଲିସ, ପରିବହନ ଅଧିକାରୀ, ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ସ୍ଥଳରେ ତୁରନ୍ତ ପହଞ୍ଚି ସହାୟତା ପହଞ୍ଚାଇଥିଲେ । ପରିବହନ ଆୟୁକ୍ତ ଅମିତାଭ ଠାକୁର, ବାଲେଶ୍ୱର ଜିଲ୍ଲାପାଳ ଓ ଏସପିଙ୍କ ନେତୃତ୍ୱରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଥିଲା । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଉଦ୍ଧାରକାରୀ ଦଳ ସକ୍ଷମ ହୋଇଥିଲେ । ଉଦ୍ଧାରକାର୍ଯ୍ୟରେ ସେ୍ୱଚ୍ଛାସେବୀ ଅନୁଷ୍ଠାନ ଓ ସ୍ଥାନୀୟ ଲୋକେ ସଂପୂର୍ଣ୍ଣ ସହାୟତା କରିଥିଲେ । ସୁସ୍ଥ ହୋଇଥିବା ଯାତ୍ରୀମାନେ ଚାହିଁଲେ ସେମାନଙ୍କୁ ଉତ୍ତରପ୍ରଦେଶ ପଠାଯିବାର ସମସ୍ତ ବ୍ୟବସ୍ଥା ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କରାଯିବ ବୋଲି ପରିବହନ ଆୟୁକ୍ତ ଅମିତାଭ ଠାକୁର କହିଛନ୍ତି ।

ରାଜ୍ୟ ପରିବହନ ପ୍ରାଧିକରଣର ବରିଷ୍ଠ ଅଧିକାରୀ, କ୍ରାସ୍‌ ଇନଭେଷ୍ଟିଗେସନ୍‌ ଟିମ୍‌, ସ୍ଥାନୀୟ ଆରଟିଓ ଓ ପୋଲିସ ପକ୍ଷରୁ ଦୁର୍ଘଟଣାର ଯାଞ୍ଚ କରାଯାଉଛି । ପ୍ରାଥମିକ ତଦନ୍ତରୁ ଯାନଚାଳକଙ୍କ ତ୍ରୁଟିରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଗାଡ଼ି ଚଲାଇବା ବେଳେ ଚାଳକଙ୍କ ଆଖି ଲାଗିଯାଇଥିବା କୁହାଯାଉଛି ଓ ସେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି ।

-0-

ସୂର୍ଯ୍ୟ ମିଶ୍ର, ଲୋକସଂପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *