ଓଡ଼ିଶାର ବିକାଶ ଓ ଅଭିବୃଦ୍ଧି ପର୍ଯ୍ୟଟନ ମାଧ୍ୟମରେ ହୋଇପାରିବ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୮/୯/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଶାର ବିକାଶ ଓ ଅଭିବୃଦ୍ଧି ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦ୍ୱାରା ସମ୍ଭବ ହୋଇପାରିବ । ଏହା ସହ ଟୁରିଷ୍ଟ ଗାଇଡ୍ ମାନେ ବିଭିନ୍ନ ଦେଶର ଭାଷା କହିପାରୁ ଥିବାରୁ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ପ୍ରତି ଆକୃଷ୍ଟ ହେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପ୍ରକାଶ କରିଛନ୍ତି ।
ଓଡ଼ିଶା ରାଜ୍ୟ ଟୁରିଷ୍ଟ ଗାଇଡ୍ ଆସୋସିଏସନ ପକ୍ଷରୁ ପାଳନ କରାଯାଉଥିବା ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସ୍ଥାନୀୟ ଜୟଦେବ ଭବନଠାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ବର୍ତମାନ ରାଜ୍ୟରେ ୧୬୦୦ ଟୁରିଷ୍ଟ ଗାଇଡ୍ ଅଛନ୍ତି । ସମୁଦ୍ର କୂଳର ୪୮୦ କିଲୋମିଟର ବେଳାଭୂମି ଠାରୁ ଆରମ୍ଭ କରି ସିମିଳିପାଳ, ଦେଓମାଳି ଆଦି ପର୍ଯ୍ୟଟନ କ୍ଷେତ୍ରରେ ପ୍ରାକୃତିକ ସମ୍ପର୍କର ବିକାଶ ନିମିତ ଆଧୁନିକ ପର୍ଯ୍ୟଟନ କ୍ଷେତ୍ରର ବିକାଶ ମଧ୍ୟ ଆବଶ୍ୟକ । ପଶ୍ଚିମ ଓଡ଼ିଶାରେ ଆଉ ଏକ ବୃହତ୍ ଚିଡ଼ିଆଖାନା ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଆଡ଼ଭେଂଚର ସ୍ପୋର୍ଟସ୍ ଟୁରିଜିମ୍ ନୀତି ରାଜ୍ୟ ସରକାର ଖୁବ୍ ଶୀଘ୍ର ଆଣିବେ । ରାଜ୍ୟର କେତୋଟି ପର୍ଯ୍ୟଟନ କ୍ଷେତ୍ରରେ ଲାଇଟ୍ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା କରିବା ପାଇଁ ସରକାର ଶୀଘ୍ର ପଦକ୍ଷେପ ନେବେ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି ।
ଆଇନ, ଅବକାରୀ ଓ ପୂର୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଉତ୍ସବରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଯୋଗାଯୋଗ, ପର୍ଯ୍ୟଟକଙ୍କ ଯାତ୍ରାକାଳୀନ ସୁବିଧା ଆଦି ଉପରେ ସରକାର ଅଗ୍ରାଧିକାର ଦେଉଛନ୍ତି । ପର୍ଯ୍ୟଟନ କ୍ଷେତ୍ରରୁ ବର୍ତମାନ ରାଜସ୍ୱର ୧୦ଗୁଣା ଆୟ କରିବା ପାଇଁ ଯୋଜନା ରହିଛି । ଗଞ୍ଜାମ ଜିଲାର ଗୋପାଳପୁର ଠାରୁ ରୁଷିକୂଲ୍ୟା ମୁହାଣ ପର୍ଯ୍ୟନ୍ତ ଏକ ମେରାଇନ୍ ଡ୍ରାଇଭ ରାସ୍ତା ଗୋପାଳପୁର ବନ୍ଦର ସହରର କଳେବର ବୃଦ୍ଧି ସହିତ ଅନେକ ପର୍ଯ୍ୟଟନସ୍ଥଳୀର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି ସେ କହିଥିଲେ ।
ଗାଇଡ୍ ଆସୋସିଏସନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଧାୟକ ବାବୁ ସିଂ, ବିଜେପି ରାଜ୍ୟ କମିଟର ପୂର୍ବତନ ସଭାପତି ସମୀର ମହାନ୍ତି, ଶିଳ୍ପପତି ଜିତେନ୍ଦ୍ର କୁମାର ମହାନ୍ତି, ବିରଂଚି ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ମହାନ୍ତି, ଆଲୋକ କୁମାର କର, ଡ. ସବୀର ହୁସେନ, ଡ. ସୁଶାନ୍ତ ରଞ୍ଜନ ଚଇନି ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ପର୍ଯ୍ୟଟନ କ୍ଷେତ୍ରର ସର୍ବବିଧ ଉନ୍ନତି ନିମିତ ନିଜସ୍ୱ ମତ ପ୍ରଦାନ କରିଥିଲେ ।
ଏହି ଅବସରରେ ପର୍ଯ୍ୟଟନ କ୍ଷେତ୍ରକୁ ଅମୂଲ୍ୟ ଅବଦାନ ଦେଇଥିବା ଅଭିନେତ୍ରୀ ଅନିନ୍ଦିତା ଦାସ, କାଦମ୍ବରୀ କରଶର୍ମା, ପ୍ରଭାସିନୀ ଦାସ, ଶିବାନୀ ମହାନ୍ତି, କ୍ଷୀରୋଦ କୁମାର ପଟ୍ଟନାୟକ, ଲେଖା ମହାନ୍ତି ଓ ଗୌରଚନ୍ଦ୍ର ମହାପାତ୍ରଙ୍କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସମ୍ମାନିତ କରିଥିଲେ । ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ରାଜ୍ୟର ପ୍ରାୟ ୧୫୦ରୁ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଧେଶକ ପ୍ରଶାନ୍ତ ପାଢୀ, ମନ୍ମଥ ମିଶ୍ର, ଅନିନ୍ଦିତା ଦାସ ଓ ଉପେନ୍ଦ୍ର ପ୍ରଧାନ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ ।

Leave a Reply

Your email address will not be published. Required fields are marked *